ଆର୍ଥିକ ପ୍ୟାକେଜ୍‌ରେ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ହାରୋ

ଭୁବନେଶ୍ବର : କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବହୁ ପ୍ୟାକେଜ୍‌ ଘୋଷଣା ହେଲା। କୃଷି ଓ ଅନ୍ୟ କ୍ଷେତ୍ର ପାଇଁ ମଧ୍ୟ ପ୍ୟାକେଜ୍‌ ହେଲା। ମାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ପର୍ଯ୍ୟଟନ, ଟ୍ରାଭେଲ୍‌ ଓ ଆତିଥ୍ୟ ସେବାକୁ ସମ୍ପୂର୍ଣ୍ଣ ପାସୋରି ଦେ‌ଇଛନ୍ତି। ପର୍ଯ୍ୟଟନ ଶିଳ୍ପ ସଂପ୍ରତି ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଏବଂ ଲକ୍‌ଡାଉନ୍‌ ପରେ ମଧ୍ୟ ୬ମାସ ପର୍ଯ୍ୟନ୍ତ ସ୍ଥିତି ସୁଧୁରିବାର ସମ୍ଭାବନା ନାହିଁ। ହେଲେ ଏ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରି ଦିଆଗଲା। ସରକାରଙ୍କର ଏପରି ଆଭିମୁଖ୍ୟ ନେଇ ହୋଟେଲ୍‌ ଓ ରେସ୍ତୋରାଁ ଆସୋସିଏସନ୍‌, ଓଡ଼ିଶା (ହାରୋ) ପ୍ରତିବାଦ କରିବା ସହ ରିଲିଫ ପ୍ୟାକେଜ୍‌ ପାଇଁ ଦାବି କରିଛି। ଏନେଇ ‌ହାରୋ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି କରାଯାଇଛି।

ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି, କରୋନା ସଂକ୍ରମଣ ଭୟରେ ପର୍ଯ୍ୟଟକମାନେ ଆସି‌ବେ ନାହିଁ। ତେଣୁ ହୋଟେଲ୍‌ ରୁମ୍‌ଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ରହିବ। ପର୍ଯ୍ୟଟନ ପାଇଁ ହୋଟେଲ୍‌ ଏକ ଶକ୍ତିଶାଳୀ କ୍ଷେତ୍ର ହୋଇଥିଲେ ହେଁ ଏହା ବହୁ ପ୍ରଭାବିତ ହୋଇଛି। ରୁମ୍‌ ଖାଲି ଅର୍ଥ ବ୍ୟବସାୟରେ ପ୍ରଭୂତ କ୍ଷତି। ଏପରିକି ବ୍ୟାଙ୍କ ଓ ଫାଇନାନ୍ସ ସଂଗଠନକୁ ଇଏମ୍‌ଆଇ ଦେବା, କର୍ମଚାରୀଙ୍କୁ ଦରମା ଦେବା ଏବଂ ଅନ୍ୟ ବୈଧାନିକ ଦେୟ ଦେବା ଅସମ୍ଭବ ହୋଇପଡ଼ିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ କହିଥିଲେ, ଯଦି ପ୍ରତ୍ୟେକ ଭାରତୀୟ ୧୫ଟି ଦେଶୀୟ ପର୍ଯ୍ୟଟନ କ୍ଷେତ୍ର ଭ୍ରମଣ କରିବ, ତେବେ ପର୍ଯ୍ୟଟନ କ୍ଷେତ୍ରରେ ହୋଟେଲ୍‌ ଓ ଅନ୍ୟ ସେବାର ଯଥେଷ୍ଟ ଚାହିଦା ବଢ଼ିବ। ଏହା ସତ୍ତ୍ବେ ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ଏ ଘଡ଼ିସନ୍ଧି ମୁହୂର୍ତରେ ସରକାରଙ୍କଠାରୁ କିଛି ପ୍ୟାକେଜ୍‌ ଆଶା କରିଥିଲା। ମାତ୍ର ତାହା ବି ହେଲା ନାହିଁ। ହୋଟେଲ୍‌ ଶିଳ୍ପ କ୍ଷେତ୍ରରେ ଅନ୍ତତଃ ୧ବର୍ଷ ପାଇଁ ଋଣ, ସୁଧ ସ୍ଥଗିତ ରଖିବା ସହ ୪ବର୍ଷ ପର୍ଯ୍ୟନ୍ତ ସୁଧ କ୍ଷେତ୍ରରେ ରିହାତି ପ୍ରଦାନ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଜିଏସ୍‌ଟି, ଏସ୍‌ଜିଏସ୍‌ଟି କ୍ଷେତ୍ରରେ କୋହଳ କରିବା ପାଇଁ ନିବେଦନ କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ୫ କୋଟି ଲୋକ କାର୍ଯ୍ୟରତ ଥିବା ବେଳେ ଏଥିରେ ନିଯୁକ୍ତିକୁ ଦ୍ବିଗୁଣିତ କରିବାର ବି ସମ୍ଭାବନା ରହିଛି। ତେଣୁ ଭାରତୀୟ ଅର୍ଥନୀତିକୁ ଆଗେଇ ନେଉଥିବା ଏହି କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ହାରୋ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ‌ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର