ହୋଟେଲ୍‌ ଶିଳ୍ପରେ ସୁଧ, ମୂଳ ପରିଶୋଧ ଉପରେ ୬ ମାସ ରୋକ୍‌

ଭୁବନେଶ୍ୱର : କରୋନା ଭୟାବହତା ଓ ଲକଡାଉନରେ ହୋଟେଲ୍‌ ଶିଳ୍ପ ପ୍ରଭୂତ କ୍ଷତି ସହିଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁଧ ଓ ମୂଳ ପରିଶୋଧ ପାଇଁ ପ୍ରଥମେ ୩ ମାସ ରୋକ୍‌ ଲଗାଯାଇଥିବା ବ‌େଳେ ଏହି ଅବଧି ୬ ମାସକୁ ବୃଦ୍ଧି ପାଇଛି। ହୋଟେଲ୍‌ ଶିଳ୍ପକୁ ବଞ୍ଚାଇ ରଖିବା କ୍ଷେତ୍ରରେ ଏହା ଅନେକାଂଶରେ ସହାୟକ ହେବ। ତେଣୁ ଏନେଇ ହୋଟେଲ୍‌ ଓ ରେସ୍ତୋରାଁ ଆସୋସିଏସନ୍‌ ଅଫ୍ ଓଡ଼ିଶା ପକ୍ଷରୁ ଚେୟାରମ୍ୟାନ୍‌ ଜେ.କେ ମହାନ୍ତି ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ହୋଟେଲ୍‌ ଆସୋସିଏସନ ଅଫ୍‌ ଇଣ୍ଡିଆର ସଭାପତି ପୁନିତ୍‌ ଛଟୱାଲ୍‌ଙ୍କ ନେତୃତ୍ବରେ ହୋଟେଲ୍‌ ଶିଳ୍ପକୁ ବଞ୍ଚେଇ ରଖିବା ନେଇ ସହଯୋଗ ଲୋଡ଼ାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକମାତ୍ର ନିଷ୍ପତ୍ତି ହୋଟେଲ୍‌ ଶିଳ୍ପକୁ ବଞ୍ଚାଇ ରଖିବାରେ ସହାୟକ ହୋଇପାରିବ। ଯଦିଓ ୬ ମାସ ପର୍ଯ୍ୟନ୍ତ ସୁଧ ଓ ମୂଳ ପରିଶୋଧ ଉପରେ ରୋକ୍‌ ଲଗାଯାଇଛି, ତେବେ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିବ ନାହିଁ। ତେଣୁ ଅନ୍ତତଃ ଏ ପର୍ଯ୍ୟନ୍ତ ସୁଧ ଓ ମୂଳ ପରିଶୋଧରେ ରୋକ୍‌ ଲଗାଯିବାର ଆବଶ୍ୟକତା ରହିଛି। ଏବେ ହୋଟେଲ୍‌ ଶିଳ୍ପ ପ୍ରାୟତଃ ବନ୍ଦ ରହିଥିବାରୁ କୌଣସି ଆୟ ନାହିଁ। ଏପରିକି କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ସମ୍ଭବ ହେଉନାହିଁ। ୨୦୨୦ ଏପ୍ରିଲ୍‌ରୁ କର୍ମଚାରୀମାନେ ଦରମା ପାଇନଥିବା ବେଳେ ୨୦୨୧ ମସିହା ପର୍ଯ୍ୟନ୍ତ ଦରମା ଦେବା ସମ୍ଭବ ହେବ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁଧ ଛାଡ଼ କରାଗଲେ ଏବଂ ମୂଳ ପରିଶୋଧ ସମୟସୀମାକୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିପାରିଲେ, ଏହା ହୋଟେଲ୍‌ ଶିଳ୍ପକୁ ବଞ୍ଚାଇ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର