ରାହା ଖୋଜୁଛି ହୋଟେଲ୍ ଶିଳ୍ପ, ୨୦ ହଜାର ଲୋକଙ୍କ ଜୀବିକା ସଙ୍କଟରେ
ଫନି ଉଡ଼ାଇ ଦେଇଛି ୫୦୦ କୋଟି, ଏବେ ବି ବହୁ ହୋଟେଲ୍ ସାମ୍ନାରେ ବାଲି ସ୍ତୂପ
(ପୁରୀରୁ ଚୌଧୁରୀ ଅମିତାଭ ଦାସଙ୍କ ରିପୋର୍ଟ), ମହାପ୍ରଭୁ ଜଗନ୍ନାଥ ଓ ବେଳାଭୂମି ହିଁ ପୁରୀର ଆକର୍ଷଣ। ଏହି ଆକର୍ଷଣ ସହ ଯୋଡ଼ି ହୋଇଛି ପୁରୀର ଶତାଧିକ ଛୋଡ଼ ବଡ଼ ହୋଟେଲ୍। ପୁଣି ଜିଲ୍ଲାରେ ପ୍ରମୁଖ ଶିଳ୍ପ କହିଲେ ଏହି ଗୋଟିଏ – ହୋଟେଲ୍ ଶିଳ୍ପ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଶିଳ୍ପ ଜିଲ୍ଲାରେ ଯେତିକି ଲୋକଙ୍କୁ ଜୀବିକା ଯୋଗାଇଛି, ତାହା ଅନ୍ୟ କୌଣସି ଶିଳ୍ପରେ ନାହିଁ। ସାରା ଓଡ଼ିଶାରେ ହୋଟେଲ୍ ଶିଳ୍ପ ସର୍ବାଧିକ ମଜବୁତ୍ ସ୍ଥିତିରେ ଏଇ ସହରରେ ହିଁ ରହିଛି। ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ଯେଉଁ ଗଳିରେ ପାଦ ପଡ଼ିବ, ସେଠାରେ ନିଶ୍ଚିତ ଭାବେ ହୋଟେଲ୍ କିମ୍ବା ଲଜ୍ କିମ୍ବା ଅତିଥି ଭବନ ଆଖିରେ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ସେହି ହୋଟେଲ୍ ସବୁ ପୁରୀରେ ସେମିତି ଅଛି। ଉଚ୍ଚା ଉଚ୍ଚା କୋଠା ଠିଆ ହୋଇଛି। କିନ୍ତୁ ଚିତ୍ର ଓ ଚେହେରା ବଦଳିଯାଇଛି। ଫନି ଏମିତି ତାଣ୍ତବ ରଚାଇଛି ଯେ କିଛି ମାସ ତଳେ ସେଠାରେ ରହିକି ଯାଇଥିବା ଜଣେ ପର୍ଯ୍ୟଟକ ଏବେ ସେହି ହୋଟେଲ୍କୁ ଚିହ୍ନିପାରିବ ନାହିଁ। ସମୁଦ୍ର ବେଳାଭୂମିରେ ଧୀରେ ଧୀରେ ଗହଳି ଆରମ୍ଭ ହେଉଛି। ପର୍ଯ୍ୟଟକମାନେ ସମୁଦ୍ର ସ୍ନାନର ମଜା ନେଉଛନ୍ତି। କିନ୍ତୁ ବେଳାଭୂମି ରାସ୍ତାର ଆର ପଟେ ଥିବା ହୋଟେଲ୍ଗୁଡ଼ିକ ସେମିତି ଖାଁ ଖାଁ ଦେଖାଯାଉଛି। େକବଳ ପର୍ଯ୍ୟଟକମାନେ ହୋଟେଲ୍ ସାମ୍ନାରେ ଠିଆ ହୋଇ ପ୍ରକୃତିର
କୋପରେ ଛାରଖାର ହୋଇଥିବା ହୋଟେଲ୍ ସହ ସେଲ୍ଫି ନେଉଛନ୍ତି।
ଫନି ଯିବାର ଦୁଇ ସପ୍ତାହ ପୂରିବାକୁ ବସିଲାଣି। ବିଜୁଳି, ପାଣି, ରାସ୍ତା ପରି ମୌଳିକ ସୁବିଧା ସୁଯୋଗ ଦେବାକୁ ସରକାର ଜୋର୍ଦାର୍ ଉଦ୍ୟମ ଜାରି ରଖିଛନ୍ତି। ସ୍ବାଭାବିକ ସ୍ଥିତିକୁ ଫେରିବା ପାଇଁ ଲୋକମାନେ ବି ନିଜ ନିଜ ବାଟରେ ନିରନ୍ତର ଚେଷ୍ଟା କରୁଛନ୍ତି। କିନ୍ତୁ ପୁରୀର ହୋଟେଲ୍ ଶିଳ୍ପ ଏ ଯାଏ ସଳଖି ଠିଆ ହୋଇପାରୁନି। କ୍ଷତିର ମାତ୍ରା ଏତେ ଅଧିକ ହୋଇଛି ଯେ କିପରି କେମିତି କାମ କରିବେ, ମାଲିକମାନେ ବାଟ ପାଉ ନାହାନ୍ତି। ହୋଟେଲ୍ର ସାମ୍ନା ପଟ, ପରିସର, ରୁମ୍ ଭିତର ସବୁ ଛାରଖାର ହୋଇଛି। ବିଶେଷ କରି ହୋଟେଲ୍ର କାଚଗୁଡ଼ିକ ଏମିତି ଭାଙ୍ଗିପଡ଼ିଛି ଯେ ସେଗୁଡ଼ିକୁ ସଫା କରିବାରେ ଓ ହୋଟେଲ୍ ଭିତରକୁ ବାଲି କାଢ଼ିବାରେ ଏତିକି ଦିନ ଚାଲିଗଲାଣି। ବେଳାଭୂମିରେ ଅଧିକାଂଶ ହୋଟେଲ୍ର ବାଲ୍କୋନିକୁ ଚାହିଁଲେ ଖାଲି ଗଦି ଶୁଖାଯାଇଥିବାର ଦେଖିବାକୁ ମିଳୁଛି।
ହୋଟେଲ୍ ନବୀକରଣ ଓ ମରାମତି କିପରି ହେବ, ତାହା ଏକ ବଡ଼ ଚିନ୍ତାର କାରଣ ବି ପାଲଟିଛି। ପୁରୀର ପ୍ରାୟ ସବୁ ହୋଟେଲ୍ ଉଣା ଅଧିକେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ସମସ୍ତେ ଏକା ସଙ୍ଗେ ମରାମତି କାର୍ଯ୍ୟ କରି ହୋଟେଲ୍ ଖୋଲିବାକୁ ଯୋଜନା କରିବା ସ୍ବାଭାବିକ। ତେବେ ଏତେ ସଂଖ୍ୟାରେ ସାମଗ୍ରୀ ଓ ଏତେ ମାନବ ସମ୍ବଳ କେଉଁଠୁ ପାଇବେ, ତାହା ମୁଣ୍ଡବିନ୍ଧାର କାରଣ ପାଲଟିଛି। କିଛି ହାତଗଣତି ହୋଟେଲ୍ରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏ ଯାଏ ବିଜୁଳି ସଂଯୋଗ ହୋଇ ନ ଥିବାରୁ କାମ ପୂରା ମାତ୍ରାରେ ଆରମ୍ଭ ହୋଇପାରୁ ନାହିଁ।
ବେଳାଭୂମି ରାସ୍ତାରେ ଦିଗବାରେଣୀ ଛକରୁ କୋକୋପାମ୍ ପର୍ଯ୍ୟନ୍ତ ରାସ୍ତା ଉପରୁ ବାଲି ସଫା ହୋଇଛି। କିନ୍ତୁ ତାହା ପରେ ବଳିଆ ପଣ୍ଡା ପର୍ଯ୍ୟନ୍ତ ବହୁ ହୋଟେଲ୍ ଥିଲେ ବି ମୁଖ୍ୟ ରାସ୍ତା ଏବେ ବି ବାଲିସ୍ତୂପ ପରି ପ୍ରତୀୟମାନ ହେଉଛି। ବାଲି ସଫା ହୋଇ ନ ଥିବାରୁ ମୁଖ୍ୟ ରାସ୍ତାରେ ଗାଡ଼ି ଯିବା ସମ୍ଭବ ହେଉ ନାହିଁ।
ହୋଟେଲ୍ ଆସୋସିଏସନ୍ ଅଫ୍ ପୁରୀର ଏକ ହିସାବ ଅନୁଯାୟୀ ବେଳାଭୂମି, ଚକ୍ରତୀର୍ଥ େରାଡ୍, ଭିଆଇପି ରୋଡ୍ ଓ ବଡ଼ଦାଣ୍ଡରେ ମୋଟ୍ ୧୭୦୦ େହାଟେଲ୍ ରହିଛି। ୨୦ ହଜାରରୁ ଅଧିକ କର୍ମଚାରୀ ଏଥିରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ପୁଣି ପରୋକ୍ଷ ଭାବେ ସ୍ଥାନୀୟ ହଜାର ହଜାର ବେକାରୀ ଯୁବକଙ୍କୁ ହୋଟେଲ୍ ଶିଳ୍ପ ରୋଜଗାର ଯୋଗାଉଛି। ଫନି ପ୍ରଭାବରେ ଏହି ଶିଳ୍ପରେ ୫୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଗୋଟିଏ ଗୋଟିଏ ବଡ଼ ହୋଟେଲ୍ର କ୍ଷତିର ପରିମାଣ ୪/୫ କୋଟି ଟଙ୍କାରୁ ଅଧିକ ରହିଛି।
ବିଜୁଳି ସଂଯୋଗ ଆସି ନ ଥିବାରୁ କାଁ ଭାଁ କିଛି ହୋଟେଲ୍କୁ ଛାଡ଼ିଦେଲେ ଅନ୍ୟ ସବୁଠି ୧୫ ଦିନ ହେଲା ତାଲା ଝୁଲୁଛି। ଯଦିଓ ସବୁ ବଡ଼ ହୋଟେଲ୍ ଡିଜି ସେଟ୍ ରଖିଛନ୍ତି ଓ କିଛି ରୁମ୍କୁ ତତ୍କାଳ ସଜାଡ଼ି ପର୍ଯ୍ୟଟକଙ୍କୁ ଦେଇ ହେବ, କିନ୍ତୁ ହୋଟେଲ୍ ମାଲିକମାନେ କୌଣସି ରିସ୍କ ନେବାକୁ ପ୍ରସ୍ତୁତ ନାହାନ୍ତି। ଆମ ସହ ଆଲୋଚନା ବେଳେ ହୋଟେଲ୍ ହଲିଡେ ରିସର୍ଟର ପରିଚାଳନା ନିର୍ଦ୍ଦେଶକ ତଥା ହୋଟେଲ୍ ଆସୋସିଏସନ୍ ଅଫ୍ ପୁରୀର ସାଧାରଣ ସମ୍ପାଦକ ରାଜ କିଶୋର ପାତ୍ର କହିଥିଲେ, ଏମିତି କାମଚଳା ଭାବେ ହୋଟେଲ୍ ଖୋଲିଲେ ବଦନାମ ହେବାର ଆଶଙ୍କା ରହିଛି। କାରଣ ଡିଜି ସେଟ୍ ଲଗାଇଲେ ବହୁତ ଖର୍ଚ୍ଚ ପଡ଼ିବ ଓ ପର୍ଯ୍ୟଟକଙ୍କ ଆଶାନୁଯାୟୀ ସେବା ବି ଦେଇ ହେବନି। ଥରେ ହୋଟେଲ୍ ବଦ୍ନାମ ହେଲେ ସବୁଦିନ ପାଇଁ ପର୍ଯ୍ୟଟକଙ୍କ ମନରେ ଏକ ଛାପ ରହିଯିବ। ଯେତେ ବିଳମ୍ବ ହେଲେ ବି ବିଜୁଳି ସଂଯୋଗ ଓ ପୂରା ମରାମତି କାର୍ଯ୍ୟ ନ ସରିଲେ ବୁକିଂ ରଖାଯିବ ନାହିଁ। ଇଣ୍ଟର୍ନେଟ୍ ସଂଯୋଗ ଆସିଲା ପରେ ଯେଉଁମାେନ ଆଡ୍ଭାନ୍ସ ବୁକିଂ କରିଥିଲେ ସେମାନଙ୍କୁ ଟଙ୍କା ଫେରାଯିବ ବୋଲି ଶ୍ରୀ ପାତ୍ର କହିଥିଲେ।
ପୂର୍ବରୁ ପୁରୀର ହୋଟେଲ୍ ଶିଳ୍ପ କେବେ ଏମିତି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି ନ ଥିଲେ। ତଥାପି ବେଳାଭୂମିରେ ଥିବା ବହୁ ହୋଟେଲ୍ ୧୭୫ କିମି ବେଗର ପବନ ସମ୍ଭାଳିବା ପରି ସାମଗ୍ରୀ ହୋଟେଲ୍ରେ ଲଗାଇଥିଲେ। କିନ୍ତୁ ଫନିର ବେଗ ତାହା ଠାରୁ ଅଧିକ ହେବାରୁ କାଚ ସବୁ ଭାଙ୍ଗି ପବନ ହୋଟେଲ୍ ଭିତର ଉଜାଡ଼ିଦେଲା। ଶ୍ରୀ ପାତ୍ରଙ୍କ କହିବାନୁଯାୟୀ, ଏବେ ନବୀକରଣ କାର୍ଯ୍ୟ କଲା ବେଳେ ଅଧିକ ପବନର ବେଗକୁ କିପରି ସମ୍ଭାଳି ହେବ, ତହାକୁ ଦେଖି ହୋଟେଲ୍ରେ ସରଞ୍ଜାମ ଲଗାଇବାକୁ ପଡ଼ିବ। ଓଡ଼ିଶା ଉପକୂଳ ବାତ୍ୟାପ୍ରବଣ ହୋଇଥିବାରୁ ଏ ନେଇ କୌଣସି ସାଲିସ୍ କରାଯିବା ଉଚିତ ନୁହେଁ। ହୋଟେଲ୍ ଶିଳ୍ପକୁ ଜୀବନ୍ୟାସ ଦେବା ପାଇଁ ଆସୋସିଏସନ୍ ମଧ୍ୟ ବାହାରୁ ପରାମର୍ଶଦାତା ଡାକି ଆଲୋଚନା କରିବ ବୋଲି ସେ କହିଥିେଲ।
ପୁରୀରେ ହୋଟେଲ୍ ଶିଳ୍ପକୁ ଆଉ ଥରେ ସଳଖି ଠିଆ ହେବା ପାଇଁ ସରକାରୀ ପ୍ରୋତ୍ସାହନର ଜରୁରି ଆବଶ୍ୟକତା ହୋଇପଡ଼ିଛି। ପ୍ରଥମେ ବିଜୁଳି ସଂଯୋଗ ଦିଆଗଲେ ସମସ୍ତେ ମରାମତି କାର୍ଯ୍ୟ ଆରମ୍ଭ କରିବେ। ପର୍ଯ୍ୟଟନ ସହ ହୋଟେଲ୍ ଶିଳ୍ପର ସିଧାସଳଖ ସମ୍ପର୍କ ରହିଥିବାରୁ ହୋଟେଲ୍ ଶିଳ୍ପକୁ ପୁନର୍ଜୀବନ ଦେବାରେ ପର୍ଯ୍ୟଟନ ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ପୁରୀରେ ସ୍ବାଭାବିକ ସ୍ଥିତି ଫେରି ଆସିଲେ ପର୍ଯ୍ୟଟନ ବିଭାଗ ଏହାର ବ୍ୟାପକ ପ୍ରଚାର, ପ୍ରସାର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଆବଶ୍ୟକତା ରହିଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ହୋଟେଲ୍ ମାଲିକମାନଙ୍କ ସହ ବୈଠକ କରି ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ପର୍ଯ୍ୟଟନ ବିଭାଗ, ଶିଳ୍ପ ବିଭାଗ ଓ ଅର୍ଥ ବିଭାଗ ମିଳିତ ଭାବେ ହୋଟେଲ୍ ଶିଳ୍ପକୁ ଉଠାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବେଳେ ହୋଟେଲ୍ ଆସୋସିଏସନ୍ ପକ୍ଷରୁ ସଭାପତି ରାମକୃଷ୍ଣ ଦାସମହାପାତ୍ର ଏକ ସ୍ମାରକପତ୍ର ଦେଇଛନ୍ତି। ଋଣ ପରିଶୋଧ ପାଇଁ ଏକ ବର୍ଷ ଅଧିକ ସମୟ, ହୋଟେଲ୍ର ନବୀକରଣ ପାଇଁ ସ୍ବଳ୍ପ ମିଆଦି ଋଣ ବ୍ୟବସ୍ଥା, ତୁରନ୍ତ ଋଣ ମଞ୍ଜୁରିର ବ୍ୟବସ୍ଥା, ବୀମା କମ୍ପାନି ତୁରନ୍ତ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରିବା ପାଇଁ ସରକାରୀ ପଦକ୍ଷେପ ନେବାକୁ ଏଥିରେ ଅନୁରୋଧ କରାଯାଇଛି।
ଆଗକୁ ରଥଯାତ୍ରା। ମଝିରେ ଆଉ ମାତ୍ର ଦେଢ଼ ମାସର ସମୟ। ସେହି ସମୟ ମଧ୍ୟରେ ପୁଣି ଭୋଟ୍ ଗଣତି ଅଛି ଓ ନୂଆ ସରକାର ଗଠନ ହେବ। ଯେଉଁ ବିଭାଗଗୁଡ଼ିକ ହୋଟେଲ୍ ଶିଳ୍ପକୁ ଜୀବନ୍ୟାସ ଦେଇପାରିବେ, ସେହି ବିଭାଗର ମନ୍ତ୍ରୀ, ଅଧିକାରୀ ବଦଳିପାରନ୍ତି। କିନ୍ତୁ ଯଦି ରଥଯାତ୍ରା ପୂର୍ବରୁ ଅଧିକାଂଶ ହୋଟେଲ୍ ସ୍ବାଭାବିକ ଅବସ୍ଥାକୁ ନ ଆସେ, ତେବେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଓଡ଼ିଶାକୁ ବଡ଼ ଧକ୍କା ହେବ। ଆଉ ଯଦି ଥରେ ବାହାରର ପର୍ଯ୍ୟଟକ ନିଜ ଗନ୍ତବ୍ୟ ସ୍ଥଳର ଠିକଣା ବଦଳାଇ ଦିଅନ୍ତି, ତେବେ ସେମାନଙ୍କୁ ଫେରାଇ ଆଣିବା ଏତେ ସହଜ ହେବ ନାହିଁ।
ହୋଟେଲ୍ ହୁଏତ କିଛି ଲୋକଙ୍କ ବ୍ୟବସାୟ ହୋଇପାରେ। କିନ୍ତୁ ଏହା ସହ ଓଡ଼ିଶାର ସ୍ବାର୍ଥ ଓ ପର୍ଯ୍ୟଟନ ଜଡ଼ିତ ଅଛି। ପୁଣି ହଜାର ହଜାର ଲୋକଙ୍କ ପେଟପାଟଣା ବି। ତେଣୁ ସମୂହ ସ୍ବାର୍ଥ ଦୃଷ୍ଟିରୁ ଏହି ଶିଳ୍ପ ଯେତେ ଶୀଘ୍ର ସଳଖି ଠିଆ ହେବ, ଓଡ଼ିଶା ପର୍ଯ୍ୟଟନ ତା’ର ଗୋଲାପି ଚିତ୍ର ପୁଣି ଦୁନିଆକୁ ଦେଖାଇପାରିବ।