।। ସତ୍ୟ ନାରାୟଣ ରାଉତରାୟ ।।
ଭୁବନେଶ୍ବର: ବିଭିନ୍ନ ସମୟରେ ବାତ୍ୟା ଆସି ପର୍ଯ୍ୟଟନ ଶିଳ୍ପକୁ ଆଘାତ ଦେଇଛି। କିଛି ଦିନ ଭିତରେ ଏହି ଆଘାତକୁ ଉପଶମ କରିବାରେ ସଫଳ ହୋଇଛି‌ ହୋଟେଲ୍‌ ଓ ଆତିଥ୍ୟ ଶିଳ୍ପ। କିନ୍ତୁ ଏବେ କରୋନା ଏହି ଶିଳ୍ପ ଉପରେ ଏତେ ଶକ୍ତ ପ୍ରହାର ‌େଦଇଛି ଯେ ସ୍ଥିତି ଆଗକୁ କେତେ ସଙ୍ଗୀନ୍ ହେବ ତାହା କେହି ଆକଳନ କରି ପାରୁ ନାହାନ୍ତି। ହୋଟେଲ୍‌ ଶିଳ୍ପ ଏକ ପ୍ରକାର ବୁଡ଼ିବାକୁ ବସିଲାଣି। ହୋଟେଲ୍‌ ରହିବା ପାଇଁ ମାଲିକମାନେ ଗ୍ରାହକ ଖୋଜୁ ନାହାନ୍ତି, ବହୁ ମାଲିକ ହୋଟେଲ୍‌କୁ ବିକି ଦେବା ପାଇଁ ଗ୍ରାହକ ଖୋଜିବା ଆରମ୍ଭ କଲେଣି। ଆଉ ୮୦ ପ୍ରତିଶତ କର୍ମଚାରୀ ଏବେ ବେରୋଜଗାର ହୋଇ ଘରେ ବସିଛନ୍ତି।

Advertisment

ମାର୍ଚ୍ଚ ଶେଷ ସପ୍ତାହରେ ଲକ୍‌ଡାଉନ୍ ଆରମ୍ଭ ହେବା ସହ ହୋଟେଲ୍‌ ଶିଳ୍ପର ଦୁର୍ଦ୍ଦିନ ଆରମ୍ଭ ହୋଇଯାଇଥିଲା। ରୁମ୍ ବୁକିଂ, ରେସ୍ତୋରାଁ, ବିବାହ, ବିଭିନ୍ନ ସଭାସମିତି ସବୁ ବନ୍ଦ ହୋଇଗଲା। ପର୍ଯ୍ୟଟନସ୍ଥଳୀଗୁଡ଼ିକ ବନ୍ଦ ଥିବାରୁ ପର୍ଯ୍ୟଟନ ବି ଆସିଲେ ନାହିଁ। ଛୋଟ ହୋଟେଲ୍‌ ଠାରୁ ଆରମ୍ଭ କରି ତାରକା ହୋଟେଲ୍‌ ପର୍ଯ୍ୟନ୍ତ ସବୁଠି ତାଲା ପଡ଼ିଗଲା। ଜୁନ୍ ମାସ ଠାରୁ ୩୦% ରୁମ୍‌ ସହ ହୋଟେଲ୍‌ ଖୋଲିବାକୁ ସରକାର ଅନୁମତି ଦେଲେ। ଏହା ପରେ କିଛି ହୋଟେଲ୍‌ ଖୋଲାଗଲା। କିନ୍ତୁ ୩୦% ରୁମ୍ ବୁକ୍ ହେବା ଦୂରର କଥା, ୫% ରୁମ୍‌ରେ ରହିବାକୁ ବି ଲୋକ ନାହାନ୍ତି। ନା ପର୍ଯ୍ୟଟକ ଆସୁଛନ୍ତି ନା ଅବସର ବିନୋଦନ ପାଇଁ ସ୍ଥାନୀୟ ଲୋକ ଆସୁଛନ୍ତି। ସଭାସମିତି ଅନୁମତି ଏ ଯାଏ ଦିଆଯାଇନି। ୫୦ ଲୋକରେ ବାହାଘର କରିବାକୁ ଅନୁମତି ଦିଆଯାଉଥିବାରୁ ଲୋକମାନେ ହୋଟେଲ୍‌ ଆସିବାକୁ ଚାହୁଁ ନାହାନ୍ତି। କିଛି ହୋଟେଲ ଜୁନ୍ ମାସରେ ଖୋଲିଥିଲେ ବି ସର୍ବନିମ୍ନ ବ୍ୟବସାୟ ହୋଇ ନ ଥିବାରୁ ପୁଣି ବନ୍ଦ କରିସାରିଲେଣି। ସ୍ଥିତି ଏମିତି ହେଲାଣି ଯେ ଭଡ଼ାରେ ଚାଲୁଥିବା କିଛି ଛୋଟ ହୋଟେଲ୍‌ ଲିଜ୍‌ ବାତିଲ୍‌ କଲେଣି ତ ଆଉ କିଛି ହୋଟେଲ୍‌ ବିକ୍ରି ପାଇଁ ଗ୍ରାହକ ଖୋଜା ଚାଲିଛି। ପର୍ଯ୍ୟଟନ କ୍ଷେତ୍ର ପାଖାପାଖି ୧୩ ପ୍ରତିଶତ ମାନବ ସମ୍ବଳକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ଦେଇଥିଲା। କିନ୍ତୁ କରୋନା ପରେ କିଏ ଅଧା ଦରମାରେ କାମ କରିବା ପାଇଁ ରାଜି ନ ହୋଇ ଚାକିରି ‌ଛାଡ଼ି ଦେଇଛି ତ ପୁଣି କାହାକୁ କମ୍ପାନିର ଆବଶ୍ୟକତା ଓ ଆୟ ନ ଥିବାରୁ ବାହାର କରିଦିଆଯାଇଛି। ‌

