ଭୁବନେଶ୍ବର : କରୋନା (କୋଭିଡ୍‌-୧୯)କୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନର ହଷ୍ଟେଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏଥିସହ ଦିବ୍ୟାଙ୍ଗଙ୍କ ଲାଗି କାର୍ଯ୍ୟ କରୁଥିବା ବିଭିନ୍ନ ଥେରାପି ସେଣ୍ଟର୍‌ର ହଷ୍ଟେଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ମାର୍ଚ୍ଚ ୨୫ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ହଷ୍ଟେଲଗୁଡ଼ିକ ବନ୍ଦ କରାଯିବା ସହ ଅନ୍ତେବାସୀମାନଙ୍କୁ ୩ ମାସ ପାଇଁ ଅଗ୍ରିମ ଖାଦ୍ୟପେୟ ଓ ଯାତାୟାତ ଖର୍ଚ୍ଚ ପ୍ରଦାନ କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

Advertisment

ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଥେରାପି ସେଣ୍ଟର୍‌ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଖାଦ୍ୟପେୟ ବାବଦରେ ମାସିକ ୧୨୦୦ ଟଙ୍କା ପ୍ରଦାନ କରାଯାଇଥାଏ। ୩ ମାସ ପାଇଁ ସେମାନଙ୍କ ଅଗ୍ରୀମ ଅର୍ଥରାଶି ପ୍ରଦାନ କରାଯିବ। ବିଭାଗରୁ ସାହାଯ୍ୟପ୍ରାପ୍ତ ହେଉଥିବା ୯୮ଟି ସ୍ବତନ୍ତ୍ର ଆବାସିକ ଶିକ୍ଷାନୁଷ୍ଠାନ ଓ ୩୨ଟି ଥେରାପି ‌ସେଣ୍ଟର୍‌ର ଛାତ୍ରଛାତ୍ରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ। ୩ ମାସରେ ଖାଦ୍ୟପେୟ ଖର୍ଚ୍ଚ ଅନ୍ତେବାସୀଙ୍କ ପିତାମାତା/ଅଭିଭାବକଙ୍କୁ ଦିଆଯିବ ଏବଂ ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ଆଧାର ତଥା ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ବିଭାଗରେ ଦାଖଲ କରାଯିବ। ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ ଜଣେ ସହଯୋଗୀ/ସାହାଯ୍ୟକାରୀ ରହିବେ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ଓ ତାଙ୍କ ସହଯୋଗୀଙ୍କ ଯାତାୟାତ ଖର୍ଚ୍ଚ ବାବଦରେ ସର୍ବାଧିକ ୫୦୦ ଟଙ୍କା ପ୍ରଦାନ କରିବେ ବୋଲି କୁହାଯାଇଛି।

ଏଥିସହ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ହିତାଧିକାରୀଙ୍କୁ ୪ ମାସର ପେନ୍‌ସନ୍‌ ଅଗ୍ରିମ ଦିଆଯିବ। ମଧୁବାବୁ ପେନ୍‌ସନ୍‌ ଯୋଜନା ସହ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ଅଗ୍ରିମ ଅର୍ଥରାଶି ପ୍ରଦାନ କରାଯିବ। ଆସନ୍ତା ୨୩ ତାରିଖରୁ ଏହି ଅଗ୍ରିମ ଭତ୍ତା ପ୍ରଦାନ ଆରମ୍ଭ ହେବ। ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କମିସନର୍‌ ତଥା ଶାସନ ସଚିବ ଭାସ୍କର ଶର୍ମା ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୪ ମାସର ଭତ୍ତା ହିତାଧିକାରୀଙ୍କୁ ଅଗ୍ରିମ ଦିଆଯାଉ। ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟକ ଲୋକଙ୍କ ଉପସ୍ଥିତିର କଟକଣାକୁ ଦୃଷ୍ଟିରେ ରଖି ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ। ଏହି କାର୍ଯ୍ୟରେ ଦାୟିତ୍ବସଂପନ୍ନ ଲୋକଙ୍କୁ ନିୟୋଜିତ କରାଯିବ ବୋଲି କୁହାଯାଇଛି।