ଭୁବନେଶ୍ବର: ଭୁବନେଶ୍ବରର ଛାତିରେ ଠିଆ ହୋଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏବେ ଚର୍ଚ୍ଚାରେ। କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ପ୍ରବେଶ ଓ ହଷ୍ଟେଲରେ ରହିବା ନେଇ ଏବେ ଚର୍ଚ୍ଚାରେ ରହିଛି ବିଶ୍ବବିଦ୍ୟାଳୟ। ଏନେଇ ଦୀର୍ଘ ଦିନ ହେଲାଣି ଅଭିଯୋଗ ହୋଇଆସୁଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କ୍ୟାମ୍ପସକୁ କିଭଳି ଅଣଛାତ୍ର ମୁକ୍ତ କରାଯିବ ସେନେଇ ସରକାର ଅଣ୍ଟା ଭିଡିଛନ୍ତି। ଆଜି ବାଣୀବିହାର ବା ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଚଢ଼ଉ ଆରମ୍ଭ କରିଛି କମିସନରେଟ୍ ପୁଲିସ୍। ବିଭିନ୍ନ ଛାତ୍ରାବାସର କୋଠରୀର ତାଲା ଭାଙ୍ଗି ପୁଲିସ୍ ତଲାସି ନେଉଛି । ଦିନ ୧୦.୩୦ ପରଠାରୁ ବିଭିନ୍ନ ହଷ୍ଟେଲରେ ପୁଲିସ ଛାପା ମାରୁଥିବା ଜଣାଯାଇଛି । ୧, ୨, ୩ ଓ ୫ ନଂ ହଷ୍ଟେଲରୁ ଅଣଛାତ୍ର ବିଦା ହେବେ ବୋଲି ସୂଚନା ମିଳିଛି ।
ଏହି ଅଭିଯାନ ଉପରେ ପ୍ରତିକ୍ରିୟା ଦେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, "ବାଣୀବିହାର ବିଶ୍ବବିଦ୍ୟାଳୟରୁ ଅଣଛାତ୍ରଙ୍କୁ ବାହାର କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଅଣଛାତ୍ର ଯେମିତି କ୍ୟାମ୍ପସ ଭିତରକୁ ଆସି ହଷ୍ଟେଲରେ ନରହିବେ ତା’ର ତଦାରଖ କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଣଛାତ୍ରଙ୍କ ପାଇଁ ବିଶ୍ବବିଦ୍ୟାଳୟର ରାଙ୍କିଙ୍ଗ କମୁଥିଲା। ଏବେ ଏହାର ସମାଧାନ ପାଇଁ ଆମେ ଅଣ୍ଟା ଭିଡିଛୁ। ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିବା ପାଇଁ ପୁଲିସର ୮ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏ ଅଭିଯାନରେ ସମସ୍ତଙ୍କ ସହଯୋଗ ରହିବା ଦରକାର। ନାଲିଆଖି ଦେଖାଇଲେ ହେବନି। ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେଉଁମାନେ ଅଣଛାତ୍ର ସେମାନେ ହଷ୍ଟେଲ ଛାଡ଼ି ଦିଅନ୍ତୁ। ଶିକ୍ଷାନୂକୁଳ ବାତାବରଣ କେମିତି ତିଆରି ହେବ ସେନେଇ ସମସ୍ତେ ଚେଷ୍ଟା କରନ୍ତୁ। ଏବେ ପୁଲିସ ହଷ୍ଟେଲକୁ ଫାଙ୍କା କରି ସିଲ୍ କରିବ। ତା’ପରେ ମରାମତି କରି ଛାତ୍ରମାନଙ୍କୁ ଦିଆଯିବ। ଯାହା ନିୟମ ଅଛି ସେଇ ଅନୁସାରେ ଆମେ କାମ କରିବୁ।"