ହୋଟେଲ୍‌ ଖୋଲିବାକୁ ଅନୁମତି ଦେଇଦେଲେ ବ୍ୟବସାୟ ଚାଲିବ ନାହିଁ। ଏଥି ପାଇଁ ପାରିପାର୍ଶ୍ବିକ ସୁବିଧା ସୁଯୋଗ କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ସେ ଦିଗରେ ସରକାର ଚିନ୍ତା କରି ନାହାନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ହୋଟେଲ୍‌ ଶିଳ୍ପକୁ ଆଶ୍ବାସନା ଦେଲା ପରି କୌଣସି କାର୍ଯ୍ୟ ହାତକୁ ନେଇ ନାହିଁ। ଏପରିକି ଜୁନ୍ ମାସରେ କୋଭିଡ୍‌-୧୯ ପାଇଁ ଗଠିତ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ହୋଟେଲ୍‌ ଶିଳ୍ପ ଉପରେ ଆଲୋଚନା ହୋଇ କିଛି ସୁପାରିସ୍‌ କରାଯାଇଥିଲା। କିନ୍ତୁ କ’ଣ ସୁପାରିସ୍‌ କରାଯାଇଥିଲା ଓ ତାହା କିପରି କାର୍ଯ୍ୟକାରୀ ହେବ, ତାହା ଏ ଯାଏ ସଂପୃକ୍ତ କୌଣସି ବିଭାଗ ଜାଣି ପାରୁ ନାହାନ୍ତି। ହୋଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ସଂଘ (ହାରୋ) ପକ୍ଷରୁ ହୋଟେଲ୍‌ ଶିଳ୍ପର ସଙ୍ଗୀନ୍ ସ୍ଥିତି ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହୋଟେଲ୍‌ ଶିଳ୍ପ କଥା ଚିନ୍ତା କରି ନ ଥିବାରୁ ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ସରକାର ତୁରନ୍ତ କିଛି ପଦକ୍ଷେପ ନ ନେଲେ ଏହି ଶିଳ୍ପ ବୁଡ଼ିଯିବ ବୋଲି ସଂଘର କର୍ମକର୍ତ୍ତା ଆଶଙ୍କା ପ୍ରକଟ କରିଛନ୍ତି।

‘ହାରୋ’ର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ ସିଏମ୍‌ଡି ଜେ କେ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଆତିଥ୍ୟ, ଟ୍ରାଭେଲ୍‌ ଏବଂ ପର୍ଯ୍ୟଟନ ସହ ସଂଶ୍ଳିଷ୍ଟ ଅନ୍ୟ କ୍ଷେତ୍ରରେ ୫ ଲକ୍ଷ ନିଯୁକ୍ତି ପାଇଥିଲେ ହେଁ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କାମ ହରାଇ ଘରେ ବସି ରହିଛନ୍ତି। ବାହାରୁ ଆସୁଥିବା ବିମାନ ଖାଲି ପଡ଼ୁଛି। ଟ୍ରେନ୍‌ରେ ବି ଲୋକ ଆସୁ ନାହାନ୍ତି। ତେଣୁ ବ୍ୟବସାୟ ଶୂନ ହୋଇଯାଇଛି। କମ୍‌ କର୍ମଚାରୀରେ କାମ କରାଇବାକୁ ପଡ଼ୁଛି। ଏଣେ ହୋଟେଲ୍‌ର ପରିଚାଳନା ଖର୍ଚ୍ଚ ତଥା ଯେଉଁ ସ୍ବଳ୍ପ କର୍ମଚାରୀ ଅଛନ୍ତି ସେମାନଙ୍କ ଦରମା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଯେ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଏଥି ପାଇଁ ନିର୍ଦିଷ୍ଟ ମାର୍କେଟିଂ ପ୍ଲାନ୍‌ ପ୍ରସ୍ତୁତ ନ ହୋଇଛି ଏବଂ ଟୀକା ନ ବାହାରିଛି ସେ ପର୍ଯ୍ୟନ୍ତ ହୋଟେଲ୍‌ ତଥା ପର୍ଯ୍ୟଟନ ଶିଳ୍ପ ସ୍ଥିତିରେ ସୁଧାର ଆସିପାରିବ ନାହିଁ।

ପୁରୀ ହୋଟେଲ୍‌ ସଂଘର ସାଧାରଣ ସମ୍ପାଦକ ତଥା ହୋଟେଲ୍‌ ହଲିଡେ ରିସୋର୍ଟସର ପରିଚାଳନା ନିର୍ଦେଶକ ରାଜକିଶୋର ପାତ୍ର କହିଛନ୍ତି, କେବଳ ପୁରୀରେ ୭ଶହରୁ ଅଧିକ ହୋଟେଲ୍‌ ଓ ଲଜ୍‌ ରହିଛି। ଏବେ କିଛି ଛୋଟ ହୋଟେଲ୍‌ ବିକ୍ରି ହେବାକୁ ବସିଲାଣି। ଶ୍ରୀମନ୍ଦିର ଖୋଲିଲେ ହିଁ ହୋଟେଲ୍‌ ତଥା ଆତିଥ୍ୟ ଶିଳ୍ପ ସହ ପର୍ଯ୍ୟଟନ ଶିଳ୍ପ ସୁଧୁରି ପାରିବ। ସାଧାରଣ ସମୟରେ ପ୍ରତି ଦିନ ମନ୍ଦିରକୁ ୩୦ ହଜାର ଭକ୍ତ ଆସନ୍ତି। ଏବେ କୋଭିଡ୍‌ କଟକଣା ଭିତରେ ଯଦି ଏକ ହଜାର ଲୋକଙ୍କୁ ବି ମନ୍ଦିର ଆସିବାକୁ ବ୍ୟବସ୍ଥା କରାଯା’ନ୍ତା, ତେବେ ବି କିଛି ପର୍ଯ୍ୟଟକ ଆସିପାରନ୍ତେ। ଦୀର୍ଘ ଦିନ ପରେ ଜୁନ୍‌ ୮ ତାରିଖରେ ହୋଟେଲ୍‌ ଖୋଲିବାକୁ ଅନୁମତି ମିଳିଲା ପରେ ସେତେବେଳେ ଲୋକଙ୍କ ଆଗମନ ହୋଇଥିଲା। ପୂର୍ବରୁ ପର୍ଯ୍ୟଟକଙ୍କ ଆଗମନ ହାର ୮୫ ପ୍ରତିଶତ ଥିଲେ ହେଁ ଜୁନ୍‌ ୮ ପରେ ଏହା ୧୦ ପ୍ରତିଶତରେ ପହଞ୍ଚିଥିଲା। ରଥଯାତ୍ରାରୁ ପୁଣି ବନ୍ଦ କରାଯାଇ ଏବେ ଖୋଲିବାକୁ ଅନୁମତି ମିଳିବା ପରେ ୨ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ହେଉ ନାହାନ୍ତି। କୌଣସି ଆକର୍ଷଣୀୟ ଅଫର କିଛି କାମ କରୁନାହିଁ।