ରାଉରକେଲାରେ ହୋଟେଲ୍‌ ମାଲିକଙ୍କୁ ହତ୍ୟା

ରାଉରକେଲା : ରାଉରକେଲା‌ରେ ଦୁଇ ସୁନା ଦୋକାନୀ ହତ୍ୟାକାଣ୍ଡ ଘଟଣା ସହରବାସୀଙ୍କ ମନରୁ ନ ଲିଭିଣୁ ଗତରାତିରେ ଜଣେ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ହୋଟେଲ୍‌ ମାଲିକ ହେଲେ ଡିଏଭି ଲେନ୍‌ର ସଜ୍ଜଲ ମିତ୍ତଲ (୫୮)। ଘର ବାରଣ୍ଡାରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଲୁହା ରଡ୍‌ରେ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ସଜ୍ଜଲଙ୍କ ଭାଇ କୈଳାସ ଅଗ୍ରୱାଲଙ୍କ ଲିଖିତ ଏତଲା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଜ୍ଜଲଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ଟ୍ରାଫିକ୍‌ ଗେଟ୍‌ ନିକଟ ଡିଏଭି ସ୍କୁଲ୍‌ ଲେନ୍‌ରେ ହୋଟେଲ ମାଲିକ ତଥା ବ୍ୟବସାୟୀ ସଜ୍ଜଲ ମିତ୍ତଲ ପରିବାର ସହ ରହନ୍ତି। ତାଙ୍କର ରାଉରକେଲା ଷ୍ଟେସନ ଅମରଭବନ ନିକଟରେ ‘ହୋଟେଲ ବସରୋ ଲଜ୍‌’ ରହିଛି। ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ‘ପବନ ଷ୍ଟୋର’ ବାସନକୁସନ ଦୋକାନ ମଧ୍ୟ ସେ ଚଳାଉଛନ୍ତି। ପ୍ରତିଦିନ ପରି ଗତକାଲି ସଜ୍ଜଲ ପୁଅ ସହିତ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍‌ ନିକଟ ‌ବାସନକୁସନ ଦୋକାନକୁ ଯାଇଥିଲେ। ରାତି ୧୦ଟାରେ ଦୋକାନ ବନ୍ଦ କରିଥିଲେ। ପୁଅକୁ ଘରକୁ ପଠାଇ ନିଜେ ସ୍କୁଟିରେ ଷ୍ଟେସନ୍‌ ନିକଟ ହନୁମାନ ମନ୍ଦିରକୁ ଆସିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ମନ୍ଦିରରେ ରହିଥିଲେ। ପୂଜାର୍ଚ୍ଚନା କରିବା ସହ କମିଟିର ସଦସ୍ୟଙ୍କ ସହ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବାପରେ ହୋଟେଲ୍‌କୁ ଫେରିଥିଲେ। ହୋଟେଲ୍‌ରେ କର୍ମଚାରୀଙ୍କ ସହ କଥା ହୋଇ ସ୍କୁଟିରେ ଘରକୁ ଫେରି ରାତି ୧୦ଟା ୪୫ମିନିଟ୍‌ରେ ପହଞ୍ଚିଥିଲେ। ଗେଟ୍‌ ଖୋଲି ସ୍କୁଟି ସହ ଭିତରକୁ ପଶୁଥିବାବେଳେ ହଠାତ୍‌ ଦୁଇ ଦୁର୍ବୃତ୍ତ ‌ପଲ୍‌ସର ବାଇକ୍‌ରୁ ଓହ୍ଲାଇ ତାଙ୍କୁ ଲୁହା ରଡ୍‌ରେ ପ୍ରାଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଥିଲେ। ସଜ୍ଜଲ ଲହୁଲୁହାଣ ହୋଇ ତଳେ ଚିତ୍କାର କରିଥି‌ଲେ। ତାଙ୍କ ଚିତ୍କାର ଶୁଣି ଘର ଲୋକ ଦୌଡି ଆସି ସଜ୍ଜଲଙ୍କୁ ଉଦ୍ଧାର କରି ଆଇଜିଏଚ୍‌କୁ ନେଇଥିଲେ। ରାତି ପ୍ରାୟ ୧ଟା ୫୫ ମିନିଟ୍‌ରେ ଡାକ୍ତର ତାଙ୍କୁ ମୃତ‌ ଘୋଷଣା କରିଥିଲେ।

ସଜ୍ଜଲଙ୍କ ମୃତ୍ୟୁ ଖବର ପାଇ ରାଉରକେଲା ହୋଟେଲ ସଂଘର କର୍ମକର୍ତ୍ତା, ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗଙ୍କ ସମେତ ବହୁ ଲୋକ ଆଇଜିଏଚ୍‌ ଓ ତାଙ୍କ ଘରେ ପହଞ୍ଚିଥିଲେ। ମୃତ ସଜ୍ଜଲଙ୍କ ଭାଇ କୈଳାସ ପୂର୍ବ ଶତ୍ରୁତାରୁ ତାଙ୍କ ଭାଇଙ୍କୁ ହତ୍ୟା କରଯାଇଛି ବୋଲି ଅଭିଯୋଗ କରିଛନ୍ତି। କହିଛନ୍ତି, ଗତ ୨୦୨୦ ସେପ୍ଟେମ୍ବର ୧୯ରେ ବିନା ନୋଟିସ୍‌ରେ ତାଙ୍କ ଭାଇଙ୍କ ଦୋକାନକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିଜର ଦାବି କରି ଭଙ୍ଗାରୁଜା କରିଥିଲେ। ଯାହାକୁ ସଜ୍ଜଲ ଓ ତାଙ୍କ ପରିବାର ଲୋକ ବିରୋଧ କରିଥିଲେ। ପୂର୍ବ ରାଗ ରଖି ସେମାନେ ତାଙ୍କ ଭାଇଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସେ କହିଛନ୍ତି। ପୁଲିସ ତୁରନ୍ତ ହତ୍ୟାକାରୀକୁ ଧରି ଘଟଣାର ପର୍ଦ୍ଦାଫାସ କରିବାକୁ ସେ ଦାବି କରିଛନ୍ତି।

ତେବେ, ସିସିଟିଭିରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ କିଛି ସୁରାକ ମିଳିବ ବୋଲି ଅନୁମାନ କରାଯାଉଛି। ପ୍ରଥମ ସିସି ଟିଭିରେ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ହତ୍ୟାକାଣ୍ଡର ପ୍ରାୟ ୧ ଘଣ୍ଟା ପୂର୍ବରୁ ସ୍ଥାନୀୟ ଅଞ୍ଚଳ ବୁଲି ଯାଇଥିବା ଚିତ୍ର ରହିଛି। ଦ୍ବିତୀୟ ସିସି ଟିଭିରେ ହତ୍ୟାଘଟଣାର ସମ୍ପୂର୍ଣ୍ଣ ଚିତ୍ର ରହିଛି। ସିସି ଟିଭିରେ କଏଦ ହତ୍ୟାକାଣ୍ଡର ଚିତ୍ର, ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ହତ୍ୟାକାଣ୍ଡସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ପ୍ରକାଶଥାଉକି, ଗତ ପ୍ରାୟ ୨ ମାସ ତଳେ ସାତ ଦିନ ବ୍ୟବଧାନରେ ସହରରେ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର