ବ୍ଲାକ୍ ଫଙ୍ଗସ୍ ରୋଗୀ ସୁସ୍ଥ ହେବା ପରେ ବି ସରକାରଙ୍କୁ ଜଣାଉ ନାହାନ୍ତି ହସ୍ପିଟାଲ

ସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍‌ର ତନାଘନା, ରାଜ୍ୟରେ ୭୩ ମାମଲା, ୬ ମୃତ

ଭୁବନେଶ୍ବର : ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍‌କୁ ରାଜ୍ୟ ସରକାର ଏକ ନୋଟିଫାଏ ରୋଗ ଭ‌ାବେ ଘୋଷଣା କରିଛନ୍ତି। ଏ ଦୃଷ୍ଟିରୁ କୌଣସି ହସ୍ପିଟାଲରେ ଏଭଳି ରୋଗୀ ଚିହ୍ନଟ ହେଲେ କିମ୍ବା ସୁସ୍ଥ ବା ପ୍ରାଣ ହରାଇଲେ, ରାଜ୍ୟ ସରକାରଙ୍କୁ ସୂଚନା ଦେବାକୁ କୁହାଯାଇଛି। ମାତ୍ର କିଛି ହସ୍ପିଟାଲ ଏହାକୁ ମାନୁ ନାହାନ୍ତି। ରୋଗୀ ସୁସ୍ଥ ହେବା ସଂପର୍କରେ ସୂଚନା ଦେଉ ନାହାନ୍ତି। ତେଣୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ଆଜି ଏକ ଜାତୀୟ ସ୍ବାସ୍ଥ୍ୟାନୁଷ୍ଠାନରେ ଏ ସଂପର୍କରେ ତନାଘନା କରିଥିବା ସୂଚନା ମିଳିଛି।

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ଏ ପର୍ଯ୍ୟନ୍ତ ୭୩ ମାମଲା ସାମ୍ନାକୁ ଆସିଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି। ମାତ୍ର ସରକାରୀ ଭାବେ ଜଣେ ରୋଗୀ ସୁସ୍ଥ ହୋଇଥିବା କୁହାଯାଉଛି। ଜାତୀୟ ସ୍ବାସ୍ଥ୍ୟାନୁଷ୍ଠାନରେ ନିକଟରେ ୪ଜଣ ରୋଗୀ ସୁସ୍ଥ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ନିକଟରେ ସୁସ୍ଥ ହେବା ସଂପର୍କ‌ରେ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ସଂପୃକ୍ତ ହସ୍ପିଟାଲକୁ ଯାଇ ଏ ସଂପର୍କରେ ତନାଘନା କରିଛନ୍ତି। ଆସନ୍ତାକାଲି ହସ୍ପିଟାଲ ପକ୍ଷରୁ ରୋଗୀ ସୁସ୍ଥ ହେବା ସଂପର୍କ‌ରେ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ ଟିମ୍‌କୁ ସୂଚନା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର