ପୁରୀ : ପୁରୀ ସମୁଦ୍ର କୂଳରେ ଭାରତ ପର୍ଯ୍ୟଟନ ବିଭାଗ(ଆଇଟିଡିସି) ଅଧୀନରେ ଥିବା ହୋଟେଲ ନୀଳାଚଳ ଅଶୋକ ଉପରେ ମାନ୍ୟବର ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଉତ୍କଳ ଅଶୋକ ‌ହୋଟେଲ କର୍ପୋରେସନ୍‌ ଲିମିଟେଡ୍‌ ଚୁକ୍ତି ନିୟମ ବାତିଲ୍‌(ଲାଇନ୍‌ ଅଫ୍‌ ଇଣ୍ଟେଣ୍ଟ) ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲା, କୋର୍ଟ ତାକୁ ସମର୍ଥନ ଜଣାଇଛନ୍ତି। ଅପରପକ୍ଷେ ଲିଜ୍‌ଧାରୀ ପଲମେକ୍‌ ଇନ୍‌ଫ୍ରାଷ୍ଟକଚର ପ୍ରାଇଭେଟ୍‌ ଲିମିଟେଡ୍‌ଙ୍କୁ ପ୍ରାୟ ୪ କୋଟି ଟଙ୍କା ଫେରସ୍ତ ଦେବାକୁ ଉତ୍କଳ ଅଶୋକ ହୋଟେଲ କର୍ପୋରେସନ୍‌ ଲିମିଟେଡ୍‌କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟପଟେ ଚୁକ୍ତି ମୁତାବକ ପଇଠ କରିଥିବା ବାକି ଟଙ୍କାର ଫେରସ୍ତ ପାଇଁ ପଲମେକ୍‌ ଇନ୍‌ଫ୍ରାଷ୍ଟକଚର ପ୍ରାଇଭେଟ୍‌ ଲିମିଟେଡ୍‌ ଆଇନର ଆଶ୍ରୟ ନେଇପାରିବେ(ସିଭିଲ୍‌ ସୁଟ୍‌) ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସମୁଦ୍ର କୂଳରେ ରହିଛି ହୋଟେଲ ନୀଳାଚଳ ଅଶୋକ। ଲିଜ୍‌କୁ ନେଇ ବିବାଦ ଯୋଗୁ କେନ୍ଦ୍ର ପର୍ଯ୍ୟଟନ ବିଭାଗର ଏହି ବହୁ ପୁରାତନ ହୋଟେଲ୍‌ ଏବେ ଭୂତକୋଠି ପାଲଟିଛି। ଭଗ୍ନ ଅବସ୍ଥାରେ ପଡ଼ିରହିଛି କୋଟି କୋଟି ଟଙ୍କାର ଆସବାବପତ୍ର।

