ପୁରୀ : ଏବେ ଚାଲିଛି ପର୍ଯ୍ୟଟନ ଋତୁ। ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ଦେଶ ବିଦେଶରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ବିଶେଷ କରି ନୂଆ ବର୍ଷ ପାଳନ କରିବା ଓ ଛୁଟି କାଟିବାକୁ ଏଠାକୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ଏହି ସୁଯୋଗକୁ ହାତଛଡ଼ା କରୁନାହାନ୍ତି ହୋଟେଲ ମାଲିକ। ସମସ୍ତ ନିୟମକାନୁନ, ଘୋଷିତ ଟାରିଫ୍ ଦର ଓ କଟକଣାକୁ ଫୁ କରି ଦେଇଛନ୍ତି ହୋଟେଲ ମାଲିକ।
/sambad/media/post_attachments/wp-content/uploads/2019/12/hotel-300x169.jpg)
ତେବେ ଏହି ଦର ବୃଦ୍ଧିକୁ କିଛି ମାଲିକ ବେଆଇନ ବୋଲି ମାନିବାକୁ ନାରାଜ। ବରଂ ଏହା ଠିକ୍ ବୋଲି ପାଲଟା ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବା କଥା, ଏବେ ସିଜିନ୍ ସମୟ। ଏହାର ଫାଇଦା ନେବା ଉଚିତ ବୋଲି ଏମାନେ କହିଛନ୍ତି। କିଛି ହୋଟେଲ ମାଲିକଙ୍କ ଯୁକ୍ତି ହେଲା, ବିମାନ ଟିକେଟରେ ଯଦି ଦର ବଢ଼ିପାରୁଛି, ତେବେ ହୋଟେଲ କାହିଁକି ଅଧିକ ଦର ବଢାଇ ପାରିବ ନାହିଁ। ଯାହା ହେଉ, ପୁରୀରେ ଏବେ ହୋଟେଲ ଦର ତିନିରୁ ଚାରି ଗୁଣା କରାଯାଇଛି। ୩ ରୁ ୪ ହଜାର ଟଙ୍କା ଟାରିଫ୍ ରହିଥିବା ହୋଟେଲ ନୂଆ ବର୍ଷ ପାଇଁ ରାତି ପିଛା ୧୦ରୁ ୧୩ ହଜାର ଟଙ୍କା ନିଆଯାଉଛି। ଅନ୍ଲାଇନ୍ରେ ବୁକିଂ ସରିଛି ବୋଲି ହୋଟେଲ କର୍ମଚାରୀ ପର୍ଯ୍ୟଟକଙ୍କୁ କହୁଛନ୍ତି। ମାତ୍ର ଦରରେ ରାଜି ହେଲେ ରୁମ୍ ମିଳିଯାଉଛି। ପୁରୀରେ ତିନି ହଜାର ଲଜ୍ ଓ ହୋଟେଲ୍ ଥିବା ବେଳେ ପ୍ରାୟ ଲକ୍ଷାଧିକ ରୁମ୍ ରହିଛି। ତେବେ ଏହି ସବୁ ହୋଟେଲ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବାଧ୍ୟ ହୋଇ ରୁମ୍ ବୁକିଂ କରୁଛନ୍ତି।
ଅନ୍ୟ ପଟେ ବିଭିନ୍ନ ହୋଟେଲର ବୁକିଂ କରୁଥିବା କିଛି ଘରୋଇ ସଂସ୍ଥା ମଧ୍ୟ ନିଜ ୱେବସାଇଟ୍ରେ ରୁମ୍ ଦର ବୃଦ୍ଧି କରି ଦେଇଛନ୍ତି। ସେମାନେ ଅଫ୍ ସିଜିନ୍ରେ ଗୋଟିଏ ଟାରିଫ ଘୋଷଣା କରୁଥିବା ବେଳେ ଗ୍ରାହକଙ୍କ ଚାହିଦା ସମୟରେ ଏହାକୁ ବୃଦ୍ଧି କରୁଛନ୍ତି। ଏହି ଘଟଣାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କରେ ହୋଟେଲ ମାଲିକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଏ ନେଇ କୌଣସି ମତ ରଖିନାହାନ୍ତି।