ରୋଗୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଡାକ୍ତରଖାନା କର୍ମଚାରୀ, ଜଣେ ମୃତ, ୮ ଗୁରୁତର

ଆଗରପଡ଼ା : ଦାୟିତ୍ବହୀନତା ଯୋଗୁ ଘଟିଲା ବଡ଼ ଦୁର୍ଘଟଣା। ଡ୍ରାଇଭିଂ ଜାଣି ନଥିବା ଭଦ୍ରକ ଜିଲ୍ଲା ଆଗରପଡ଼ା ଡାକ୍ତରଖାନାର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ଉପରେ ଚଢ଼ାଇ ଦେଲେ ବୋଲେରୋ। ଫଳରେ, ଜଣେ ରୋଗୀଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ୮ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଆଗରପଡ଼ା ଡାକ୍ତରଖାନାର ଏକ ବୋଲେରୋ (ଓଡି-୨୨-ଏଫ୍‌-୨୯୨୬) ଟିକେଟ୍‌ କାଉଣ୍ଟର ଆଗରେ ଛିଡ଼ା ହୋଇଥିଲା। ଏହିସମୟରେ ଡ୍ରାଇଭିଂ ଜାଣି ନଥିବା ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେଶ୍ବର ଗୋଚ୍ଛାୟତ କୌତୂହଳବଶତଃ ବୋଲେରୋ ଷ୍ଟାର୍ଟ କରିଥିଲେ। ତେବେ, ଗିୟର ଉପରେ ହାତ ପଡ଼ିଯିବାରୁ ବୋଲେରୋଟି ଦ୍ରୁତଗତିରେ ଯାଇ ଟିକଟ୍‌ କାଉଣ୍ଟର ଆଗରେ ଛିଡ଼ା ହୋଇଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ଉପରେ ଚଢ଼ିଯାଇଥିଲା। ଏହାସହିତ ଟିକେଟ୍‌ କାଉଣ୍ଟର ଏବଂ ସେଠାରେ ଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣ‌ାରେ ବଡ଼ବର୍ଚ୍ଚିକୟାଁ ଗ୍ରାମର ଶ୍ରୀଧର ଲେଙ୍କା(୨୫), ମକରଧ୍ବଜପୁର ଗ୍ରାମର ସଂଗ୍ରାମ ବେହେରା (୩୨), କାଣ୍ତବା ଗ୍ରାମର ମଣି ପଣ୍ତୁଆ (୨୮), ବଡ଼ମହିଁଷଗୋଠ ଗ୍ରାମର ତନ୍ମୟୀ ଜେନା (୨୮), ରାଉତରାପୁର ଗ୍ରାମର ଭାଗ୍ୟଲକ୍ଷ୍ମୀ ବାରିକ (୨୪)ଙ୍କ ସହ ଜଣେ ନାବାଳକ ଓ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀଧର ଲେଙ୍କାଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟପଟେ ବଡ଼ମହିଁଷଗୋଠ ଗ୍ରାମର ତନ୍ମୟୀ ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ଦୁର୍ଘଟଣା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ପୁଲିସ ଉକ୍ତ ବୋଲେରୋ ଜବତ କରି ଥାନାକୁ ନେଇଥିବାବେଳେ ଦୁର୍ଘଟଣା ଘଟାଇଥିବା ଡାକ୍ତରଖାନା କର୍ମଚାରୀ ମହେଶ୍ବର ଗୋଚ୍ଛାୟତ ଫେରାର ଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର