ହୋଟେଲ ମାଲିକାଣୀଙ୍କୁ ଗୁଳିକରି ହତ୍ୟା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଡୁଆଝର ଗ୍ରାମରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆପନା ହୋଟେଲ୍‌ ମାଲିକାଣୀଙ୍କ ମୃତ୍ୟୁ ହୋଇଛି। ଶନିବାର ରାତି ୯ଟାରେ ଘଟିଥିବା ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି।

ମାଲିକ ବିଭୀଷଣ ମେହେର, ସ୍ତ୍ରୀ ବାସନ୍ତୀ ମେହର ଓ ପୁଅ ଗିରିଧାରୀ ମେହେର ହୋଟେଲ୍‌ରେ ଥିବା ସମୟରେ ଖଡ଼ିଆଳ ପାର୍ଶ୍ବରୁ ୨ଜଣ ଯୁବକ ବାଇକ୍‌ରେ ଆସିଥିଲେ। ହଠାତ ହୋଟେଲ୍‌ରେ ପଶି ମହିଳାଙ୍କୁ ଖାଇବାକୁ ମାଗିଥିଲେ। ହୋଟେଲରେ ଖାଇବା ପାଇଁ ଆଉ କିଛି ନାହିଁ ବୋଲି ବାସନ୍ତୀ କହିଥିଲେ। ଏହି କଥାରେ ରାଗିଯାଇ ଜଣେ ଯୁବକ ବନ୍ଧୁକ ବାହାର କରି ବାସନ୍ତୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲ୍‌ ଭିତରେ ବାସନ୍ତୀ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ତାଙ୍କୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ବନ୍ଧୁକକୁ ହୋଟେଲ୍‌ ମଧ୍ୟରେ ପକାଇ ଫେରାର ହୋଇ ଯାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଖଡ଼ିଆଳ ଆଇଆଇସି ତାଙ୍କ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର