ହୋଟେଲ ଶିଳ୍ପ ରୋଜଗାରରେ ତାଲା, ୪ ହଜାର ପରିବାରର ଜୀବନ ଜୀବିକା ବିପନ୍ନ

ରାଉରକେଲା : କରୋନା ପ୍ରଥମ ଓ ଦ୍ବିତୀୟ ଲହର ଜିଲ୍ଲାର ହୋ‌ଟେଲ ଶିଳ୍ପକୁ ବଡ ଝଟକା ଲାଗିଛି। ଆଗାମୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ତୃ୍ତୀୟ ଲହର ଆସିବାର ସମ୍ଭାବନା ରହିଛି। କରୋନା କଟକଣା ଯୋଗୁ ଜିଲ୍ଲାର ପ୍ରାୟ ୧୬୦ରୁ ଅଧିକ ରେସ୍ତୋରାଁ ଓ ଲଜ୍‌ରେ ରୋଜଗାର ତାଲା ଲାଗିଛି। ହାତ ଗଣତି କେତୋଟି ହୋଟେଲ ଓ ରେସ୍ତୋରାଁ ଅନ୍‌ ଲାଇନ୍‌ ଓ ଅପ୍‌ ଲାଇନ୍‌ ଖାଦ୍ୟ ବିକ୍ରି କରୁଛନ୍ତି। ଯାହା ସେମାନଙ୍କ ହୋଟେଲ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚକୁ ବି ପାଉନି। ଏସବୁ ଭିତରେ ମାଲିକମାନେ କିପରି ହୋଟେଲ ଶିଳ୍ପକୁ ବଞ୍ଚାଇ ରଖିବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି। ସେପଟେ ହୋଟେଲ ଓ ରେସ୍ତୋରାଁରେ କାମ କରି ପରିବାର ପ୍ରତିପୋଷଣ କରୁଥିବା କର୍ମଚାରୀ ଓ ତାଙ୍କ ପରିବାର ଏବେ ଦିନକୁ ଦୁଇ ଓଳି ଖାଇବା କଷ୍ଟକର ହୋଇ ପଡିଛି। ଏହିପରି ଭାବେ ସୁନ୍ଦରଗଡ ଜିଲ୍ଲାର ପ୍ରାୟ ୪ ହଜାରରୁ ଅଧିକ ପରିବାର ଜୀବନ ଜୀବିକା ବିପନ୍ନ ହୋଇଛି। କେମିତି ପରିବାର ପ୍ରତିପୋଷଣ କରିବେ ଦୁଃଖରେ ଭାଙ୍ଗି ପଡିଛନ୍ତି କର୍ମଚାରୀମାନେ।

କେବେ ସମ୍ପୂର୍ଣ୍ଣ ଭାବେ କରୋନା କଟକଣା ଉଠିବ। ପୂର୍ବଭଳି କାମରେ ଯୋଗଦେବେ। ଦି ପଇସା ରୋଜଗାର କରି ପରିବାର ଚଳାଇବେ ଦିନ ରାତି ଭାବୁଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲଜ୍ ଓ ରେସ୍ତୋରାଁ କାମ କରୁଥିବା କର୍ମଚାରୀଙ୍କ ଏମିତି ଦୟନୀୟ ଜୀବନ ବିତାଉଛନ୍ତି। ସ୍ବଳ୍ପ ଦରମାରେ ପରିବାର ଚଳୁଥିବା ଏବେ ଦିନକୁ ଠିକ୍ ଭାବେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। କେବଳ କର୍ମଚାରୀ ନୁହେଁ ମାଲିକମାନଙ୍କର ମଧ୍ୟ ଚିନ୍ତା ସମ ପରିମାଣରେ ବଢ଼ି ଯାଇଛି। ରୁଗ୍ଣ ସ୍ଥିତିରେ ଚାଲୁଥିବା ହୋଟେଲ ଶିଳ୍ପକୁ କିପରି ଜିଲ୍ଲାରେ ବଞ୍ଚାଇ ରଖିବେ, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯଦି କଟକଣା ଏମିତି ଜାରି ରହେ ସ୍ଥିତି ଆହୁରି ସଙ୍ଗିନ୍ ହୋଇ ପଡିବ ବୋଲି ଆଶା ପୋଷଣ କରିଛନ୍ତି ହୋଟେଲ ମାଲିକ।

ରାଉରକେଲାରେ ହୋଟେଲ୍ ଆଣ୍ଡ ରେସ୍ତୋରାଁ ଆସୋସିଏସନର ଉପସଭାପତି ଆଦିତ୍ୟ କୁମାର ମହାପାତ୍ର, ମହମ୍ମଦ କୌଶର ଜମିଲ, ଶୈଳେନ୍ଦ୍ର ମହାନ୍ତି କହିଛନ୍ତି, ଶିଳ୍ପ କ୍ଷେତ୍ରରେ ହୋଟେଲ ଶିଳ୍ପ ଅନ୍ୟତମ। ଉଭୟ ଦେଶ ଓ ରାଜ୍ୟର ଅର୍ଥନୈତିକ ବିକାଶରେ ହୋଟେଲ୍ ଶିଳ୍ପର ରହିଛି ପ୍ରମୁଖ ଭୂମିକା। ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାକୁ ଲାଗିଥିବା ଛତିଶଗଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାରଖଣ୍ଡ କରୋନା ସଂକ୍ରମଣ ଭୟରେ ସୁନ୍ଦରଗଡ ଓ ପଶ୍ଚିମ ଓଡ଼ିଶାକୁ ଆସୁ ନାହାନ୍ତି। ସେପଟେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପରି ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନକୁ ସେତେଟା ଗୁରୁତ୍ବ ଦିଆଯାଉ ନଥିବାରୁ ହେଟେଲ ଶିଳ୍ପ ପ୍ରଭାବିତ ହେଉଛି। ଏଭଳି କଠିନ ସମୟରେ କର୍ମଚାରୀଙ୍କ ଜୀବିକା ଓ ‌ହୋଟେଲ ଶିଳ୍ପକୁ ବଞ୍ଚାଇ ରଖିବାକୁ ପାଇଁ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ମାସିକ ବିଜୁଳି ବିଲ୍, ବାର୍‌ ଲାଇସେନ୍ସ, ବ୍ୟାଙ୍କ ଋଣ, ଜିଏସ୍‌ଟି କ୍ଷେତ୍ରରେ ରିହାତି ଦେବାକୁ ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ସହଯୋଗ କରିବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶିଳ୍ପ ସମୃଦ୍ଧ ସୁନ୍ଦରଗଡ ଜିଲ୍ଲାରେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ରାଉରକେଲା ସହରରେ ସର୍ବାଧିକ ହୋଟେଲ, ଲଜ୍ ରହିଛି। ସହରର ମୁଖ୍ୟ ମାର୍ଗ, ଇସ୍ପାତ ସହାଞ୍ଚଳ, ସିଭିଲଟାଉନସିପ୍, ଉଦିତନଗର, ପାନପୋଷ ରୋଡ, ସେକ୍ଟର-୪ରେ ୯୦ରୁ ଅଧିକ ଛୋଟ ବଡ ହୋଟେଲ, ରେସ୍ତୋରାଁ ରହିଛି। ରାଜଗାଙ୍ଗପୁର, ସୁନ୍ଦରଗଡର ପାଖାପାଖି ୫୦ ହୋଟେଲ, ଲଜ୍ ଚାଲୁଛି। ହୋଟେଲ ଓ ଲଜ୍ରେ ସାଢ଼େ ୩ ହଜାର କର୍ମଚାରୀ କାମ କରୁଛନ୍ତି। ମାସିକ ପ୍ରାୟ ୮ରୁ ୧୦ କୋଟିର କାରବାର ହୋଇଥାଏ। ଏମିତି ଭାବେ ବର୍ଷକୁ ପାଖାପାଖି ୧୦୦ରୁ ୧୨୦ କୋଟି ବେପାର ହୋଇଥାଏ। ମିନି ଇଣ୍ଡିଆ ଭାବେ ପରିଚିତ ସହରର ବୃହତ ଇସ୍ପାତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି), ଖଣି, ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ସହ ଅନେକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ରହିଛି। ପୁଣି ଆଗାମୀ ଦିନରେ ସହରରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ହେବାକୁ ଯାଉଛି। ଏସବୁ ଦୃଷ୍ଟିକୋଣରୁ ଜିଲ୍ଲାରେ ହୋଟେଲ୍ ଓ ଲଜ୍‌ର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର