୨୨୨ କୋଟିର କ୍ଷୟକ୍ଷତି ରିପୋର୍ଟ ଦେଲା ଉଦ୍ୟାନ କୃଷି

ନଡ଼ିଆ ପାଇଁ ୫୫ କୋଟି, ଆମ୍ବ ଗଛ ଭାଙ୍ଗି ୨୫ କୋ‌ଟି ନଷ୍ଟ

ଭୁବନେଶ୍ବର : ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଉଦ୍ୟାନ କୃଷି କ୍ଷେତ୍ରରେ ପ୍ରାୟ ୨୨୨ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। ଏଥିମଧ୍ୟରୁ ନଡ଼ିଆ ଗଛ ଭାଙ୍ଗି ୫୫.୮୦ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ଆମ୍ବ ଗଛ ଭାଙ୍ଗି ପ୍ରାୟ ୨୫ କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ରିପୋର୍ଟ ଦେଇଛି ଉଦ୍ୟାନ କୃଷି ନିର୍ଦେଶାଳୟ।

ଏ ନେଇ ଗତକାଲି କୃଷି ବିଭାଗକୁ ଦେଇଥିବା ରିପୋର୍ଟରେ ଉଦ୍ୟାନ କୃଷି ନିର୍ଦେଶକ ଦର୍ଶାଇଛନ୍ତି ଯେ ପ୍ରାୟ ୮୪୦୮ ହେକ୍ଟର ଜମିରେ ବାଇଗଣ, ଲଙ୍କା ଭଳି ବିଭିନ୍ନ କିସମର ପନିପରିବା ନଷ୍ଟ ହୋଇଛି। ଏସବୁର କ୍ଷୟକ୍ଷତି ଆକଳନ ହୋଇଛି ପ୍ରାୟ ୨୫ କୋଟି ୨୨ ଲକ୍ଷ ଟଙ୍କା। ସେହିପରି ନଡ଼ିଆ ଗଛ ଭାଙ୍ଗିପଡ଼ିବା ଯୋଗୁଁ ୫୫.୫୧ କୋଟି, କାଜୁ କ୍ଷତି ୧୪.୩୦ କୋଟି, କଦଳୀ ଗଛ ୧୭.୫୦ କୋଟି, ଅମୃତଭଣ୍ଡା ୧.୨୫ କୋଟି, ଆମ୍ବ ଓ ଅନ୍ୟାନ୍ୟ ଫଳ ନଷ୍ଟ ହେବା ଯୋଗୁଁ ୨୫ କୋଟି ଏହିରୂପେ ମୋଟ ୧୩୮ କୋଟି ୭୮ ଲକ୍ଷ ଟଙ୍କାର କ୍ଷତି ହୋଇଛି।

ସେହିପରି ଘରୋଇ ଉଦ୍ୟାନ କୃଷି ଭିତ୍ତିଭୂମି ଓ ଅନ୍ୟାନ୍ୟ କ୍ଷେତ୍ରରେ ମୋଟ ୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଏଥିମଧ୍ୟରୁ ଛତୁଚାଷ ବାବଦରେ କ୍ଷତି ୨.୫ କୋଟି, ପାନ ବରଜ ୧୫ କୋଟି, ସେଡ୍‌ନେଟ୍‌ ୧୨.୫ କୋଟି, ପଲି ହାଉସ୍‌ ୩୦ କୋଟି, ଶୀତଳ ଭଣ୍ଡାର ସମେତ ଅନ୍ୟାନ୍ୟ କ୍ଷୟକ୍ଷତି ପରିମାଣ ୧୦ କୋଟି ଟଙ୍କା। ଏହା ସହିତ ସରକାରୀ ଅଫିସ ଗୃହ ଓ ଅନ୍ୟାନ୍ୟ କ୍ଷୟକ୍ଷତି ବାବଦରେ ୧୪ କୋଟି ଟଙ୍କାର କ୍ଷତି ହୋଇଥିବା ଦର୍ଶାଇଛି ଉଦ୍ୟାନ କୃଷି ନିର୍ଦେଶାଳୟ।

ସମ୍ବନ୍ଧିତ ଖବର