୪ ବର୍ଷରେ ୮୦ ହାତୀଙ୍କୁ ତତଲା ବର୍ଚ୍ଛା ଚେଙ୍କ

ଘଉଡ଼ାଇବାକୁ ଝାଡ଼ଖଣ୍ଡରୁ ଭଡ଼ାରେ ଆସୁଛନ୍ତି, ସବୁ ଜାଣି ନିରବଦ୍ରଷ୍ଟା ସାଜିଛି ବନ ବିଭାଗ

କୁତ୍ରା, (ରାଜେଶ ସାହୁ): ବର୍ଷ ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ହାତୀ-ମଣିଷ ଲଢ଼େଇ। ମଣିଷ ଜଙ୍ଗଲରେ ପଶୁଛି, ଗଛ କାଟୁଛି, ଜୀବଜନ୍ତୁ ଶିକାର କରୁଛି, ଖଣି ଖୋଳୁଛି। ବାସହରା ହାତୀ ଜନବସତି ମୁହାଁ ହେଉଛନ୍ତି। ଫସଲ ନଷ୍ଟ କରୁଛନ୍ତି। ଘର ଭାଙ୍ଗୁଛନ୍ତି। ଚାଷୀଙ୍କର ବର୍ଷକର ଫସଲକୁ ନିମିଷକରେ ଉଜାଡ଼ି ଦେଉଛନ୍ତି। ଏହି ଲଢ଼େଇ ଦିନକୁ ଦିନ ଅଧିକ ଉଗ୍ରରୂପ ନେଉଛି। କେତେବେଳେ ହାତୀ ପାଦତଳେ ମଣିଷ ଜୀବନ ଯାଉଛି ତ କେତେବେଳେ ମଣିଷର ଗୁଳି ଓ ତୀରରେ ହାତୀ ଜୀବନ ଦେଉଛନ୍ତି। ଏହା ସହିତ ହାତୀଙ୍କୁ ଦୂରେଇ ରଖିବାର ଆଉ ଗୋଟିଏ ବେଆଇନ ଓ ଅମାନୁଷିକ ଉପାୟ ଅଛି – ‘ଚେଙ୍କ’।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ ବଡ଼ଗାଁ ଓ ରାଜଗାଙ୍ଗପୁର ବନାଞ୍ଚଳରେ ପ୍ରତିବର୍ଷ ଆରମ୍ଭରୁ ହାତୀ ଉତ୍ପାତ ସୃଷ୍ଟି କରନ୍ତି। ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ହାତୀପଲ ବିଭିନ୍ନ କାରଣରୁ ଜଙ୍ଗଲ ଛାଡ଼ି ମହାବୀରି ପର୍ବତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟପକ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗିବା ଘଟଣା ନିୟମିତ ଘଟେ। କ୍ରମାଗତ ଭାବେ ହାତୀ ଉତ୍ପାତ ବଢୁଥିବା କାରଣରୁ ଲୋକେ ବିପୁଳ କ୍ଷତି ସହିବା ସହ ଅନେକ ସ୍ଥଳରେ ସର୍ବସ୍ବାନ୍ତ ହେଉଛନ୍ତି। ଏତେ ସବୁ ଘଟଣା ଘଟୁଥିଲେ ହେଁ ବନବିଭାଗ ଏହି ଅଞ୍ଚଳରେ ହାତୀ ଘଉଡ଼ାଇବାକୁ ସଂପୂର୍ଣ୍ଣରୂପେ ବିଫଳ ହୋଇଛି। ଏଭଳି ସ୍ଥିତିରେ କ୍ରମାଗତ ହାତୀ ଆକ୍ରମଣରୁ ଗାଁ ଓ ଗାଁ ନିକଟବର୍ତୀ ଚାଷଜମିଗୁଡ଼ିକୁ ରକ୍ଷା କରିବା ପାଇଁ ସ୍ଥାନୀୟ ଲୋକେ ଏକ ନିଆରା ଉପାୟ ଆପଣେଇବାକୁ ବାଧ୍ୟ ହେଉଛନ୍ତି। ଗାଁଲୋକେ ଚାନ୍ଦା ଅସୁଲ କରି ଝାଡଖଣ୍ଡ ରାଜ୍ୟର ସିମଡେଗା ଅଞ୍ଚଳରୁ ପେଷାଦାର ହାତୀ ଘଉଡ଼ାଳିଙ୍କୁ ଆଣି ହାତୀ ଘଉଡ଼େଇବା ପାଇଁ ଚେଷ୍ଟା କରୁଛନ୍ତି। ଝାଡଖଣ୍ଡର ଏହି ହାତୀ ଘଉଡ଼ାଳିମାନେ ଥରକେ ୧୦ରୁ ୧୫ ଜଣ ଆସି ଏ ବାବଦରେ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ପାଉଣା ନେଇ ବର୍ଚ୍ଛା ଓ ନିଆଁହୁଳା ସାହାଯ୍ୟରେ ହାତୀଙ୍କୁ ଘଉଡ଼ାଇଥାନ୍ତି। ସେମାନେ ପ୍ରଥମେ ବର୍ଚ୍ଛାକୁ ନିଆଁହୁଳାରେ ଗରମ କରନ୍ତି; ତା’ପରେ ହାତୀ ପାଖକୁ ଯାଇ ତାହାକୁ ହାତୀ ଉପରକୁ ଫିଙ୍ଗି ହାତୀ ଦେହରେ ଚେଙ୍କ ଦିଅନ୍ତି। ଯାହାଦ୍ବାରା ହାତୀ ଗୁରୁତର ଭାବେ ଆହତ ହୋଇ ସେ ଅଞ୍ଚଳକୁ ଗୋଟିଏ ମାସରୁ ଊର୍ଦ୍ଧ୍ବ ସମୟ ଧରି ଆଉ ଆସନ୍ତି ନାହିଁ। ଏଭଳି ହାତୀ ଘଉଡ଼ାଇବାରେ ବେଳେ ଅଧିକାଂଶ ସ୍ଥଳରେ ହାତୀ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଘାଆ ହୋଇ ପଚିଯାଏ ଓ ପୋକ ମଧ୍ୟ ହୋଇ ଯାଆନ୍ତି। ତା’ର ଜୀବନ ସଂକଟାପନ୍ନ ହୋଇଯାଏ। ଜଙ୍ଗଲରେ ହାତୀ ଆହତ ହୋଇ ମୃତ୍ୟୁବରଣ କରିବା ପଛରେ ଏହା ଏକ ମୁଖ୍ୟ କାରଣ ଥାଏ। କିନ୍ତୁ ଏହି ପ୍ରସଙ୍ଗ ଲୋକଲୋଚନ ଆଢ଼ୁଆଳରେ ରହିଯାଏ।

