ସେଲ୍ଫ ଫାଇନାନ୍ସିଂ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ମନା

ଭୁବନେଶ୍ବର : ରେଗୁଲାର ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ହଷ୍ଟେଲରେ ସିଟ୍‌ ଦିଅ। ଯେଉଁମାନେ ସେଲ୍ଫ-ଫାଇନାନ୍ସ ମୋଡ୍‌ରେ ପଢ଼ୁଛନ୍ତି ସେମାନଙ୍କୁ ହଷ୍ଟେଲ୍‌ରେ ସିଟ୍‌ ଦିଅ ନାହିଁ। ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ରେଗୁଲାର ପିଲାଙ୍କୁ ସିଟ୍‌ ବଣ୍ଟନ ପରେ ଯଦି ବଳକା ରହିବ, ତେବେ ସେଲ୍ଫ-ଫାଇନାନ୍ସ ଛାତ୍ରଛାତ୍ରୀଙ୍କୁ ଦିଆଯାଇପାରେ। ନୂତନ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳସଚିବ ଓ ଡିଗ୍ରି କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଏଭଳି ନିର୍ଦେଶ ଦେଇଛନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ କେତେକ ବିଶ୍ବବିଦ୍ୟାଳୟ ଓ କଲେଜ କର୍ତୃପକ୍ଷ ରେଗୁଲାର ପିଲାଙ୍କ ଫି’ ଆଧାରରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସିଟ୍‌ରେ ଯୋଗାଇ ଦେଉଥିବା ଉଚ୍ଚଶିକ୍ଷା ବିଭାଗ ନଜରକୁ ଆସିଛି। ଏଭଳି ବ୍ୟବସ୍ଥାକୁ ବନ୍ଦ କରାଯାଉ ଓ ଆଗକୁ ଯେମିତି ଏଭଳି ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଅ ବୋଲି ଚିଠିରେ ଲେଖିଛନ୍ତି। ଅଗ୍ରାଧିକାର ଭିତ୍ତିରେ ନିୟମିତ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ସିଟ୍‌ ଦିଆଯାଉ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଯଦି ସିଟ୍‌ ବଳକା ରୁହେ, ତେବେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ କଥାକୁ ବିଚାରକୁ ନିଆଯାଇପାରେ। ଏହି ବିଜ୍ଞପ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର