ଆମଦାନୀ ନେତାଙ୍କ ସହିତ କର୍ମୀ ଆସିଲେ କି ନାହିଁ ପରୀକ୍ଷା ହେବ
ଚିନ୍ତା ବଢ଼ାଇ ପାରନ୍ତି ସମାନ୍ତରାଳ ସଂଗଠନ କରୁଥିବା ନେତା
ଭୋଟରଙ୍କ ‘କୌଶଳଯୁକ୍ତ ମତଦାନ’ ସମସ୍ୟା ଆଣିପାରେ
ଭୁବନେଶ୍ୱର : କିଛି ନେତା ଇଚ୍ଛାକୃତ ଭାବେ ଦଳ ପରିବର୍ତ୍ତନ କରିଛନ୍ତି। ଆଉ କେତେକଙ୍କୁ ପ୍ରତିପକ୍ଷ ଦଳଠାରୁ ଏକରକମ ଛଡ଼ାଇ ଅଣାଯାଇଛି। ଅନ୍ୟ ଦଳ ଓ ତାର ଆଦର୍ଶ ଅଛୁଆଁ ହୋଇଥିଲେ ମଧ୍ୟ ଆମଦାନୀ ହୋଇଥିବା ନେତାମାନଙ୍କୁ ରେଡ୍ କାର୍ପେଟ ପକାଇ ସ୍ବାଗତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏଭଳି ଦଳବଦଳ ହଟଚମଟ ସୃଷ୍ଟି କରିଛି।
ନିଜ ଦଳ ଛାଡି ଆସିଥିବା କିଛି ନେତାଙ୍କୁ ବିଜେଡି ବୁଧବାର ସାଂଗଠନିକ ଦାୟିତ୍ବ ଦେଇଛି। କିଛି ନେତାଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଓ ଆଉ କେତେଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ। ଅର୍ଥାତ୍ ବିଜେଡି ଅନ୍ୟ ଦଳର ନେତାଙ୍କୁ ସ୍ବୀକୃତି ଦେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି। ନିକଟରେ ବିଜେପି ଓ କଂଗ୍ରେସକୁ ଡେଇଁଥିବା ନେତାମାନଙ୍କ ଭାଗ୍ୟରେ କିନ୍ତୁ ଏଭଳି ସୁଯୋଗ ଏଯାଏ ଜୁଟିନାହିଁ। ମିଶ୍ରଣ ପର୍ବ ବ୍ୟତିରେକେ ଦଳ ସେମାନଙ୍କୁ ଆଉ କୌଣସି କ୍ଷେତ୍ରରେ ସାମ୍ନାକୁ ଆଣିପାରିନାହିଁ।
ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଦଳବଦଳକାରୀ ନେତାଙ୍କ ଭୂମିକାକୁ ଗୁରୁତ୍ବପୂର୍ଣ୍ଣ ବୋଲି କହୁଛନ୍ତି। ଆମଦାନୀ ହୋଇଥିବା ଏହି ନେତାଙ୍କୁ ବର୍ତ୍ତମାନ ଯିଏ ଯେତେ ସ୍ବୀକୃତି ଦେଉନା କାହିଁକି, ସେମାନଙ୍କ ଭବିଷ୍ୟତ କଣ ହେବ? ନୂଆ ଦଳରେ ଗୁରୁତ୍ବ ମିଳିବ ନା ମହରଗରୁ ଆସି କାନ୍ତାରରେ ପଡ଼ିବା ଭଳି ଆଗକୁ ସେମାନେ କୋଣଠେସା ହେବେ? ପଞ୍ଚାୟତ ନିର୍ବାଚନ ଫଳାଫଳ ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବ। ଏହି ନୂଆ ନେତାଙ୍କ ଯୋଗଦାନ ଫଳରେ ସେମାନଙ୍କ ନିଜ ଦଳର ଶକ୍ତି କେତେ ବଢ଼ିଲା, ସର୍ବୋପରି ପ୍ରତିପକ୍ଷ ରାଜନୈତିକ ଦଳକୁ ଅଟକାଇବାରେ ସଫଳ ହେଲେ ନା ନାହିଁ ତାହା ରାଜନୈତିକ ଦଳର ଶୀର୍ଷ ନେତୃତ୍ବ ପରୀକ୍ଷା କରିବେ। ଆମଦାନୀ ହୋଇଥିବା ଏହି ନେତାମାନେ କେବଳ ନିଜେ ଆସିଲେ ନା ତାଙ୍କ ସହିତ କର୍ମୀ, ସମର୍ଥକ ବି ଦଳ ପରିବର୍ତ୍ତନ କଲେ, ତାହା ପଞ୍ଚାୟତ ନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବ। ଯଦି ଏମାନେ ସଫଳ ନ ହୁଅନ୍ତି ଓଲଟା ମୂଳ ସଂଗଠନରେ ଫାଟ ବଢେ, ତେବେ ବିଜେଡି ହେଉ କି ବିଜେପି ଅଥବା କଂଗ୍ରେସ ସାଧାରଣ ନିର୍ବାଚନ ବେଳକୁ ବିକଳ୍ପ କଥା ଚିନ୍ତା କରିବାକୁ ବାଧ୍ୟ ହେବେ।
Update Odishaଏମିତିରେ ବି ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କ ମପାଚୁପା ବା କୌଶଳଯୁକ୍ତ ମତଦାନ (ଟାକ୍ଟିକାଲ ଭୋଟିଂ) ସବୁ ରାଜନୈତିକ ଦଳ ପାଇଁ ଆଜି ଦିନରେ ଚିନ୍ତାଜନକ ବିଷୟ ହୋଇ ରହିଛି। କାରଣ ଗତ ସାଧାରଣ ନିର୍ବାଚନରେ ଗ୍ରାମାଞ୍ଚଳରେ ଭୋଟର ପ୍ରଥମଥର ବିଧାନସଭା ଓ ଲୋକସଭାରେ ପୃଥକ୍ ପୃଥକ୍ ମତଦାନ କରି ରାଜନେତାଙ୍କ ରକ୍ତଚାପ ବଢାଇ ଦେଇଛନ୍ତି। ସଂପ୍ରତି ସବୁ ରାଜନୈତିକ ଦଳରେ ଯେଉଁ ଅନ୍ତଃକନ୍ଦଳ ଦେଖାଦେଇଛି ତାହାକୁ ଯଦି ପ୍ରଶମିତ କରାଯାଇନପାରିଲା ତେବେ ପରିବର୍ତ୍ତିତ ଏହି ମତଦାନ ଶୈଳୀ ଆଶ୍ଚର୍ଯ୍ୟଜନକ ଫଳ ଦେଇପାରେ; ଯାହାକୁ ନେଇ ବିଜେଡି-ବିଜେପି ଏବେ ସବୁଠାରୁ ବେଶି ବିଚଳିତ ଅଛନ୍ତି। ଅର୍ଥାତ୍ ସରକାର ବିରୋଧରେ ହେଉ କି ସ୍ଥାନୀୟ ନେତାଙ୍କ ବିରୋଧରେ ଜନମତ ଯେ କୌଣସି ନେତାଙ୍କ ପାଇଁ ଭାରି ପଡ଼ିବା ବିଚିତ୍ର ନୁହେଁ। ଏସବୁକୁ ବିଚାରକୁ ନେଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳଡିଆଁ ରାଜନୀତି ଏଥର ତୀବ୍ର ହୋଇଥିଲା।
ତେବେ ଆଠଗଡର ବିଭୂତି ମିଶ୍ର ପୁଣି ଥରେ ଦଳକୁ ଫେରିବା ବ୍ୟତିରେକେ ରାଜ୍ୟ କଂଗ୍ରେସକୁ ସେଭଳି କୌଣସି ବଡ଼ ନେତା ଆସିନାହାନ୍ତି। ଓଲଟା କଂଗ୍ରେସ ବହୁ ନେତାଙ୍କୁ
ଇତିମଧ୍ୟରେ ହରାଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ, ଚନ୍ଦ୍ରଶେଖର ମାଝୀ ଓ କୈଳାସ ଚନ୍ଦ୍ର କୁଲେସିକା ପ୍ରମୁଖ ବିଜେଡିରେ ଯୋଗଦେଇଛନ୍ତି। ସେହିପରି ବିଜେପିରୁ ବିଶ୍ବରଂଜନ ମଲ୍ଲିକଙ୍କ ଠାରୁ ଆରମ୍ଭ କରି ଅନେକ ନେତା ଶାସକ ଦଳକୁ ଡେଇଁଛନ୍ତି। ଏମାନଙ୍କ ବ୍ୟତୀତ ଶତାଧିକ ଦ୍ବିତୀୟ ଧାଡିର ନେତା ବି ନବୀନଙ୍କ ନେତୃତ୍ବକୁ ଭରସା କରି ବିଜେଡିକୁ ଆସିଛନ୍ତି। ସେହିଭଳି ବିଜେଡି ଟିକେଟରେ ଏକଦା ବିଧାନସଭାକୁ ଆସିଥିବା ସଂଜୀବ ସାହୁ, ଅଞ୍ଜଳି ବେହେରାଙ୍କ ସମେତ ଆଉ କିଛି ଦ୍ବିତୀୟ ଓ ବ୍ଲକସ୍ତରୀୟ ନେତା ବିଜେପିରେ ଯୋଗ ଦେଇଛନ୍ତି। ସ୍ବାଭାବିକ ଭାବେ ରାଜ୍ୟର ଅଧିକାଂଶ ନିର୍ବାଚନମଣ୍ଡଳୀକୁ ଏହି ଦଳ ବଦଳ ଛୁଇଁଥିବା ପରିପ୍ରେକ୍ଷୀରେ ସେଠାରେ ପଞ୍ଚାୟତ ନିର୍ବାଚନ ଫଳାଫଳ କଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। କାରଣ ଗତ ବିଧାନସଭା ନିର୍ବାଚନ ଚିତ୍ର ସ୍ପଷ୍ଟ କରିଛି ଯେ ବିଜୁ ଜନତା ଦଳରୁ ଯେଉଁମାନେ ବିଜେପି ବା କଂଗ୍ରେସକୁ ଡେଇଁଥିଲେ, ସେମାନେ କମ୍ ସଫଳତା ପାଇଥିଲେ। ନେତା ସିନା ରାତାରାତି ଦଳ ପରିବର୍ତ୍ତନ କରିଦେଲେ, ସାଙ୍ଗରେ କିନ୍ତୁ କର୍ମୀଙ୍କୁ ନେଇପାରିଲେ ନାହିଁ। ଭାରତୀୟ ଜନତା ପାର୍ଟି ଏହା ଦ୍ବାରା ବେଶି କ୍ଷତିଗ୍ରସ୍ତ ହୋଇଛି। ଆଖିବୁଜା ନେତା ଆମଦାନୀ ଦ୍ବାରା ନିଜ କର୍ମୀ ବିଗିଡିଗଲେ, ଉଭା ହୋଇଥିବା ନେତା ଏକାକୀ ଜିତିବାର ସାମର୍ଥ୍ୟ ରଖିନଥିଲେ। ଏସବୁ ନେତାମାନେ ଏବେ ଦଳରେ କୋଣଠେସା ହୋଇ ପଡ଼ିରହିଛନ୍ତି।
/sambad/media/post_attachments/wp-content/uploads/2021/12/01-bjp-bjd-flags_1619798762.jpg)
ସେହିଭଳି ବିଜେଡିକୁ ଆସିଥିବା କିଛି ନେତା ନବୀନଙ୍କ ଲୋକପ୍ରିୟତା ବଳରେ ଜିତିଲେ। କିଛି ନେତାଙ୍କ ପାଇଁ ନବୀନଙ୍କ ପତିଆରା ବି ବଢ଼ିଲା। ତେବେ ଉଭୟ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳରେ ଦଳ ଭିତରେ ଗୋଟିଏ ସମାନ୍ତରାଳ ସଂଗଠନ ମୁଣ୍ଡ ଟେକିଛି। କ୍ଷମତାଶାଳୀ ଗୋଷ୍ଠୀ ଏହାକୁ ନିରୁତ୍ସାହିତ କରିବା ପରିବର୍ତ୍ତେ ପରୋକ୍ଷ ବଳ ଦେଇ ଜୀବିତ ରଖିଛନ୍ତି। ଏସବୁ ସହିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ପୁଣି କିଛି ଅଞ୍ଚଳରେ ଆଖିବୁଜା ନେତା ଆମଦାନୀ କରିଛନ୍ତି। ଏହା ଏବେ ବିଜେଡି-ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଗୋଳମାଳିଆ କରିଦେଲାଣି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଯାଜପୁରର ବରୀକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ବିଜେଡି ପାଦେ ଆଗକୁ ଯାଇ ଏହି ଅଞ୍ଚଳକୁ ବିରୋଧୀ ଶୂନ୍ୟ ବୋଲି ଗୋଟିଏ ଧାରଣା ଦେଇଛି।
ରାଜନୈତିକ ମହଲ ଏସବୁକୁ ବିଚାରକୁ ନେଇ ଏବେ ଦଳବଦଳ କରିଥିବା ନେତାଙ୍କ ଅଞ୍ଚଳର ନିର୍ବାଚନ ଉପରେ ଆଖି ରଖିଛନ୍ତି। ଏହି ମହଲର ଯୁକ୍ତି ହେଉଛି, ସଂପ୍ରତି ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳର ଶୀର୍ଷ ନେତୃତ୍ବ ଜିଲ୍ଲା ପରିଷଦ ଟିକେଟ୍ ଦେବା ବେଳେ କାହାକୁ ଅଧିକ ଭରସା କରିବେ, ଯଦି ଆମଦାନୀରେ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ବ ନ ମିଳିବ, ସେମାନଙ୍କ ସହିତ ଆସିଥିବା ଛାମୁଆ କର୍ମୀ ନେତାଙ୍କ ସହିତ ରହିବେ ନା ମୂଳ ସଂଗଠନକୁ ଫେରିଯିବେ? ଯଦି ନୂଆ ନେତାଙ୍କୁ ଗୁରୁତ୍ବ ମିଳିବ, ତେବେ ସେ ଅଞ୍ଚଳରେ ଥିବା ପୁରୁଖା ନେତାଙ୍କ ଭୂମିକା କଣ ହେବ, ତାହା ତୃଣମୂଳସ୍ତରର ଏହି ନିର୍ବାଚନ ନିର୍ଣ୍ଣୟ କରିବ। ଅତଏବ ରାଜ୍ୟର ଅଧା ଅଞ୍ଚଳରେ ପୁରୁଣା -ନୂଆ ବିବାଦ ଏବେ ଉଗ୍ର ରୂପ ନେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ଫଳାଫଳରେ ଏହାର ଗୋଟିଏ ବଡ଼ ପ୍ରତିଫଳନ ଘଟିବ ହିଁ ଘଟିବ।
ଏଠାରେ ଉଲ୍ଲେଖଥାଉକି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଗତ କିଛି ମାସ ଧରି ଦଳଡିଆଁ ଜୋର ଧରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରବଚ୍ଛିନ୍ନ ଭାବେ ୨୨ବର୍ଷ ଧରି ଶାସନ କରିବା ପରେ ବି ଦଳବଦଳ କ୍ଷେତ୍ରରେ ବିଜେଡିର ଚାହିଦା ସବୁଠାରୁ ଅଧିକ ଥିଲା। ଅର୍ଥାତ୍ ବିଜେପି ଓ କଂଗ୍ରେସକୁ ଯେତିକି ନେତା ଯିବା ଲାଗି ଆଗ୍ରହ ଦେଖାଇନାହାନ୍ତି, ତା’ ଠାରୁ ଢେର୍ ଅଧିକ ପ୍ରତିଶତ ବିଜେଡିରେ ଯୋଗଦେଇଛନ୍ତି। ଆମଦାନୀ ନେତା ଓ ସମାନ୍ତରାଳ ସଂଗଠନ କରୁଥିବା ନେତାଙ୍କୁ ନେଇ ନେଇ ବିଜେଡି-ବିଜେପି-କଂଗ୍ରେସରେ ସବୁଠି କିନ୍ତୁ ଏବେ ମିଶ୍ର ପ୍ରତିକ୍ରିୟା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/election-bkm.jpg)