ଜଳେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ରଣକ୍ଷେତ୍ର ପାଲଟିଛି ଡାକ୍ତରଖାନା। ଚିକିତ୍ସାରେ ଅବହେଳା ଅଭିଯୋଗ କରି ସଂପର୍କୀୟମାନେ ଡାକ୍ତର ଓ ଆଟେଣ୍ଡାଣ୍ଟ୍ଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି। ସେହିପରି ଆସବାବପତ୍ର ଭଙ୍ଗାରୁଜା ମଧ୍ୟ ହୋଇଛି। ଫଳରେ ମାମଲା ଥାନାରେ ପହଞ୍ଚିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ୍ରେ।
ସୂଚନା ଅନୁସାରେ; ଜଳେଶ୍ବର ବ୍ଲକ୍ ଶିଖରପୁର ପଞ୍ଚାୟତ ଏସ୍ଏସ୍ବିବି ହାଇସ୍କୁଲ୍ ଅଧୀନରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ଚକହରି ଗ୍ରାମର ସୌରୀଶଙ୍କର ଓଝାଙ୍କ ନାବାଳକ ପୁଅ ଉମେଶ। ତେବେ ଆଜି କୌଣସି କାରଣରୁ ସେ ଜଳେଶ୍ୱର ବଜାର ନିକଟରେ ବିଷ ପିଇ ଦେଇଥିଲେ। ଏନେଇ ଜାଣିବା ପରେ ଦୁଇ ସାଙ୍ଗ ନିତୀଶ କୁମାର ନାୟକ ଓ ଶୁଭାଶିଷ ମହାନ୍ତି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ୍ ନେଇଯାଇଥିଲେ। ଖବର ପାଇ ଉମେଶଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟମାନେ ମଧ୍ୟ ହସ୍ପିଟାଲ୍ରେ ପହଞ୍ଚିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉମେଶଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଉମେଶ ପ୍ରାଣ ହରାଇଲେ ବୋଲି ଦୁଇ ସାଙ୍ଗ; ନିତୀଶ ଓ ଶୁଭାଶିଷ ଏବଂ ପରିବାର ଲୋକ ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ।
ଏମିତି କି ମେଡିକାଲ୍ ଅଫିସର ଡାକ୍ତର ଦିଲ୍ଲୀପ କୁମାର ପାତ୍ରଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ଡାକ୍ତର ପାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍ ପ୍ରଦୀପ କୁମାର ଦେ ଏବଂ ଏଲ୍ଟି ସୁଦୀପ୍ତ କର, ଷ୍ଟାଫ୍ ନର୍ସ ସ୍ମୃତି ଗିରି, ସୁରକ୍ଷା କର୍ମୀ ଦେବାଶିଷ ମହାପାତ୍ର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ଡାକ୍ତରଖାନାର ଆସବାବପତ୍ର ଭଙ୍ଗାରୁଜା କରିବା ସହ ଅନେକ ଔଷଧପତ୍ର କ୍ଷତି କରିଥିଲେ। ହସ୍ପିଟାଲ୍ର ମୁଖ୍ୟ ଫାଟକରେ ଉମେଶଙ୍କ ଶବ ରଖି ଧାରଣା ଦିଆଯିବା ସହ ତାଲା ପକାଇବାକୁ ଉଦ୍ୟମ କରାଯାଇଥିଲା। ଖବର ପାଇ ଜଳେଶ୍ୱର ଆଇଆଇସି ରଞ୍ଜନ କୁମାର ସେଠୀ ଫୋର୍ସ ସହ ପହଞ୍ଚି ବୁଝାସୁଝା କରିଥିଲେ। ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୁରୁତର ଡାକ୍ତର ପାତ୍ର ଓ ଆଟେଣ୍ଡାଣ୍ଟ ଶ୍ରୀ ଦେ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଉମେଶଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ନେଇ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।