ଏଭଳି ହାତୀ ଘଉଡେଇବାର ରୀତି କିଛି ବର୍ଷ ହେବ କୁତ୍ରା, ବଡଗାଁ ଓ ରାଜଗାଙ୍ଗପୁର ବନାଞ୍ଚଳରେ ଜାରି ରହିଛି। ପ୍ରତି ବର୍ଷ ପାଖାପାଖି ୨୦ ହାତୀ ଏହିଭଳି ଭାବେ ଚେଙ୍କ ଖାଆନ୍ତି। ଏକ ହିସାବ ଅନୁସାରେ, ଗତ ୪ ବର୍ଷରେ ପାଖାପାଖି ୮୦ରୁ ଅଧିକ ହାତୀ ଚେଙ୍କ ଖାଇ ସାରିଲେଣି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ବନବିଭାଗ ଏହି ବିଷୟରେ ଅବଗତ ଥାଇ ମଧ୍ୟ ନିରବ ରହିଛି। ହାତୀମାନଙ୍କୁ ଘଉଡ଼ାଇବାରେ ନିଜର ଅକ୍ଷମତା ପାଇଁ ହୁଏତ ବିଭାଗ ଏଭଳି ନିରବତା ଅବଲମ୍ବନ କରୁଛି। କିନ୍ତୁ ଏହି ଅମାନବୀୟ ଅତ୍ୟାଚାର ହାତୀଙ୍କୁ ସାମୟିକ ଭାବେ ଶାନ୍ତ ଓ ଭୟାତୁର କରୁଥିଲେ ମଧ୍ୟ ସେମାନଙ୍କୁ ଅଧିକ ହିଂସ୍ର କରୁଛି। ସ୍ଥଳବିଶେଷରେ ସେମାନଙ୍କ ମୃତ୍ୟୁର କାରଣ ମଧ୍ୟ ପାଲଟୁଛି।

ସମ୍ବନ୍ଧିତ ଖବର