Advertisment

publive-image Image Courtesy of The Indian Express

ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଉତ୍କଳ ଅଶୋକ ହୋଟେଲ କର୍ପୋରେସନ୍‌ ଲିମିଟେଡ୍‌(ୟୁଏଏଚସିଏଲ୍‌)କୁ ୧୯୮୯ ମସିହା ଜାନୁଆରି ୨୪ ତାରିଖରେ ହୋଟେଲ ପାଇଁ ୯୯ ବର୍ଷିୟା ଲିଜ୍‌ରେ ଜାଗା ଯୋଗାଇ‌ ଦେଇଥିଲେ। ପରବର୍ତ୍ତୀ ସମୟରେ ୟୁଏଏଚ୍‌ସିଏଲ୍‌ ଏଠାରେ ୪ ମହଲା ବିଶିଷ୍ଟ ‌ହୋଟେଲ ନିର୍ମାଣ କରିଥିଲା। ଯାହାର ନାମ ରଖାଯାଇଥିଲା ହୋଟେଲ ନୀଳାଚଳ ଅଶୋକ। ସେ ସମୟରେ ଏହି ହୋଟେଲରେ ରହିଥିଲା ଅତ୍ୟାଧୁନିକ ସୁବିଧା। ରାଜ୍ୟରେ ଏଭଳି ହାତଗଣତି ହୋଟେଲ ରହିଥିଲା। କିନ୍ତୁ ପରିଚାଳନାଗତ ସମସ୍ୟା ଯୋଗୁ ୨୦୦୪ ମସିହାରେ ସଂସ୍ଥାର ବୋର୍ଡ ଅଫ୍‌ ଡାଇରେକ୍ଟର ଏହି ହୋଟେଲ ପରିଚାଳନାରୁ ଓହରିବାକୁ ନିଷ୍ପତ୍ତି ନେଇଥିଲା। ୨୦୦୯ ମସିହାରେ ବାକି ୪୦ ବର୍ଷର ହୋଟେଲ ପରିଚାଳନା ପାଇଁ ଟେଣ୍ଡର ପ୍ରକାଶ ପାଇଥିଲା। ସର୍ବାଧିକ ବିଡର୍‌ ଭାବେ ପଲ୍‌ମେକ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌କୁ ସ୍ବୀକୃତି ଦେଇଥିଲା ସଂସ୍ଥା। ଆଉ ଲିଜ୍‌ ଅବଧି ବୈଧ ପାଇଁ ୯.୩୪ କୋଟି ଟଙ୍କା ୩୦ ଦିନ ଭିତରେ ୟୁଏଏଚ୍‌ସିଏଲ୍‌ ଜମା ଦେବାକୁ ସର୍ତ୍ତାବଳୀ ରହିଥିଲା। ଯେଉଁଥିରେ ଅଗ୍ରୀମ ୮.୮୨ କୋଟି ଟଙ୍କା ଜମା ଦେବାକୁ କୁହାଯାଇଥିଲା। ଏହି ଟଙ୍କା ଫେରସ୍ତ ମିଳିବନି ବୋଲି ବି ସର୍ତ୍ତାବଳୀରେ ଉଲ୍ଲେଖ ରହିଥିଲା। ବାକି ପ୍ରଥମ ବର୍ଷ ପାଇଁ ୨୬ ଲକ୍ଷ ଟଙ୍କା ସିକ୍ୟୁରିଟି ଜମା ଦେବାକୁ କୁହାଯାଇଥିଲା। ଏହି ଟଙ୍କା ଦେବାରେ ବିଳମ୍ବ କରିଥିଲା ପଲମେକ୍‌ ଇନ୍‌ଫ୍ରାଷ୍ଟକଚର ପ୍ରାଇଭେଟ୍‌ ଲିମିଟେଡ୍‌। ୨୦୧୦ ମସିହା ସେପ୍ଟେମ୍ବର ୧୯ ତାରିଖରେ ୪.୪୧ କୋଟି ଟଙ୍କା ଜମା ଦେଇଥିଲେ ବି ବାକି ଟଙ୍କା ଦେବାରେ ବିଳମ୍ବ କରିଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

