ହଷ୍ଟେଲ ପାଇଁ ଗୃହ ନାହିଁ, ସମ୍ପୂର୍ଣ୍ଣ ହୋଇ ପାରୁନି ୨୫ରୁ ଅଧିକ କୋଠା : ଖର୍ଚ୍ଚ ନ ହୋଇ ପଡ଼ି ରହିଛି ୫ କୋଟିରୁ ଅଧିକ ଟଙ୍କା
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଅନୁସୁଚିତ ଜାତି ଓ ଜନଜାତି ହାଇସ୍କୁଲ ହଷ୍ଟେଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନିମନ୍ତେ କୋଠା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଖର୍ଚ୍ଚ ନହୋଇ ପଡ଼ି ରହୁଛି। ଏ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୦୯ ମସିହାରୁ କୋଠା ନିର୍ମାଣ ପାଇଁ ସାଢ଼େ ୭୫ କୋଟିରୁ ଅଧିକ ଟଙ୍କା ଅନୁଦାନ ଆସିଥିଲା। ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ସେହିଭଳି ୨୫ରୁ ଅଧିକ କୋଠା ଅସମ୍ପୂର୍ଣ୍ଣ ଥିବାରୁ ହସ୍ତାନ୍ତର ହୋଇପାରୁ ନାହିଁ। କେବିକେ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଆରଡିଏ, ଆଇଟିଡିଏ ଓ ପୂର୍ତ୍ତ ବିଭାଗକୁ ଆସୁଥିବା ଅନୁଦାନ ବିଭାଗୀୟ ଅପାରଗତା ଯୋଗୁଁ ଖର୍ଚ୍ଚ ହେଉ ନଥିବା ନେଇ ସଚେତନ ମହଲରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୨୦୦ ଓ ୧୦୦ ଶଯ୍ୟା ବିଶିଷ୍ଟ ୧୦୬ଟି ହଷ୍ଟେଲ ନିର୍ମାଣ ପାଇଁ ବିଭିନ୍ନ କଲେଜ ଓ ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଥିଲା। ୧୦୬ଟି ହଷ୍ଟେଲ ପାଇଁ ୭୫ କୋଟି ୪୪ ଲକ୍ଷ ୫୨ ହଜାର ଟଙ୍କା ଡିଆରଡିଏ, ଆଇଟିଡିଏ ଓ ପୂର୍ତ୍ତ ବିଭାଗକୁ ଅନୁଦାନ ଆସିଥିଲା। ଏବେ ୫ କୋଟି ୯ ଲକ୍ଷ ୩ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି।
ଆଇଟିଡିଏ ବିଭାଗ ପକ୍ଷରୁ ୬୯ଟି କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିବା ବେଳେ ୬୭ଟି କୋଠା ସମ୍ପୂର୍ଣ୍ଣ ହୋଇଛି। ସେଥି ମଧ୍ୟରୁ ୨ଟି କୋଠା ଅସମ୍ପୂର୍ଣ୍ଣ ଥିବା ବେଳେ ୬୦ଟି କୋଠା କାର୍ଯ୍ୟକ୍ଷମ ହୋଇଛି। ୭ଟି କୋଠା ହସ୍ତାନ୍ତର ହୋଇ ନାହିଁ। ଡିଆରଡିଏ ପକ୍ଷରୁ ୨୪ ଟି କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିବା ବେଳେ ୨୧ଟି କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ୩ ଟି ନିର୍ମାଣଧୀନ ରହିଛି, ୧୭ଟି କାର୍ଯ୍ୟକ୍ଷମ ହୋଇଛି ଓ ୪ଟି ହସ୍ତାନ୍ତର ହୋଇ ନାହିଁ।
ସେହିଭଳି ପୂର୍ତ୍ତ ବିଭାଗ ପକ୍ଷରୁ ୧୩ଟି କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିବା ବେଳେ ୧୩ ଟି ସମ୍ପୂର୍ଣ୍ଣ ହୋଇଛି, ୪ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୯ଟି କୋଠା ହସ୍ତାନ୍ତର ହୋଇ ନାହିଁ। ଜିଲ୍ଲାରେ ଏହି ୩ଟି ବିଭାଗ ଅଧୀନରେ ୧୦୬ଟି କୋଠା ପାଇଁ ଅନୁଦାନ ଆସିଥିବା ବେଳେ ୧୦୧ଟି କୋଠା ସମ୍ପୂର୍ଣ୍ଣ ହୋଇଛି। ୫ଟି କୋଠା ନିର୍ମାଣାଧୀନ ଥିବା ବେଳେ ୮୧ଟି କୋଠା କାର୍ଯ୍ୟକ୍ଷମ ହୋଇଛି ଓ ୨୦ ଟି ହସ୍ତାନ୍ତର ହୋଇ ନାହିଁ।
ଏ ନେଇ ପିଏ ଆଇଟିଡଏ ବିରଞ୍ଚି ନାରାୟଣ ଦରୱାନଙ୍କୁ ପଚାରିବାରୁ ବାରମ୍ବାର ଠିକାଦାର ଓ ସଂସ୍ଥାକୁ ନୋଟିସ ପ୍ରଦାନ କରି ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିଭଳି ସମ୍ପୂର୍ଣ୍ଣ ହୋଇଥିବା କୋଠା ଗୁଡିକରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ରଖିବାକୁ ଡିଇଓ ଓ ଡିଡବ୍ଲୁଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ଜିଲ୍ଲାପାଳ ଡ. ଭାଗାଲି ପରାଗ ହର୍ଷଦ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଅସମ୍ପୂର୍ଣ୍ଣ ହଷ୍ଟେଲ ଗୃହ ନିର୍ମାଣ ପାଇଁ ସମୀକ୍ଷା ହୋଇଛି। ବିଭିନ୍ନ ଅସୁବିଧା ଯୋଗୁଁ ବିଳମ୍ବ ହେଉଥିବାରୁ ପଦକ୍ଷେପ ନିଆଯାଉଛି। ଫଳରେ ଧୀରେ ଧୀରେ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ହସ୍ତାନ୍ତର ହେବାରେ ଲାଗିଛି। ସେହିଭଳି ବିଭିନ୍ନ କୋଠାର ଅଗ୍ରଗତି ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି।