ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକ୍ଡାଉନ ଯୋଗୁଁ ପର୍ଯ୍ୟଟନ ଓ ଆତିଥ୍ୟ ସେବାକୁ ଶକ୍ତ ଧକ୍କା ଲାଗିଛି। କେବଳ କ୍ବାରାଣ୍ଟିନ ଉଦ୍ଦେଶ୍ୟରେ ଏବଂ ଲକ୍ଡାଉନ ହେତୁ ରହିଯାଇଥିବା ପର୍ଯ୍ୟଟକଙ୍କୁ ହିଁ ରହିବାକୁ ସୁଯୋଗ ପ୍ରଦାନ କରାଯାଇଛି। ଫଳରେ ହୋଟେଲ ଶିଳ୍ପ ଏବେ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଯଦି ଏ ସମୟରେ ସରକାର ସହଯୋଗ ଯୋଗାଇ ନଦିଅନ୍ତି ତେବେ ହୋଟେଲ ଶିଳ୍ପକୁ ପୁନଃ ସ୍ବାଭାବିକ ସ୍ଥିତିକୁ ଫେରାଇବା ଦୂରୁହ ବ୍ୟାପାର ହେବ। ଫଳରେ ଏହି ଆତିଥ୍ୟ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ବ୍ୟକ୍ତିବିଶେଷ ପ୍ରଭାବିତ ହେବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଟେଲ୍ ଶିଳ୍ପକୁ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ହୋଟେଲ ଆସୋସିଏସନ ଅଫ ଇଣ୍ଡିଆ (ଏଚଏଆଇ)ର ସଭାପତି ପୁନିତ ଛଟୱାଲ।
ବିଶେଷକରି ଆତିଥ୍ୟ ତଥା ହୋଟେଲ୍ଗୁଡ଼ିକ କ୍ଷେତ୍ରରେ କିଛି ନିର୍ଦିଷ୍ଟ ସହାୟତା ଉପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହୋଟେଲଗୁଡ଼ିକ ଉପରୁ ୬ ମାସର ସମ୍ପୂର୍ଣ୍ଣ ଜିଏସଟି ଛାଡ଼, ୬ ମାସର ଲାଇସେନସ ଦେୟ ବିଶେଷକରି ଅବକାରୀ ଦେୟ ଛାଡ଼, ୟୁଟିଲିଟି ବିଲ୍ ସ୍ଥଗିତ ସହ ସମୟ ଦେବା, ଇଲେକ୍ଟ୍ରିସିଟି ଡ୍ୟୁଟି ୧ ବର୍ଷ ପାଇଁ ଛାଡ଼, ୬ ମାସ ପାଇଁ ରାଜ୍ୟ ଜିଏସଟି ଛାଡ଼, ମ୍ୟୁନିସପାଲିଟି ଓ ସମ୍ପଦ କର ତଥା ଭାର ୬ ମାସ ପାଇଁ ଛାଡ଼ ଏବଂ ହୋଟେଲ କର୍ମଚାରୀଙ୍କୁ ହୋଟେଲକୁ ଯା-ଆସ ପାଇଁ ଅଧିକାର ପ୍ରଦାନ କରିବା ଆଦି ଦିଗ ଉପରେ ସରକାର ବିଶେଷ ଦୃଷ୍ଟି ଦେବାକୁ ଶ୍ରୀ ଛଟୱାଲ ନିବେଦନ କରିଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଭିତ୍ତିରେ ହୋଟେଲ୍ଗୁଡ଼ିକୁ ସେମାନଙ୍କର ଋଣ ପରିଶୋଧ କରିବା ପାଇଁ ସମୟ ପ୍ରଦାନ କରିବା ଏବଂ ୬ ମାସ ପର୍ଯ୍ୟନ୍ତ ବ୍ୟାଙ୍କ ଇଏମଆଇ ଭରିବା ସ୍ଥଗିତ ରଖିବା ନିମନ୍ତେ ସହଯୋଗ କରିବାକୁ ଆଗେଇ ଆସିବାକୁ ହୋଟେଲ ଆସୋସିଏସନ ଅଫ ଇଣ୍ଡିଆର ଉପସଭାପତି କେ.ବି କାଚ୍ରୁ ନିବେଦନ କରିଛନ୍ତି। ଶ୍ରୀ କାଚ୍ରୁ କହିଛନ୍ତି, ରାଜ୍ୟ ରାଜସ୍ବରେ ଆତିଥ୍ୟ ତଥା ହୋଟେଲ ଶିଳ୍ପର ଏକ ମହତ୍ତ୍ବପୂର୍ଣ୍ଣ ଭାଗିଦାରୀ ରହିଛି। ନିଯୁକ୍ତି କ୍ଷେତ୍ରଠୁ ନେଇ ବିଦେଶୀ ମୁଦ୍ରା ଅର୍ଜନ କ୍ଷେତ୍ରରେ ମଧ୍ୟ ହୋଟେଲ ଶିଳ୍ପ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସିଛି। ତେଣୁ ଏ ଅସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଟେଲ ଶିଳ୍ପର ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ଏସବୁ ପଦକ୍ଷେପ ଗ୍ରହଣ କରିବାକୁ ଏଚଏଆଇର ସମ୍ପାଦକ ଜେ.କେ ମହାନ୍ତି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ସହାୟତା ଯୋଗାଇ ଦେବାନେଇ ଆଗେଇ ଆସିବେ ବୋଲି ଆମେ ଭରସା ରଖିଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।