ସମ୍ବଲପୁର/ଝାରସୁଗୁଡ଼ା: ଗୁରୁବାର ସକାଳ ୯ଟାରେ ବିଜେଡି ନେତା ବିଶାଳ ଦାସଙ୍କ ସମ୍ବଲପୁର ଭାଲୁପାଲିସ୍ଥିତ ହୋଟେଲ ଡି’ ଲାଉଞ୍ଜ୍‌ରେ ଝାରସୁଗୁଡ଼ା ପୁଲିସ ଚଢ଼ଉ କରିଥିବା ବେଳେ ଏହାକୁ ନେଇ ଶ୍ରୀ ଦାସ ଉତ୍ତରାଞ୍ଚଳ ଆଇଜି ‌ହିମାଂଶୁ ଲାଲଙ୍କ ଦ୍ବାରସ୍ଥ‌ ହୋଇଛନ୍ତି। ‘ସର୍ଚ ୱାରେଣ୍ଟ’ ନଥାଇ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଆଇଆଇସି ଚଢ଼ଉ କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଦାସ କହିଛନ୍ତି। ଆଇଜିଙ୍କୁ ଭେଟିବା ପରେ ବିଜେଡି ନେତା ବିଶାଳ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ପୁଲିସକୁ ଦେଖିଲେ ମତେ ଡର ଲାଗୁଛି। ୨୯ ଜାନୁଆରି ୨୦୨୩ରେ ପୁଲିସ ଗୁଳିରେ ମୋର ପିତା ତଥା ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ସର୍ଚ ୱାରେଣ୍ଟ ନଥାଇ ବ୍ୟକ୍ତିଗତ ମାଲିକାନାରେ ଥିବା ମୋର ହୋଟେଲରେ ଚଢ଼ଉ କରାଯାଇଥିଲା। ଜୋରଜବରଦସ୍ତି ସବୁ କକ୍ଷ ଓ କଲ୍ୟାଣ ମଣ୍ଡପ ଖୋଲିବାକୁ କୁହାଯାଇଥିଲା। ପୁଲିସ ସହିତ ଥିବା ହାପ୍‌ ପ୍ୟାଣ୍ଟ ପିନ୍ଧା ବ୍ୟକ୍ତି ଜଣକ କିଏ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଶ୍ରୀ ଦାସଙ୍କ ସହିତ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ରାଜ୍ୟ ବିଜେଡି ସଂପାଦକ ସଞ୍ଜିତ ମହାନ୍ତି, ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ତାପସ ରାୟ ଚୌଧୁରୀ ଆଇଜିଙ୍କୁ ଭେଟିଥିଲେ। ଅପରପକ୍ଷରେ ଏ ସଂକ୍ରାନ୍ତରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ତଦନ୍ତର ଏକ ଅଂଶବିଶେଷ। ଠିକ୍ ସମୟରେ ସୂଚନା ଦିଆଯିବ। ଆଇନ ଅନୁଯାୟୀ ଚଢ଼ଉ ହୋଇଛି ବୋଲି ସେ କହିଛନ୍ତି। 

Advertisment

ପୁଲିସକୁ ଦେଖିଲେ ଡର ଲାଗୁଛି: ବିଶାଳ
ଆମ ଜୀବନ ପ୍ରତି ବିପଦ ରହିଛି: ଦୀପାଳି
ଚଢ଼ଉ ପଛରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ!

ସେପଟେ ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଲଇକେରା ପୁଲିସ୍‌ ଗୁଣ୍ଡା ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ମୋ ଭାଇ ବିଶାଳ ଦାସଙ୍କ ହୋଟେଲ୍‌ ଡି-ଲାଉଞ୍ଜ୍‌ରେ ବିନା ସର୍ଚ ୱାରେଣ୍ଟରେ ଅନଧିକାର ପ୍ରବେଶ କରିଛି। ଲଇକେରା ଥାନା ଅଧିକାରୀ ଦିଲୀପ ବେହେରା ଗୁଣ୍ଡା ବ୍ୟକ୍ତିଙ୍କୁ ନେଇ ହୋଟେଲକୁ ଯିବା ଓ ସେଠାରେ ତଲାସି କରିବାର ସମସ୍ତ ରେକର୍ଡ ସିସିଟିଭି କ୍ୟାମେରାରେ ରହିଛି। ୨ ବର୍ଷ ତଳେ ଜିଲ୍ଲାର ଜଣେ ପୁଲିସ୍‌ ମୋର ବାପା ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆଜିର ଏହି ଘଟଣା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହି ସମସ୍ତ ଘଟଣାବଳୀର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୁଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କିର୍ମିରା ବ୍ଲକ୍‌ ବିଜେଡି ସଭାପତି ଚୂଡ଼ାମଣି ସାହୁ, ଜଗନ୍ନାଥ ଜେନା, ସମିତିସଭ୍ୟା ସବିତା ଅଗ୍ରୱାଲ, ମଳୟ ସାହୁ ଉପସ୍ଥିତ ଥିଲେ। ତେବେ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆସନ୍ତାକାଲି ଭୋଟିଂ ହେବ। ଏହାକୁ ଆଖି ଆଗରେ ରଖି ପୁଲିସ୍‌ ଅଜ୍ଞାତବାସରେ ଥିବା ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଖୋଜିବା ପାଇଁ ଏହି ହୋଟେଲରେ ଚଢ଼ଉ କରିଥିବା ସୂଚନା ମିଳିଛି। ବିଜେଡି ସମର୍ଥିତ ସମତିସଭ୍ୟଙ୍କ ସମର୍ଥନରେ କୃଷ୍ଣପ୍ରିୟା ପଞ୍ଚାୟତ ସମିତି ଅଧ୍ୟକ୍ଷା ହୋଇଥିବା ବେଳେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ସେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅନୁଗତ ହୋଇଥିବା ଜଣାପଡ଼ିଛି। ପଟ୍ଟ ପରିବର୍ତ୍ତନ ଯୋଗୁ ବିଜେଡି ସମର୍ଥିତ ସମିତି ସଭ୍ୟମାନେ ତାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିଛନ୍ତି।