ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିବାନ୍ଧି ଯିବାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ତମ୍ବୁ ବନ୍ଧାଯାଇଛି। ମାତ୍ର ଭକ୍ତଙ୍କ ସଂଖ୍ୟା ବଢ଼ିଲେ ଖାଲି ପାଦରେ ବଡ଼ଦାଣ୍ଡରେ ଧାଡ଼ିବାନ୍ଧି ତମ୍ବୁ ପାଖରେ ପହଞ୍ଚିବା ଯନ୍ତ୍ରଣା ଦେଉଛି। ତେବେ ଦର୍ଶନ ପରେ ଅନ୍ୟ ତିନି ଦ୍ବାର ଦେଇ ଜୋତା ଷ୍ଟାଣ୍ଡ ପର୍ଯ୍ୟନ୍ତ ଫେରିବା ବେଳକୁ ନାକେଦମ ହେଉଛନ୍ତି ଭକ୍ତ। ଅସହ୍ୟ ତାପମାତ୍ରା ଯୋଗୁ ରାସ୍ତା ତାତିଯାଉଥିବା ବେଳେ ରଡ଼ ନିଆଁରେ ଚାଲିବା ଭଳି ଲାଗୁଛି। ବେଳେବେଳେ ଭକ୍ତଙ୍କୁ କଲବଲ ହେଉଥିବା ଦେଖି ଅଗ୍ନିଶମ ବାହିନୀ ପକ୍ଷରୁ ବଡ଼ଦାଣ୍ଡରେ ପାଣି ପକାଯାଉଛି। ମାତ୍ର ଉତ୍ତର କିମ୍ବା ଦକ୍ଷିଣ ଦ୍ବାରରୁ ଜୋତା ଷ୍ଟାଣ୍ଡ ପର୍ଯ୍ୟନ୍ତ ତତଲା ରାସ୍ତାରେ ଚାଲିବା ବେଳେ ପାଦ ପୋଡ଼ି ଯିବା ଭଳି ଲାଗୁଛି ବୋଲି ଭକ୍ତମାନେ ଅଭିଯୋଗ କରିଛନ୍ତି।

Advertisment

publive-image

ଶନିବାର ଓ ରବିବାର ସମେତ ଅନ୍ୟ ଛୁଟିଦିନମାନଙ୍କରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାପକ ସମାଗମ ହେଉଥିବା ବେଳେ ରବିବାର ଦିନ ଭକ୍ତମାନେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। କିଛି ଭକ୍ତ ରାସ୍ତାରେ ଚାଲି ନପାରି ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। କିଛି ଭକ୍ତ ଚାଲିବା ବେଳେ ଯନ୍ତ୍ରଣା ସହିନପାରି ପାଖ ଦୋକାନ ଉପରକୁ ଉଠିଯାଉଥିବା ପରିଲକ୍ଷିତ ହୋଇଛି। ସବୁଠୁ ବେଶି ଦହଗଞ୍ଜ ହେଉଛନ୍ତି କୋମଳମତି ପିଲା ଓ ବରିଷ୍ଠ ନାଗରିକମାନେ। ଗୁରୁତ୍ବପୂ୍ର୍ଣ୍ଣ କଥା ହେଉଛି, ଭକ୍ତମାନଙ୍କ ଜୋତା ରଖିବା ଲାଗି ସିଂହଦ୍ବାର ନିକଟରେ ଜୋତା ଷ୍ଟାଣ୍ଡ ହୋଇଛି। ପ୍ରଶାସନ ପକ୍ଷରୁ ବିନା ଦେୟରେ ଏହି ବ୍ୟବସ୍ଥା ହୋଇଥିବାରୁ ଅଧିକାଂଶ ଲୋକ ଜୋତା ରଖି ସିଂହଦ୍ବାର ଦେଇ ମନ୍ଦିରକୁ ଯାଉଛନ୍ତି। ‌ଜୋତା ଷ୍ଟାଣ୍ଡଠାରୁ ମାତ୍ର ଅଳ୍ପ କିଛି ଦୂରରେ ତମ୍ବୁ ଥିବାରୁ ଶ୍ରୀମନ୍ଦିରକୁ ସିଂହଦ୍ବାର ଦେଇ ପ୍ରବେଶରେ ସେପରି ସମସ୍ୟା ଉପୁଜୁ ନାହିଁ। ତେବେ ଛୁଟିଦିନମାନଙ୍କରେ ବହୁ ଭକ୍ତ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଧାଡ଼ି ଯଦି ତମ୍ବୁ ପାର୍‌ ହୋଇ ବଡ଼ଦାଣ୍ଡ ଆଡ଼କୁ ଲମ୍ବୁଛି ତେବେ ଖାଲିପାଦରେ ଛିଡ଼ା ହେବା ସମ୍ଭବ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ ସହାୟତାରେ ଲୋକେ ଧାଡ଼ି ବାନ୍ଧୁଥିବା ସ୍ଥାନରେ ଜଳ ସିଞ୍ଚନ କରାଯାଇଥିଲା। ମାତ୍ର ଅନ୍ୟ ତିନି ଦ୍ବାର ଦେଇ ଫେରୁଥିବା ଭକ୍ତଙ୍କ ଲାଗି କୌଣସି ବ୍ୟବସ୍ଥା କରାଯାଇନାହିଁ।

publive-image

ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରୁଥିବା ବେ‌ଳେ ଅନ୍ୟ ତିନି ଦ୍ବାର ଦେଇ ଆସିବାର ନିୟମ କରାଯାଇଛି। ଏହି ‌ବ୍ୟବସ୍ଥା ହିଁ ଭକ୍ତଙ୍କୁ ଅକଳରେ ପକାଉଛି। ଭକ୍ତମାନେ ଅନ୍ତତଃ ଜୋତା ଷ୍ଟାଣ୍ଡ ନିକଟରେ ପହଞ୍ଚିବା ପାଇଁ ୨ଶହ ମିଟର ଅତିକ୍ରମ କରିବାକୁ ପଡ଼ୁଛି। ଶୀତ ଓ ବର୍ଷା ଦିନେ ଯନ୍ତ୍ରଣା ବାଧୁନଥିଲେ ହେଁ ଉତ୍ତାପ ବଢ଼ିଲେ ଭକ୍ତଙ୍କ ଯନ୍ତ୍ରଣା ବଢ଼ିଯାଉଛି। ଭକ୍ତଙ୍କ କହିବା ମୁତାବକ, ଯଦି ଅନ୍ତତଃ ଜୋତା ଷ୍ଟାଣ୍ଡ ପର୍ଯ୍ୟନ୍ତ କାର୍‌ପେଟ ବିଛା ଯାଆନ୍ତା କିମ୍ବା ଖାଲିପାଦରେ ଚାଲିବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇପାରନ୍ତା ତେବେ ଏ ଯନ୍ତ୍ରଣା ଭୋଗିବାକୁ ପଡ଼ନ୍ତା ନାହିଁ। ଯେତେ ପାଣି ପକାଇଲେ ମଧ୍ୟ ତତଲା ରାସ୍ତା ପାଣି ଟାଣି ନେଉଥିବାରୁ ଏଭଳି ବ୍ୟୟବହୁଳ ବ୍ୟବସ୍ଥା ନକରି ଗାଲିଚା ବିଛାଇବାର ବ୍ୟବସ୍ଥା କରାଗଲେ ଲୋକେ ଉପକୃତ ହୁଅନ୍ତେ ବୋଲି ଭକ୍ତମାନେ କହିଛନ୍ତି।