ବଢ଼ିବ ଦିନର ତାତି

ଭୁବନେଶ୍ୱର : ଏଣିକି ବଢ଼ିବ ଦିନର ତାପମାତ୍ରା। ଆଉ ପ୍ରାୟତଃ ଥଣ୍ଡା ଅନୁଭୂତ ହେବ ନାହିଁ। କାଁ ଭାଁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିବ। ଜାନୁଆରି ୩୧ ତାରିଖ ବେଳକୁ ସାରା ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯିବ। ଏହି ସମୟରେ ରାତିର ତାପମାତ୍ରା ହ୍ରାସ ପାଇବ। ଅଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ। ଉପକୂଳ ଓଡ଼ିଶାରେ କିନ୍ତୁ ଘନ କୁହୁଡ଼ି ଜାରି ରହିବ। ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁ ପୂର୍ବାନୁମାନ କରିଛନ୍ତି ଯେ ୨୮ ତାରିଖ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓଡ଼ିଶାରେ କୌଣସି ପରିବର୍ତନ ହେବ ନାହିଁ। ପୂର୍ବଭଳି ଗୋଟିଏ ଦୁଇଟି ସ୍ଥାନରେ ଥଣ୍ଡା ଜାରି ରହିବ। ପାଗ ଶୁଖିଲା ରହିବ। ଉପକୂଳରେ କିନ୍ତୁ କୁହୁଡ଼ି ବଢ଼ିବ। ଜାନୁଆରି ୩୧ଠାରୁ ତାପମାତ୍ରା ଧୀରେ ଧୀରେ ବଢ଼ିବ। ଏବେ ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରି ଉପରେ ରହୁଥିବା ବେଳେ ଆଗକୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ।

ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରହିଥିବା ବେଳେ ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ୯, କେନ୍ଦୁଝରଗଡ଼ରେ ୯.୪ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୧୪ ଡିଗ୍ରି ଉପରକୁ ଚାଲିଯାଇଛି। ପୁରୀରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ର୍ରି ରହିଥିଲା। ଅନୁରୂପ ଭାବେ ଭୁବନେଶ୍ୱରରେ ୧୪.୪, ଗୋପାଳପୁରରେ ୧୬.୩, ପାରାଦ୍ୱୀପରେ ୧୬.୬, କଟକରେ ୧୪ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର