ଡାକ୍ତରଖାନା କର୍ମଚାରୀଙ୍କୁ ସଂପର୍କୀୟଙ୍କ ମାଡ଼, ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ରୋଗୀ ମୃତ୍ୟୁକୁ ନେଇ ମୟୂରଭଞ୍ଜ ଜିଲ୍ଲା କରଞ୍ଚିଆ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ମୃତା ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଖାନାରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କରଞ୍ଜିଆ ବ୍ଲକ୍‌ କେରକେରା ପଞ୍ଚାୟତ ଅନ୍ତର୍ଗତ ନେଢୁଆପାଳ ଗାଁ’ର ରାଜକିଶୋର ରଣାଙ୍କ ପତ୍ନୀ ସୁକମତୀ ରଣା (୩୮)ଙ୍କ ପେଟବ୍ୟଥା ହୋଇଥିଲା। ଫଳରେ ଗତକାଲି ଦିନ ୧୧ଟା ବେଳେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ଡାକ୍ତର ସୁକମତୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ। ତେବେ ରେଫର୍‌ ହେବାର କିଛି ସମୟ ମଧ୍ୟରେ ସୁକମତୀଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ କରିଥିଲେ। ସେମାନେ ଉତ୍‌କ୍ଷିପ୍ତ ହୋଇ ଡାକ୍ତରଖାନାର ଗେଟ୍ ବନ୍ଦ କରିଦେବା ସହ ଭଙ୍ଗାରୁଜା କରିଥିଲେ। ଏପରିକି କିଛି କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏ ନେଇ ଖବର ପାଇବା ପରେ ଯୁବ ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ମହେଶ୍ୱର ନାୟକଙ୍କ ସହ କରଞ୍ଜିଆ ଥାନାର ସବ୍‌ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ବଳ ପହଞ୍ଚି ବୁଝାସୁଝା କରିବା ସହ ଆମ୍ବୁଲାନ୍‌ସ ଯୋଗେ ଘରକୁ ଶବ ପଠାଇବାର ବ୍ୟବସ୍ଥା କରିଥିଲେ। ଫଳରେ ସ୍ଥିତି ସ୍ବାଭାବିକ ହୋଇଥିଲା ଏବଂ ଡାକ୍ତରଖାନା ଗେଟ୍‌ ଖୋଲାଯାଇଥିଲା।

ସମ୍ବନ୍ଧିତ ଖବର