ବ୍ୟାସନଗର: ପାଣିକୋଇଲି ଥାନା ଅନ୍ତର୍ଗତ ଖମଣ ପଞ୍ଚାୟତ ଗୋଡ଼ିପାଟଣା ଗ୍ରାମର ବେଣୁଧର ପୃଷ୍ଟି(୫୦)ଙ୍କର ଗୁରୁବାର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଗତମାସ ୨୬ ତାରିଖ ରାତିରେ ବ୍ୟାସନଗର ଠାରେ ବେଣୁଧରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ଶୁକ୍ରବାର ଗୋଡ଼ିପାଟଣା ଗ୍ରାମବାସୀ ମୃତଦେହ ରଖି ବ୍ୟାସନଗର ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ।
ଏହି ମାମଲାରେ ଯାଜପୁରରୋଡ ପୁଲିସ ଆଜି ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବିଝାମୋହନପୁର ଦୋଳପତି ଗ୍ରାମର ଆଲୋକ ମହାନ୍ତି(୨୫)କୁ ଗିରଫ କରିଛି। ବେଣୁଧର ଓ ଆଲୋକ ବ୍ୟାସନଗରସ୍ଥିତ ସୁବାସ ପ୍ୟାଲେସ୍(ହୋଟେଲ)ରେ କାମ କରୁଥିଲେ।
କୌଣସି ବିବାଦକୁ ନେଇ ନଭେମ୍ବର ୨୬ ତାରିଖ ରାତିରେ ବେଣୁଧରଙ୍କୁ ସୁବାସ ପ୍ୟାଲେସ୍ ଠାରେ ଅଭିଯୁକ୍ତ ଆଲୋକ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ବେଣୁଧର ଶୋଇଥିବା ବେଳେ ତାଙ୍କ ମୁଣ୍ଡ, ଛାତି ଓ ଗୋଡ଼କୁ ଅଭିଯୁକ୍ତ ଏକ ଲୁହାରଡ ଏବଂ ହାତୁଡ଼ିରେ ନିସ୍ତୁକ ପିଟିଥିଲା। ଏଥିରେ ବେଣୁଧରଙ୍କ ମୁଣ୍ଡ, ଗୋଡ଼ ଓ ଛାତିରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ହୋଟେଲ ମାଲିକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା। ଏସମ୍ପର୍କରେ ହୋଟେଲ ମାଲିକ ସଂଜୟ ମହାପାତ୍ର ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ।
ନଂ. ୪୯୫/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଅଭିଯୁକ୍ତ ହୋଟେଲ୍ରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ନଷ୍ଟ କରିଦେଇଥିବାରୁ ତାକୁ ଧରିବା ସମ୍ଭବ ହୋଇନଥିଲା। ହେଲେ ବାହାରେ ଲାଗିଥିବା ଅନ୍ୟ ବ୍ୟବସାୟୀଙ୍କ ସିସିଟିଭିରୁ ଅଭିଯୁକ୍ତ ସମ୍ପର୍କରେ ସୂଚନା ମିଳିଥିଲା। ଏହାକୁ ଆଧାର କରି ଯାଜପୁରରୋଡ ପୁଲିସ ତଦନ୍ତ ଚଳାଇଥିବା ବେଳେ ଆଜି ଆଲୋକକୁ କଟକରୁ ଗିରଫ କରିଛି। ଅନ୍ୟପକ୍ଷରେ ଆଜି ଖମଣ ସରପଞ୍ଚ ସୁଶାନ୍ତ କୁମାର ସାହୁ, ଅକ୍ଷୟ କୁମାର ଜେନା, ଦିଲୀପ କୁମାର ସାହୁ, ପଦ୍ମନାଭ ପାଢ଼ୀ, ସନ୍ତୋଷ ମହାକୁଡ଼, ଗଜେନ୍ଦ୍ର ମହାକୁଡ଼, ଦୁର୍ଯ୍ୟୋଧନ ସାହୁ, ମଦନ ମୋହନ ବେହେରା, ଅରୁଣ ସାହୁ, କେଶବ ମହାକୁଡ଼, ଧୀରେନ କୁମାର ସାହୁ, ସୁଶାନ୍ତ ଗୁରୁ, ନିରଞ୍ଜନ ମହାଲାଙ୍କ ସମେତ ଗୋଡ଼ିପାଟଣା ଗ୍ରାମବାସୀ ମୃତଦେହ ରଖି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ତହସିଲଦାର ଅଶୋକ କୁମାର ମାଝୀ ଧାରଣାକାରୀଙ୍କ ସହ ଆଲୋଚନା କରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯିବା ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା। ମୃତକଙ୍କ ପରିବାରକୁ ସହାୟତା ଦେବାପାଇଁ ପୁଲିସ ମଧ୍ୟ ହୋଟେଲ ମାଲିକଙ୍କ ସହ ଆଲୋଚନା କରିଥିଲା। ଏହା ପରେ ଗ୍ରାମବାସୀ ମୃତଦେହକୁ ନେଇ ଗୋଡ଼ିପାଟଣାରେ ଶେଷକୃତ୍ୟ କରିଥିଲେ।