ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଂଚଳ ହେଉଛି ଚିତ୍ରକୋଣ୍ଡା ବ୍ଲକ। ଏହି ଅଂଚଳ ନକ୍ସଲ ପ୍ରବଣ ଭାବେ ମଧ୍ୟ ବେଶ ପରିଚିତ। ଚିତ୍ରକୋଣ୍ଡାର ନାମ ଶୁଣିଲେ ସେଠାକୁ ଯିବାକୁ ପଡୁଥିଲେ ସରକାରୀ ବାବୁମାନେ ଥରେ ନୁହେଁ, ବରଂ ଦଶଥର ଚିନ୍ତା କରଥାନ୍ତି । ଏହି ଅଂଚଳର ପଞ୍ଚାୟତଗୁଡିକକୁ ବୁଲି ଆସିବା ପାଇଁ ମନରେ ଅନେକ ଭୟ ଥାଏ। କୌଣସି ମୂହୁର୍ତ୍ତରେ ମଧ୍ୟ କିଛି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Advertisment

ଏହି ପରିପ୍ରେକ୍ଷୀରେ ୨୦୧୮ ମସିହା ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁକୁ ଉଦଘାଟନ କରି ବିଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଂଚଳ ବୋଲି ଘୋଷଣା କଲେ। ସେହି ଦିନ ସେ ବିଛିନ୍ନା଼ଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଂକାର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ।

publive-image

ତେବେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ହେବା ଦିନ ଠାରୁ ପ୍ରଶାସନ ବିଛିନ୍ନାଞ୍ଚଳର ବିକାଶ ନେଇ ଅହରହ ପରିଶ୍ରମ ଜାରି ରଖିଛି। ସୁରକ୍ଷାର ବଳୟ ଭିତରେ କାମ ଆଗେଇ ଚାଲିଛି। କିନ୍ତୁ ଗୁରୁପ୍ରିୟା ସେତୁ ଡେଇଁବା ପରେ ଗୋରାସେତୁ ପର୍ଯ୍ୟନ୍ତ ହିଁ ସୁରକ୍ଷା ବଳୟ ରହିଛି। ତାପରେ ଯେତିକି ବିପଦ ସେତିକି କଚ୍ଚା ରାସ୍ତା। ରାସ୍ତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିଛିନ୍ନାଞ୍ଚଳର ଦୁର୍ଗମ ପଞ୍ଚାୟତଗୁଡିକରେ ରାସ୍ତା କରିବା ପାଇଁ ଆଗେଇ ଆସିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ। ଯୁବ ଇଂଜିନିୟର ପ୍ରଶାନ୍ତ ବେହେରା ସ୍ୱାଭିମାନ ଅଂଚଳର ରାସ୍ତା କାମର ଭାର ନେଇଛନ୍ତି। ସେ ଜଣେ ଦକ୍ଷ ଏବଂ ନିର୍ଭିକ ଯନ୍ତ୍ରୀ ଭାବେ ବେଶ ପରିଚିତ। ବିଛିନ୍ନାଞ୍ଚଳରେ ରାସ୍ତା ନିର୍ମାଣ କରିବା ତାଂକର ଗୁରୁଦାୟିତ୍ୱ ରହିଛି। ପ୍ରଶାସନ ତାଂକ ଉପରେ ସଂପୂର୍ଣ୍ଣ ଭରସା କରିଛି। ବିଛିନ୍ନାଞ୍ଚଳରେ ରାସ୍ତା ନଥିବା ହେତୁ ସେ ନିଜେ ଏବଂ ତାଂକ ସହଯୋଗୀଙ୍କୁ ନେଇ କାମ କରୁଛନ୍ତି, ଯାହାକି ଅତି ବିପଦଜନକ ଏବଂ ଅପହଞ୍ଚ ଅଂଚଳ।