publive-image

ପରେ ସଂସ୍ଥାର ଅନୁରୋଧକ୍ରମେ ଟଙ୍କା ଜମା ପାଇଁ ୟୁଏଏଚ୍‌ସିଏଲ୍‌ ସମୟ ବୃଦ୍ଧି କରିଥିଲା। ତଥାପି ସଂପୃକ୍ତ ସଂସ୍ଥା ଏହି ସମୟ ଭିତରେ ଟଙ୍କା ଜମା କରିପାରିନଥିଲା। ୨୦୧୦ ଡିସେମ୍ବର ୧୫ ଭିତରେ ଟଙ୍କା ଜମା ପାଇଁ ୟୁଏଏଚ୍‌ସିଏଲ୍‌ କହିଥିଲେ ବି ବିଳମ୍ବରେ ଅର୍ଥାତ୍‌ ୨୦୧୦ ଡିସେମ୍ବର ୨୮ରେ ୨ କୋଟି, ଡିସେମ୍ବର ୨୯ରେ ୧.୪୧ କୋଟି ଓ ୨୦୧୧ ଜାନୁଆରି ୭ରେ ୭୦ ଲକ୍ଷ ଟଙ୍କା ଜମା ଦେଇଥିଲା ଟେଣ୍ଡର ନେଇଥିବା ସଂସ୍ଥା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିବା ସହ କର୍ମଚାରୀ ଅସନ୍ତୋଷ ବୃଦ୍ଧି ପାଇଥିଲା। ୟୁଏଏଚ୍‌ସିଏଲ୍‌ର ଅନେକ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଦିଆଯାଇଥିଲା। ଏହା ଭରଣା କରିବାକୁ ୟୁଏଏଚ୍‌ସିଏଲ୍‌ ସଂପୃକ୍ତ ସଂସ୍ଥାକୁ କହିଥିଲା। ଏହାରି ଭିତରେ ୟୁଏଏଚ୍‌‌ସିଏଲ୍‌ର ବୋର୍ଡ ଅଫ୍‌ ଡାଇରେକ୍ଟର ସଂପୃକ୍ତ ସଂସ୍ଥାର ଲିଜ୍‌ ବାତିଲ୍‌ ନିଷ୍ପତ୍ତି ନେଇଥିଲେ। ଏହାଉପରେ ୨୦୧୩ ମସିହାରେ ସଂପୃକ୍ତ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାନ୍ୟବର ହାଇକୋର୍ଟଙ୍କ ରାୟ ସନ୍ତୋଷଜନକ ନଥିବା ଅଭିଯୋଗ ଆଣି ପଲମେକ୍‌ ଇନ୍‌ଫ୍ରାଷ୍ଟକଚର ପ୍ରାଇଭେଟ୍‌ ଲିମିଟେଡ୍‌ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଜଷ୍ଟିସ ଏମ ଆର ସାହା ଓ ଜଷ୍ଟିସ୍‌ ଏସ୍‌ ଏସ୍‌ ବୋପନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ(ରିଟ୍‌ ପିଟିସନ୍‌ କେସ୍‌ ନଂ-୨୩୧୦୩/୨୦୧୩)ର ପରିବର୍ତ୍ତିତ ରାୟ ଦେଇଛନ୍ତି। ପଲମେକ୍‌ ଇନ୍‌ଫ୍ରାଷ୍ଟକଚର ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୧୩ ଡିସେମ୍ବର ୧୦ରେ ୟୁଏଏଚ୍‌ସିଏଲ୍‌ ଲିଜ୍‌ ଏଗ୍ରିମେଣ୍ଟ(ଏଲ୍‌ଓଆଇ) ବାତିଲ୍‌ ନେଇ ନିଷ୍ପତ୍ତି ନେଇଥିଲା, ତାକୁ ଖାରଜ କରିବାକୁ ଆବେଦନ କରିଥିଲା। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ଆବେଦନକୁ ନାକଚ କରିବା ସହ ୟୁଏଏଚସିଏଲ୍‌ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି। ଅପରପକ୍ଷେ ୨୦୧୦ ଡିସେମ୍ବର ୨୮ରେ ତାରିଖରେ ଜମା ୨ କୋଟି, ଡିସେମ୍ବର ୨୯ ତାରିଖରେ ଜମା ୧.୪୧ କୋଟି ଓ ୨୦୧୧ ଜାନୁଆରି ୭ରେ ଜମା ୭୦ ଲକ୍ଷ ଟଙ୍କା, ଏପରି ମୋଟ ୪.୪୨ କୋଟି ଟଙ୍କାକୁ ଫେରସ୍ତ ଦେବାକୁ ୟୁଏଏଚ୍‌ସିଏଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୋର୍ଟ ୪ ସପ୍ତାହର ସମୟ ଦେଇଛନ୍ତି।