ଘୁ. ଉଦୟଗିରି: କୃଷକ ଓ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମ ନିଯୁକ୍ତି ଓ ସ୍ବାବଲମ୍ବୀ କରିବା ପାଇଁ ଉଦ୍ୟାନ କୃଷି ସମ୍ବନ୍ଧୀୟ ଶିକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟରେ କଳିଙ୍ଗା ଠାରେ ନିର୍ମିତ ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ କୋଠା ଆଜି ଭୂତ କୋଠି ପାଲଟି ଯାଇଛି। ବାରମ୍ବାର ଅନୁରୋଧ ପରେ ମଧ୍ୟ ସରକାର କିମ୍ବା ରାଜ୍ୟ ବିଭାଗୀୟ ଅଧିକାରୀ ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହାର ଏକ ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ୍ ଅନ୍ତର୍ଗତ ଓଡ଼ିଶାର ଏକମାତ୍ର କଳିଙ୍ଗା ଡିଏଭି ରେ ଥିବା ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର। ଏହା ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ବ ହେଲା ବନ୍ଦ ହୋଇ ପଡ଼ିଛି।

Advertisment

୨୦୧୩ ମସିହାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଉଦ୍ୟାନ କୃଷକ ଓ ଯୁବବର୍ଗଙ୍କୁ ଉଦ୍ୟାନ କୃଷି ନିମନ୍ତେ ଶିକ୍ଷା ଦେଇ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହା ଦ୍ଵାରା କନ୍ଧମାଳ ଜିଲ୍ଲା ସମେତ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ବଲାଙ୍ଗୀର ଏବଂ ସୋନପୁର ଏପରି ୧୦ ଟି ଜିଲ୍ଲାର କୃଷକ ତଥା ଚାଷୀ ମାନଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ିମାନେ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ତାଲିମ ନେଉଥିଲେ ଏବଂ ନିଜ ଅଞ୍ଚଳରେ ଉଦ୍ୟାନ କୃଷି କରୁଥିଲେ। କିନ୍ତୁ ଏହି ପ୍ରତିଷ୍ଠାନ ମାତ୍ର ୨ ବର୍ଷ ଚାଲିବା ପରେ ଗତ ୨୦୧୬ ମସିହା ଠାରୁ କାର୍ଯ୍ୟକାରୀ ନ ହୋଇ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇରହିଛି।

ଏହି ପ୍ରତିଷ୍ଠାନ ମଧ୍ୟରେ ରହି ଶିକ୍ଷା ଅର୍ଜନ କରିବା ପାଇଁ ଶିକ୍ଷାର୍ଥୀଙ୍କ ନିମନ୍ତେ ୧୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥି ମଧ୍ୟରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେବା ନିମନ୍ତେ ବ୍ୟବସ୍ଥା ଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ତାହା ସ୍ୱପ୍ନ ହୋଇ ରହିଯାଇଛି ଯାହା ଫଳରେ ବିଭିନ୍ନ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି, ଦଳିତ ଏବଂ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ଏହିଭଳି ସରକାରଙ୍କ ତରଫରୁ ମିଳୁଥିବା ପ୍ରଶିକ୍ଷଣ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ଏହା କେବଳ କାଗଜ କଲମରେ ଚାଲିଛି ଏଣୁ ଦୁଇଜଣ ସହକାରୀ ନିର୍ଦ୍ଦେଶକ ଏଠାରୁ ଦରମା ନେଇ ଭୁବନେଶ୍ୱରରେ ରହୁଥିବା ସୂଚନା ମିଳିଛି । ବିନା କାମରେ ଦରମା ବାବଦକୁ ମାସିକ ପ୍ରାୟ ୫ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ ହେଉଛି।

publive-image

କୃଷକ ଓ ଯୁବବର୍ଗଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର କୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଏବଂ ଅଞ୍ଚଳବାସୀ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଲେ କିନ୍ତୁ ତାହାର ଉତ୍ତର ସ୍ୱରୂପ ଡେପୁଟି ଡାଇରେକ୍ଟର ଉଦ୍ୟାନ ବିଭାଗ, ଏଚ୍‌ଟିଆଇ କଳିଙ୍ଗା ପତ୍ର ମାଧ୍ୟମରେ ଜଣାଇଛନ୍ତି ପାଣି ଅଭାବ ଜଗୁ ୨୦୧୭ ମସିହାରୁ ତାହା ବନ୍ଧ କରାଯାଇଛି ଏବଂ ପଣସର ପ୍ରକ୍ରିୟାକରଣ କରିବା ନିମନ୍ତେ କାସମ ନାମକ ଏକ ସଂସ୍ଥାକୁ ଏହାର ଅଧା କୋଠା ଭଡ଼ାରେ ଦିଆଯାଇଛି।

ପରବର୍ତ୍ତୀ ସମୟରେ ତା ୧୯.୦୩.୨୦୨୩ ରେ ଏହାର ତଦନ୍ତ କରିବା ନିମନ୍ତେ କିଛି ବିଶେଷଜ୍ଞ ଦଳ ପରିଦର୍ଶନ କରିଥିଲେ ଏବଂ ପାଣି ସମସ୍ୟା ର ବ୍ୟବସ୍ଥା କରିଥିଲେ । ଗତ ୨୪.୦୩.୨୦୨୩ ରିଖ ପତ୍ର ସଂଖ୍ୟା ୪୮ ରେ ପାଣିର ଆଉ କୌଣସି ଅସୁବିଧା ଏବଂ ପରବର୍ତ୍ତୀ ସମୟରେ କୃଷକଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ ଆମେ ଯୋଜନା କରିବୁ ଦର୍ଶାଇ ଥିଲେ କିନ୍ତୁ ପତ୍ର ଦେବାର ଆଜକୁ ଦେଢ଼ ବର୍ଷ ବିତି ଗଲାଣି ହେଲେ ଯୋଜନା ହୋଇପାରୁନି। ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ପରିଦର୍ଶନ କରି ଆସିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି ଅଞ୍ଚଳବାସୀ।