କାଜୁବାଦାମ ଗଛରେ ଫାଶୀ ଦେଇ ଜୀବନ ହାରିଲେ ହଷ୍ଟେଲ୍‌ ପାଚିକା

ନବରଙ୍ଗପୁର: ନବରଙ୍ଗପୁର ସହର ହିରଲି ନିକଟରେ ଥିବା ଏକ ହଷ୍ଟେଲ୍‌ର ଜଣେ ପାଚିକା ଗତରାତିରେ ଓଢ଼ଣି ଦ୍ୱାରା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ମୃତ ପାଚିକା ହେଉଛନ୍ତି ରାଇଘର ବ୍ଲକ୍‌ ଅନ୍ତର୍ଗତ ଡଙ୍ଗରିପାରା ଗ୍ରାମର ଗୁରୁବାରୀ ଗୋଣ୍ଡ।

ଗତ ଚାରି ବର୍ଷ ହେବ ହୀରାଲି ନିକଟରେ ଥିବା ସରକାରୀ ହଷ୍ଟେଲ୍‌ ‘ଅନେ୍ଵଷା’ରେ (ଇଂରାଜୀ ମାଧ୍ୟମରେ ପଢୁଥିବା ଜନଜାତି ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ୍‌) ପାଚିକା ଭାବେ କାମ କରୁଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ ହଷ୍ଟେଲ୍‌ର ଅନ୍ତେବାସୀମାନେ ରାତ୍ରଭୋଜନ ଖାଇ ଶୋଇବାକୁ ଚାଲିଯାଇଥିଲେ। ଆଜି ସକାଳୁ ସେମାନେ ଜଳଖିଆ ଖାଇବାକୁ ଗୁରୁବାରୀଙ୍କୁ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ତାଙ୍କୁ ଫୋନ୍‌ କଲେ ମଧ୍ୟ ସେ କଲ୍‌ ଗ୍ରହଣ କରୁ ନ ଥିଲେ। ଅନ୍ତେବାସୀମାନେ ତାଙ୍କୁ ଆଖପାଖ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ।

ପରେ ହଷ୍ଟେଲ୍‌ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କାଜୁବାଡ଼ରେ ଜଣେ ଯୁବତୀଙ୍କ ଶବ ଝୁଲୁଥିବା ଖବର ମିଳିଥିଲା। ସେ ହିଁ ହଷ୍ଟେଲ୍‌ର ପାଚିକା ଗୁରୁବାରୀ ବୋଲି ଜଣାପଡ଼ିଲା। ଗୋଟାଏ କାଜୁବାଦାମ ଗଛରେ ସେ ନିଜ ଓଢ଼ଣି ଦ୍ୱାରା ଫାଶି ଦେଇଥିବା ଅନୁମାନ କରାଯାଉଛି।

ନବରଙ୍ଗପୁର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର