ରଙ୍ଗେଇଲୁଣ୍ଡା ବ୍ଲକ୍ ରାଜନୀତିରେ ଘୋଡ଼ା ବେପାର!

ସରପଞ୍ଚ, ସମିତିସଭ୍ୟ ପଦ ନିର୍ଦ୍ବନ୍ଦ୍ବ କରିବାକୁ ଗାଁ କମିଟି ସଭାପତିଙ୍କ ସହ ୧୦ ଲକ୍ଷ ଟଙ୍କାର ଡିଲ୍‌, ତଦନ୍ତ ପାଇଁ ରାଜ୍ୟ ନିର୍ବାଚନ କମିସନର୍‌ଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଚିଠି

ଗୋଳନ୍ଥରା: ନିର୍ବାଚନ ନ ଲଢ଼ି ସରପଞ୍ଚ ଓ ସମିତିସଭ୍ୟ ପଦ ହାତେଇବାକୁ ଗାଁ କମିଟି ସଭାପତିଙ୍କ ୧୦ ଲକ୍ଷ ଟଙ୍କାର ଡିଲ୍। ଖାଲି ଏତିକି ନୁହେଁ, ଗାଁରେ ଅନ୍ୟ କାହାକୁ ପ୍ରାର୍ଥୀ ନକରିବା ଏବଂ ବିରୋଧ ନକରିବାକୁ ଷ୍ଟାମ୍ପ୍‌ ପେପର୍‌ରେ ଚୁକ୍ତି ବି ସ୍ବାକ୍ଷରିତ ହୋଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅଧୀନ ରଙ୍ଗେଇଲୁଣ୍ଡା ବ୍ଲକ୍‌ ଚାନ୍ଦପୁର ପଞ୍ଚାୟତ ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥିନୀ ନିର୍ଦ୍ବନ୍ଦ୍ବ ଭାବେ ନିର୍ବାଚିତ ହେବାକୁ ଏଭଳି ଘୋଡ଼ା ବେପାର ହୋଇଛି। ଆଉ ୫୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ବିଜେପି ପ୍ରାର୍ଥିନୀ କାଜଲ ପାତ୍ର ଏମର୍ମରେ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିସନର୍‌ଙ୍କ ଲିଖିତ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଉକ୍ତ ପଞ୍ଚାୟତରେ ସାନି ନିର୍ବାଚନ ଲାଗି ଦାବି କରାଯାଇଛି।

ଶ୍ରୀମତୀ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଚାନ୍ଦପୁର ପଞ୍ଚାୟତରୁ ସରପଞ୍ଚ ପଦରେ ଚିନି.ରଶ୍ମିତା ପାତ୍ର ଓ ସମିତିସଭ୍ୟ ପଦରେ ପ୍ରିୟଙ୍କା ଦଳାଇ ନିର୍ଦ୍ବନ୍ଦ୍ବ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଗତମାସ ୨୦ ତାରିଖରେ ଘୋଷଣା କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ସୁନାଦେଇ ଗ୍ରାମରୁ କିଛି ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କ ଉପରେ ଚାପ ପକାଇବା ସହ ପ୍ରଲୋଭିତ କରିବାକୁ ରଶ୍ମିତାଙ୍କ ଶ୍ବଶୁର ଚିନି ବାଇରି ପାତ୍ର ଏବଂ ପ୍ରିୟଙ୍କାଙ୍କ ସ୍ବାମୀ ବାଲ୍ୟରାମ ଦଳାଇ ଯୋଜନା କରିଥିଲେ। ସେମାନେ ପ୍ରଥମେ ଗ୍ରାମବାସୀଙ୍କୁ ଡାକି ବୈଠକ କରିଥିଲେ। ସର୍ବସମ୍ମତିକ୍ରମେ ସୁନାଦେଇ ଗ୍ରାମରୁ କୌଣସି ପ୍ରାର୍ଥୀ ନଦେବାକୁ ସ୍ଥିର କରାଯାଇଥିଲା। ଏଥିପାଇଁ ଗାଁ କମିଟି ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କୁ ବାଲ୍ୟରାମଙ୍କ ଦସ୍ତଖତ ଥିବା ଏକ ୧୦ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଥିଲା। ଏହାସହ ଗ୍ରାମରୁ ଅନ୍ୟ କାହାକୁ ବି ପ୍ରାର୍ଥୀ ନକରିବା ଏବଂ ବିରୋଧ ନକରିବାକୁ ବାଲ୍ୟରାମ ଓ ପ୍ରଶାନ୍ତ ମଧ୍ୟରେ ଷ୍ଟାମ୍ପ୍‌ ପେପର୍‌ରେ ଏକ ଚୁକ୍ତିନାମ ସ୍ବାକ୍ଷରିତ ହୋଇଥିଲା। ଯେଉଁଥିରେ ସାକ୍ଷୀ ଭାବରେ ଲଉଡ଼ିଗାଁ ପଞ୍ଚାୟତର ଜିଆରଏସ୍ ଭାବେ କାର୍ଯ୍ୟ କରୁଥିବା ଚିନି.ସୁବାସ ପାତ୍ରଙ୍କ ଦସ୍ତଖତ ରହିଛି। ସେହିପରି ଚାନ୍ଦପୁର ପଞ୍ଚାୟତ ଅଧୀନରେ ଥିବା ଗୋବିନ୍ଦପୁର, ଚାନ୍ଦପୁର ଓ ପଡ଼ାଗାଁ ଗୋପାଳଗାଁରେ ମଧ୍ୟ ୨ ପ୍ରାର୍ଥିନୀଙ୍କ ପରିବାରର ଦବ୍‌ଦବା ରହିଥିବାରୁ ଏଠାରୁ ବି କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିଲେ। ଫଳରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥିନୀ କାଜଲ ପାତ୍ର ନିର୍ବାଚନ କମିସନର୍‌ଙ୍କୁ ଚିଠି ଲେଖିଛନ୍ତି। ସରପଞ୍ଚ ଓ ସମିତିସଭ୍ୟା ପଦବିକୁ ନାକଚ କରିବା ସହ ଏଠାରେ ସାନି ନିର୍ବାଚନ ପାଇଁ ନିବେଦନ କରିଛନ୍ତି। ଅଭିଯୋଗପତ୍ରରେ ସେ ଚେକ୍ ଓ ଚୁକ୍ତିନାମାର ନକଲ ବି ସଂଲଗ୍ନ କରିଛନ୍ତି। ଅନ୍ୟପଟେ ଘଟଣା ନେଇ ସମିତିସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀ ବାଲ୍ୟରାମ ଦଳାଇଙ୍କ ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଯୋଗାଯୋଗ ସମ୍ଭବପର ହୋଇ ନପାରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧିତ ଖବର