ଉଦ୍ୟାନ କୃଷି ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଛି : କୃଷି ମନ୍ତ୍ରୀ

ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର, : ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ରାଜ୍ୟର ଉଦ୍ୟାନ କୃଷି ଦ୍ବାରା କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଆଜି ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ ଚଳିତ ବୃକ୍ଷରୋପଣ ଋତୁରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତମାନର ଚାରା ପ୍ରସ୍ତୁତି ଓ ଯୋଗାଣ ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟରେ ଫଳ ଓ ପନିପରିବା ଚାଷ କରିବା ପାଇଁ ବ୍ୟାପକ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଯୋଗାଇ ଦିଆଯାଇଥିବା ସବୁ ସାମଗ୍ରୀ ଯେପରି ଠିକ୍ ମାନର ହୋଇଥିବ ତା’ର କଡ଼ାକଡ଼ି ତଦାରଖ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ସାହୁ ଆହୁରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନୂଆ ଉଦ୍ୟୋଗ ସୃଷ୍ଟି କରାଯାଉଛି। ଏହା ଦ୍ବାରା ଆତ୍ମନିଯୁକ୍ତି ମିଳିବ‌ା ସହ ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ବ୍ଲକ୍ ଓ ଜିଲ୍ଲା ସ୍ତରରୁ ତଥ୍ୟ ସଂଗ୍ରହ କରି ରାଜ୍ୟର ଉଦ୍ୟାନ କୃଷି କ୍ଷେତ୍ର ସମ୍ପର୍କରେ ଏକ ବିସ୍ତୃତ ଓ ନିର୍ଭୁଲ୍‌ ଡାଟାବେସ୍ ପ୍ରସ୍ତୁତ କରିବାକୁ ସେ କହିଥିଲେ। ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ସାହୁ ଡେରାସ ଫାର୍ମ ପରିଦର୍ଶନ କରିଥିଲେ। ତାଙ୍କ ସହ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଲେଙ୍କା ଉପସ୍ଥିତ ଥ‌ିଲେ।

ସମ୍ବନ୍ଧିତ ଖବର