ଭୁବନେଶ୍ବର: ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବା ପରେ ଆଜି ହଷ୍ଟେଲ୍ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍କୁଲ୍ ଖୋଲିବା ପରେ ହଷ୍ଟେଲ୍ ନ ଖୋଲିଲେ ସେଥିରେ ରହୁଥିବା ଛାତ୍ରଛାତ୍ରୀମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଗଣଶିକ୍ଷା ବିଭାଗ ନୁହେଁ, ବରଂ ଯେଉଁଠି ଟିଆର୍ଡବ୍ଲୁ ସ୍କୁଲରେ ହଷ୍ଟେଲ୍ ରହିଛି, ସେଗୁଡ଼ିକ ବି ଖୋଲିବ ବୋଲି ସେ କହିଛନ୍ତି। ହଷ୍ଟେଲରେ କିପରି କୋଭିଡ ନିୟମ ପାଳନ କରାଯିବ, ସେଥିପ୍ରତି ଧ୍ୟାନ ଦିଆଯିବ ଏବଂ ଏନେଇ ଖୁବ୍ ଶୀଘ୍ର ନୂଆ ଏସ୍ଓପି ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ ତାରିଖରୁ ସ୍କୁଲ୍ ଖୋଲିବାକୁ ଗତକାଲି ସରକାର ଘୋଷଣା କରିଥିଲେ। ଆଉ ଆଜି ହଷ୍ଟେଲ ଖୋଲିବା ନେଇ ଘୋଷଣା କରିଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ। ଆସନ୍ତା ମେ’ ମାସରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବାକି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢ଼ା ଜାରି ରହିବ।