ଭୁବନେଶ୍ବର: ଗତକ‌ାଲି ଭଳି ଆଜି ମଧ୍ୟ ଦିନରେ ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହୋଇଥିଲା। କିନ୍ତୁ ଅପରାହ୍‌ଣ ୩ଟା ବେଳକୁ ପାଗ ବଦଳିଯାଇଥିଲା। ପ୍ରଚଣ୍ଡ ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଅନ୍ୟପଟେ, ଜୁନ୍‌ ୭ରୁ ୧୦ ତାରିଖ ରାଜ୍ୟରେ ଚଳିତ ବର୍ଷର ସବୁଠାରୁ ଉତ୍ତପ୍ତ ଦିନ ହେବ ବୋଲି ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ। ତାଙ୍କ ଆକଳନ କହୁଛି, ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢ଼ିବ। ଜୁନ୍‌ ୭ରେ କେତେକ ସ୍ଥାନର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ୭ରୁ ୧୦ ତାରିଖ ମଧ୍ୟରେ ତାପମାତ୍ରା ପ୍ରାୟ ୪ ଡିଗ୍ରି ବଢ଼ିବ। ଜୁନ୍‌ ୧୦ରୁ ୧୨ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୮ ଡିଗ୍ରି ବା ତା’ଠାରୁ ଅଧିକ ରହିପାରେ। 

Advertisment

ଜୁନ୍‌ ୭ରୁ ୧୦ ହୋଇପାରେ ଚଳିତ ବର୍ଷର ଉତ୍ତପ୍ତ ଦିନ: ପଶୁପାଳକ

ଜୁନ୍‌ ମାସରେ ମୌସୁମୀ ବିଳମ୍ବ ହେଲେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ୨୦୨୩ ଜୁନ୍‌ ୧୨ରେ ରାଜ୍ୟର ୧୬ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିଥିଲା। ସମ୍ବଲପୁରରେ ପାରଦ ୪୫.୬ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ବରରେ ଥିଲା ୪୪.୩ ଡିଗ୍ରି। ଯାହାକି ସ୍ବାଭାବିକ ତାପମାତ୍ରାଠାରୁ ୮.୩ ଡିଗ୍ରି ଅଧିକ। ପୁଣି ୨୦୧୬ ଜୁନ୍‌ରେ ବଲାଙ୍ଗୀର ଓ ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଥିଲା।     କିଛି ମଡେଲ୍‌ ଅନୁସାରେ, ଜୁନ୍‌ ୧୧ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଉପକୂଳ ଓଡ଼ିଶାରେ ତାପମାତ୍ରା ୧୧ ତାରିଖରୁ ଓ ଆଭ୍ୟନ୍ତରରେ ୧୩ ତାରିଖରୁ କମିବ। ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି, ବର୍ତ୍ତମାନ ଉତ୍ତର-ପୂର୍ବାଞ୍ଚଳ, ନେପାଳ, ସିକିମ୍‌, ଉତ୍ତର ବିହାର ଆଦି ଅଞ୍ଚଳରେ ବର୍ଷା ହେବ। ଅବଶିଷ୍ଟ ଭାରତରେ କାଁ ଭାଁ ବର୍ଷା ଦେଖାଯିବ। ମହାରାଷ୍ଟ୍ର ଓ ଓଡ଼ିଶା ଭଳି ରାଜ୍ୟରେ ଏହି ମୌସୁମୀ ବିରତି ସମୟରେ ଉପରବେଳା ଘଡ଼ଘଡ଼ି ସହ ବର୍ଷା ହୋଇଥାଏ। ବାୟୁମଣ୍ଡଳରେ ପ୍ରଚୁର ପରିମାଣର ଜଳୀୟବାଷ୍ପ ରହୁଥିବାରୁ ଆର୍ଦ୍ରତା ୮୦%ରୁ ଅଧିକ ରୁହେ। ଫଳରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହୁଏ।