ତାରକା ହୋଟେଲରେ ବି ମିଳିବ ହସ୍ପିଟାଲ ସୁବିଧା

୧୫ରୁ ଅଧିକ ହୋଟେଲ, ହସ୍ପିଟାଲ ସହ ଆଲୋଚନା କଲେ କମିସନର

ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ଶଯ୍ୟା ବଢ଼ାଇବା ଲାଗି ଯୋଜନା ହେଉଛି। ହେଲେ ହସ୍ପିଟାଲ ଭିତ୍ତିଭୂମି ଅନୁଯାୟୀ ଶଯ୍ୟା ବଢ଼ିପାରୁନି। ତେଣୁ ତାରକା ହୋଟେଲଗୁଡ଼ିକରେ ବିଏମ୍‌ସି ହସ୍ପିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି। ଶନିବାର ଏନେଇ ବିଏମ୍‌ସି କମିସନର ସଞ୍ଜୟ ସିଂହ ୧୫ରୁ ଅଧିକ ହୋଟେଲର ମାଲିକ ଏବଂ ରାଜଧାନୀର ବିଭିନ୍ନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରାଜଧାନୀର ବିଭିନ୍ନ ହୋଟେଲ ଓ ହସ୍ପିଟାଲ ମଧ୍ୟରେ ଚୁକ୍ତି ହେବ। ଆକ୍ରାନ୍ତମାନେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ ସେମାନଙ୍କୁ ହସ୍ପିଟାଲରେ କିମ୍ବା ‌ହୋଟେଲରେ ରହିବା ଲାଗି ପ୍ରସ୍ତାବ ଦିଆଯିବ। ଯେଉଁମାନଙ୍କର କମ୍‌ ଲକ୍ଷଣ ଥିବ ସେମାନଙ୍କୁ ହୋଟେଲରେ ରହିବାର ଅନୁମତି ଦିଆଯିବ। ହୋଟେଲରେ ଉକ୍ତ ହସ୍ପିଟାଲର ଡାକ୍ତରୀ ଟିମ୍ ମଧ୍ୟ ରହିବ। ଏପରିକି ଆବଶ୍ୟକସ୍ଥଳେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ବ୍ୟବସ୍ଥା ରହିବ। ଗୁରୁତର ହେଲେ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ବିଭିନ୍ନ କୋଭିଡ ହସ୍ପିଟାଲରେ ଶଯ୍ୟା ଅଭାବ ଦେଖାଯାଉଥିବାରୁ ଏବଂ କୋଭିଡ ହସ୍ପିଟାଲଗୁଡ଼ିକର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ବିଏମ୍‌ସି ହୋଟେଲ ଗୁଡ଼ିକରେ ଚିକିତ୍ସା‌ ଆରମ୍ଭ କରିବାକୁ ଯୋଜନା କରୁଛି। ଆଜି ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଏନେଇ କିଛି ନିଷ୍ପତ୍ତି ନିଆଯିବ ବୋଲି ଜଣପାଡ଼ିଛି। ସୂଚନାଯୋଗ୍ୟ ଯେ ଦିଲ୍ଲୀ, ମୁମ୍ବାଇରେ ଏହିଭଳି ହୋଟେଲ ଓ ହସ୍ପିଟାଲ ମଧ୍ୟରେ ଚୁକ୍ତି ‌କରି ଚିକିତ୍ସା ଯୋଗାଯାଇଥିଲା। ଏହାକୁ ଭୁବନେଶ୍ବରରେ ଲାଗୁ କରିବାକୁ ଆଲୋଚନା ହେଉଛି।

ଅପରପକ୍ଷେ ଆଜିର ବୈଠକ ପରେ ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି ଯେ ହୋଟେଲରେ କରୋନା ଆକ୍ରାନ୍ତ ରଖିବାରେ କିଛି ଅସୁବିଧା ନାହିଁ। ହେଲେ ସେମାନଙ୍କୁ ଯେଉଁମାନେ ସେବା ଯୋଗାଇବେ ସେମାନଙ୍କର ଟିକାକରଣ ହେବା ଦରକାର। ନଚେତ୍ କିଏ ଆକ୍ରାନ୍ତ ରହୁଥିବା ରୁମ୍‌କୁ ସଫା କରିବ, କିଏ ଖାଇବାକୁ ଦେବ, ପ୍ଲେଟ୍‌ ଧୋଇବ। ରାଜ୍ୟ ସରକାର ଏଦିଗରେ ବି ଚିନ୍ତା କରିବା ଦରକାର।

ସମ୍ବନ୍ଧିତ ଖବର