ବିଛିନ୍ନାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜୋରସୋରରେ କାମ ଚାଲିଛି। କିନ୍ତୁ ଏବେ ବି ସ୍ୱାଭିମାନ ଅଂଚଳବାସୀ ଘୋଡା ଓ ଖଚର ଉପରେ ହିଁ ନିର୍ଭର କରିଆସୁଛନ୍ତି ଲୋକେ। ନିଜର ଦୈନନ୍ଦିନ ସାମଗ୍ରୀ ହେଉ ବା ପିଡିଏସ ଚାଉଳ ଆଣିବା ହେଉ ଲୋକେ ଘୋଡା ଓ ଖଚରକୁ ବ୍ୟବହାର କରିଥାନ୍ତି। ଚାରିଚକିଆ ଯାନ ଯିବା ଆସିବା କରିବା ଏକ ପ୍ରକାର କଷ୍ଟକର ହୋଇପଡୁଥିବାରୁ ଲୋକେ ଖଚର ଦ୍ଵାରା ଯିବା ଆସିବା କାମ କରିଥାନ୍ତି। ଏପରିକି ସରକାରୀ ବାବୁମାନେ ମଧ୍ୟ ଦୂରଦୂରାନ୍ତ ସ୍କୁଲ ହେଉ ବା କୌଣସି ଉନ୍ନୟନ କାମର ତଦାରଖ ପାଇଁ ହେଉ ଅଥବା ସ୍ୱାସ୍ଥ୍ୟ କର୍ମାମାନେ ହୁଅନ୍ତୁ ସମସ୍ତେ ଘୋଡା ଓ ଖଚର ଦ୍ଵାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିଥାନ୍ତି।

publive-image

ସେହିପରି ପଡୋଶୀ ଆନ୍ଧ୍ରକୁ ଯିବା ପାଇଁ ଏହି ଏହି ଖଚର ହିଁ ଭରସା। ସୀମାନ୍ତ ଆନ୍ଧ୍ରର ଲୋକେ ସ୍ୱାଭିମାନ ଅଂଚଳକୁ ଆସିବା ବେଳେ ଖଚରକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲୋକେ ସାପ୍ତାହିକ ହାଟକୁ ଯିବାକୁ ହେଲେ କିମ୍ବା ରୋଗୀକୁ ମେଡିକାଲ ନେବାକୁ ହେଲେ ଏହା ହିଁ ଭରସା। ଏନେଇ କିଛି ଲୋକଙ୍କୁ ପଚାରିବାରୁ ସ୍ୱାଭିମାନ ଅଂଚଳରେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଥିଲେ ମଧ୍ୟ ସ୍ୱାଭିମାନ ଅଂଚଳର ୧୫୧ଟି ଗ୍ରାମକୁ ରାସ୍ତା ହେବା ପାଇଁ ଆହୁରି ସମୟ ଲାଗିବ ବୋଲି କହିଛନ୍ତି।

ସରାକରୀ ବାବୁମାନେ ମଧ୍ୟ ଖଚର ବ୍ୟବହାର କରୁଥିବା ନେଇ ପଚାରିବାରୁ ଏଠାରେ ମଟର ସାଇକେଲ କିମ୍ବା ବଡ ଗାଡିରେ ଯିବା କଷ୍ଟ ହେଉଥିବାରୁ ଲୋକେ ଆମକୁ ଖଚର ଏବଂ ଘୋଡା ଯୋଗାଇ ଦେଇଥାନ୍ତି। ତେବେ ଗତ ଧାନ ମଣ୍ଡିରେ ପ୍ରାୟ ଶହେ ଘୋଡା ଓ ଖଚର ସାହାଯ୍ୟରେ ଲୋକେ ନିଜ ନିଜର ମାଣ୍ଡିଆ ଧରି ମଣ୍ଡକୁ ଆସିଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ଦ୍ଵାରା ଲୋକଙ୍କର କେତେ ଯେ ଉପକାର ହେଉଛି ତାହା ଲୋକେ ଜାଣିଛନ୍ତି। ତେଣୁ ରାସ୍ତା ହେବା ପରେ ମଟର ଗାଡି ଚଳାଚଳ ହେଲେ ମଧ୍ୟ ଏହାକୁ ସେମାନେ ଛାଡିବେ ନାହିଁ ବୋଲି କହିଛନ୍ତି।