ଭୁବନେଶ୍ୱର: ଆସନ୍ତା ୨୬ ତାରିଖ ଠାରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ହଷ୍ଟେଲ ଗୁଡ଼ିକ ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସ୍/ଏସ୍ଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ଜାରି ହୋଇଛି । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ହେବ । ହଷ୍ଟେଲ୍ରେ ଆଇସୋଲେସନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସ୍ଓପିରେ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସଂସ୍ଥା ଛାତ୍ରଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ । ହଷ୍ଟେଲରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀ ଅଭିଭାବକଙ୍କର ଅନୁମତି ନେବେ । ସ୍ଥାନୀୟ ସ୍ୱାସ୍ଥ୍ୟ ସଂସ୍ଥା ସହିତ ଶିକ୍ଷାପ୍ରତିଷ୍ଠାନର ମୁଖ୍ୟ ସଂପର୍କରେ ରହିବେ । ହଷ୍ଟେଲ ପରିସରରେ ଗହଳିକୁ ବାରଣ କରାଯାଇଛି । ଏଥି ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।