ଏସ୍‌ଏଚ୍‌ଜି ହାତକୁ ଯିବ ଡାକ୍ତରଖାନା ପରିଚାଳନା ଦାୟିତ୍ବ

କଟକ : ରାଜ୍ୟରେ ସ୍ବାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରିବାକୁ ଏବେ ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସଏଚ୍‌ଜି)କୁ ସୁଯୋଗ ମିଳିବ। ଏସ୍ଏଚ୍‌ଜିର ମହିଳାମାନେ ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସ‌ାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଖାଦ୍ୟ ଯୋଗାଣ, ହାଉସକିପିଂ, ସଫେଇ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବେ। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବ‌ାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜର ଡିନ୍ ବା ଅଧ୍ୟକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସ‌ା ଅଧିକାରୀ ଓ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଏସ୍ଏଚ୍‌ଜିଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମେଡିକାଲରେ ୧୩ ପ୍ରକାର କାମ ଏବେ ଏସ୍‌ଏଚ୍‌ଜିମାନେ ପରିଚାଳନା କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସ୍ବ‌ାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ମିସନ୍‌ ଶକ୍ତି ପକ୍ଷରୁ ଏକ ଯୁଗ୍ମ ନିର୍ଦ୍ଦେଶନାମା ଏଥିପାଇଁ ଜାରି କରାଯାଇ ତୁରନ୍ତ ଜିଲ୍ଲାପାଳମ‌ାନେ ଏସଏଚ୍‌ଜି ଚୟନ କରିବାକୁ କୁହାଯାଇଛି। କିନ୍ତୁ ଏଭଳି ନିଷ୍ପତ୍ତିରେ ରାଜ୍ୟର ପ୍ରାୟ ୫୦୦ ଏଜେନ୍ସିର ପାଖାପାଖି ୧୦ ହଜାର କର୍ମଚାରୀ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜୀବିକା ହରାଇବେ ବୋଲି ମତ ରଖିବା ସହିତ ଏହା ବିରୋଧରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଭିନ୍ନ ଏଜେନ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି। ଏଭଳି ନିଷ୍ପତ୍ତିକୁ ନେଇ ମେଡିକାଲରେ କାମ କରୁଥିବା ଏଜେନ୍ସି ଉତ୍କଳ ସପ୍ଲାୟର୍ସର ଶୈଳେନ୍ଦ୍ର ସାହୁ କହିଛନ୍ତି ଯେ ସରକାର ଏ ନିଷ୍ପତ୍ତି ନେବା ପୂର୍ବରୁ ଆଉ ଥରେ ଚିନ୍ତା କରିବାର ଆବଶ୍ୟକତା ଅଛି।

ସମ୍ବନ୍ଧିତ ଖବର