ରାଇରଙ୍ଗପୁର: ରାଜ୍ୟରେ ଦୁର୍ନୀତିର ସୀମା ଟପିଯାଇଛି। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀମାନେ ଭିଜିଲାନ୍ସ ହାତରେ ପଡ଼ି ଜେଲ ଯାଉଥିବା ବେଳେ ସରକାର ଅନେକଗୁଡ଼ିଏ କର୍ମଚାରୀଙ୍କୁ ବିଗତ ଦିନରେ ନିଲମ୍ବନ ଓ ବହିଷ୍କାର କରିଛନ୍ତି। ଏହା ସତ୍ବେ ବି ଅନ୍ୟମାନେ କିଛି ଶୁଖୁ ନାହାନ୍ତି। ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଛନ୍ତି। ଭିଜିଲାନ୍ସ ହାତରେ ଧରାପଡ଼ିଥିବା କର୍ମଚାରୀ ହେଲେ ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ଏରିଅର ବିଲ୍ କରାଇ ଦେବାକୁ କହି ସ୍ବାସ୍ଥ୍ୟ କେନ୍ଦ୍ର ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗୋପୀନାଥ ଲାଞ୍ଚ ବାବଦରେ ଭିଜିଲାନ୍ସ ବିଭାଗରେ ଅବଗତ କରାଇବାରୁ ହିମାଂଶୁଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।
ଆଜି ଶ୍ରୀ ପଣ୍ଡା ୨୫ ହଜାର ଟଙ୍କା ଶ୍ରୀ ହେମ୍ବ୍ରମଙ୍କ ଠାରୁ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ୍ର କର୍ମଚାରୀମାନେ ଅତର୍କିତ ଭାବେ ମାଡ଼ି ବସିଥିଲା। ତେବେ ଶ୍ରୀ ପଣ୍ଡା ପୂର୍ବରୁ ମଧ୍ୟ ଶ୍ରୀ ହେମ୍ବ୍ରମଙ୍କଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ନେଇଥିଲେ । ଆଉ ୨୫ ହଜାର ଟଙ୍କା ନଦେଲେ ବିଲ କରେଇଦେବେ ନାହିଁ ବୋଲି କହିଥିଲେ।