ପାରଳାଖେମୁଣ୍ଡି: ଗତ ୧୫ ଦିନ ହେଲା ପାରଳା ସହର ତାପମାତ୍ରା ହାରାହାରି ୪୦ରୁ ୪୨ ଡିଗ୍ରି ରହୁଛି। ପ୍ରଚଣ୍ଡ ତାତିରେ ଗଜପତି ଜିଲ୍ଲା ସିଝୁଛି। ପରିବେଶବିତ୍‌ ମହଲରେ ଚଳିତ ବର୍ଷ ଏକ ଉଦ୍‌ବେଗଜନକ ପ୍ରତିକ୍ରିୟା ଦେଖାଦେଇଛି, ତାହା ହେଲା ପ୍ରଥମ ଥର ଗଣ୍ଡାହାତୀ ଜଳପ୍ରପାତରୁ ଜଳ ଝରୁନାହିଁ। ଜଳଧାରା ଶୁଖି ଯାଇଥିବା ଦେଖିବାକୁ ମିଳିଛି। ସେପଟେ, ଜିଲ୍ଲାର ଦୁଇଟି ପ୍ରମୁଖ ନଦୀ ବଂଶଧାରା ଏବଂ ମହେନ୍ଦ୍ରତନୟା ନଦୀଶଯ୍ୟା ମଧ୍ୟ ବହୁଦିନ ହେଲା ଶୁଷ୍କ ପଡ଼ିଛି। ପାରଳାଖେମୁଣ୍ଡି ସହର ଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ଗଣ୍ଡାହାତୀ ଜଳପ୍ରପାତ ଅତ୍ୟନ୍ତ ଆକର୍ଷଣୀୟ। ବର୍ଷସାରା ଏଠା‌ରେ ପାହାଡ଼ ଉପର ଝରଣାରୁ ପାଣି ଝରୁଥାଏ। ଗ୍ରୀଷ୍ମରେ ସାଧାରଣତଃ ଜଳଧାରାର ବେଗ ସାମାନ୍ୟ କମିଯାଏ। ଏଥର କିନ୍ତୁ ଜଳପ୍ରପାତରୁ ଜଳଧାରା ସଂପୂର୍ଣ୍ଣ ବନ୍ଦ ହୋଇଯିବା ବଡ଼ ବ୍ୟତିକ୍ରମ। ମହେନ୍ଦ୍ରଗିରି ଶିଖରରୁ ସୃଷ୍ଟି ବଡ଼ ଝରରୁ ପ୍ରବାହିତ ହୁଏ ମହେନ୍ଦ୍ରତନୟା ନଦୀର ଜଳ ଏବଂ ଏହି ଜଳ ଅନ୍ୟ ଏକ ପାର୍ଶ୍ବ ଦେଇ ପାହାଡ଼ ଉପରୁ ତଳକୁ ପ୍ରବାହିତ ହୁଏ, ଯାହା ଗଣ୍ଡାହାତୀ ଜଳପ୍ରପାତ ନାମରେ ସୁଖ୍ୟାତି ଅର୍ଜନ କରିଛି। ଏହି ଜଳପ୍ରପାତର ପାଣି ଉପରେ ନିର୍ଭର କରନ୍ତି ଗଣ୍ଡାହାତୀ ସମେତ ଅଡ଼ାସିଂ ଛକ ପର୍ଯ୍ୟନ୍ତ ଅଞ୍ଚଳ ବାସିନ୍ଦା। ଜଳପ୍ରପାତରୁ ପାଣି ଝରିବା ପରେ ଏକ ସ୍ୱତନ୍ତ୍ର ପ୍ରାକୃତିକ କେନାଲ ଦେଇ ଏହି ଜଳ ପୁଣି ତଳମୁଣ୍ଡରେ ମହେନ୍ଦ୍ରତନୟା ନଦୀ ସହିତ ସଂଯୁକ୍ତ ହୋଇଛି। ଇତିହାସରେ ପ୍ରଥମ ଥର ପାଇଁ ଗଣ୍ଡାହାତୀ ଜଳପ୍ରପାତରେ ପାଣି ନ ଝରିବା ଦୃଶ୍ୟ ପରିବର୍ତ୍ତିତ ଜଳବାୟୁ ଜନିତ କାରଣ ବୋଲି ଆଲୋଚନା ହେଉଛି।

Advertisment

ଅଞ୍ଚଳବାସୀଙ୍କ କହିବା ଅନୁସାରେ, ସେମ‌ାନେ କେବେ ହେଲେ ଏଭଳି ଦେଖିନାହାନ୍ତି। କିନ୍ତୁ, ଉପରମୁଣ୍ଡରେ ଲମ୍ବା ସମୟ ଧରି ବର୍ଷା ନଥିବା ହେତୁ ବୋଧହୁଏ ଭୂତଳ ଜଳସ୍ତର ହ୍ରାସ ପାଇଛି। ଏଣୁ ଏହାର ପ୍ରଭାବ ପଡ଼ିଛି ଗଣ୍ଡାହାତୀ ଜଳପ୍ରପାତ ଉପରେ। ଅନ୍ୟପଟେ ଏହା ଋତୁ ପରିବର୍ତ୍ତନର ଏକ ସଂକେତ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଅବାଧ ଜଙ୍ଗଲ କଟା, ପାହାଡ଼ିଆ ଅଞ୍ଚଳରେ କାଜୁ ଚାଷ, ପଲିଥିନ ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର, ଭୋଜିଭାତ କରି ପରିବେଶ ଦୂଷିତକରଣ ଆଦି ଏହି ଅଞ୍ଚଳର ବିବିଧତାକୁ ନଷ୍ଟ କରୁଥିବା ବେଳେ ବର୍ତ୍ତମାନ ଖରାଦି‌ନରେ ପର୍ଯ୍ୟଟକଙ୍କ ଆଗମନ ଶୂନ। ତେବେ, ଗଣ୍ଡାହାତୀ ଜଳପ୍ରପାତ ଶୁଖିଯିବା ପରେ ଏଭଳି ଜଳାଭାବ ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ଆହୁରି କଲବଲ କରିବ କି ବୋଲି ଆଲୋଚନା ହେଉଛି।