ଉଦ୍ୟାନ ବିଭାଗ କିରାଣିଙ୍କୁ ଜେଲ୍‌ଦଣ୍ଡ

ଫୁଲବାଣୀ : ନିଜ ଅଫିସ କର୍ମଚାରୀଠାରୁ ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଉଦ୍ୟାନ ବିଭାଗର କନିଷ୍ଠ କିରାଣି ପ୍ରଦୀପ କୁମାର ଚୌଧୁରୀ ୨୦୧୮ ମସିହାରେ ସେହି କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀ ସୁନୀଲ କୁମାର ବେହେରାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଏହି ମାମଲାରେ ଆଜି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କିରାଣି ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ସ୍ଥଳେ ଅଧିକ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ପ୍ରକାରେ କ୍ଷେତ୍ର କର୍ମଚାରୀଙ୍କ ବାଲିଗୁଡ଼ାସ୍ଥିତ ଏକ ବ୍ୟାଙ୍କରେ ଥିବା ଦରମା ଜମା ଖାତାକୁ ସେଠାରୁ ଫୁଲବାଣୀସ୍ଥିତ ଏକ ବ୍ୟାଙ୍କକୁ ଟ୍ରାନ୍ସଫର ପାଇଁ କିରାଣି ପ୍ରଦୀପ ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ଲାଞ୍ଚ ଟଙ୍କା ସହିତ ବ୍ରହ୍ମପୁର ଭିଜିଲାନ୍ସ ଟିମ ଗିରଫ କରିବା ସହିତ ଏକ ମାମଲା ରୁଜୁ କରିଥିଲା। ମୋଟ ୧୨ ଜଣଙ୍କ ସାକ୍ଷ୍ୟ, ପ୍ରମାଣକୁ ଭିତ୍ତି କରି ଆଜି ଏହି ରାୟ ପ୍ରକାଶ ପାଇଥିବା ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଭି.ଭି.ରାମଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର