ପୁରୀ : ବାତ୍ୟା ‘ଫନି’ ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିବା ବେଳେ ଏପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ ହୋଇପାରି ନାହିଁ। ପୁରୀ ସହରକୁ ଶତ ପ୍ରତିଶତ ବିଜୁଳି ସଂଯୋଗ ମଧ୍ୟ ମିଳିନାହିଁ। ମୋବାଇଲ୍ ନେଟୱର୍କ ସେବା ମଧ୍ୟ ସ୍ବାଭାବକି ହୋଇପାରିନାହିଁ। ରଥଯାତ୍ରା ପୂର୍ବରୁ ଯାହା ଆବଶ୍ୟକ କାମ ତାହା ମଧ୍ୟ ଆରମ୍ଭ ହୋଇପାରିନାହିଁ। ବିଶେଷ କରି ‘ଫନି’ ଦ୍ବାରା ଶକ୍ତ ଧକ୍କା ଲାଗିଥିବା ପୁରୀର ପର୍ଯ୍ୟଟନ ଶିଳ୍ପକୁ ନେଇ ପ୍ରଶାସନ ଆଦୌ ଚିନ୍ତିତ ନଥିବା ଅଭିଯୋଗ ହୋଇଛି। ବାତ୍ୟାର ୨୮ ଦିନ ପରେ ମଧ୍ୟ ପୁରୀ ବେଳାମାର୍ଗ ଅନ୍ଧାରରେ ରହିଛି। ପୁରୀର ହୋଟେଲ ଶିଳ୍ପ ରଥଯାତ୍ରା ପୂର୍ବରୁ ସ୍ବାଭାବିକ ହେବା ନେଇ ସନ୍ଦେହ ମଧ୍ୟ ଉପୁଜିଛି। ପର୍ଯ୍ୟଟନ ଋୁତରେ ବେଳାମାର୍ଗ ଖାଁ ଖାଁ ରହିଛି। ହୋଟେଲ୍ ବୁକିଂ ଆରମ୍ଭ ହୋଇପାରୁ ନାହିଁ। ହୋଟେଲ୍ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରଶାସନ ଖସଡା ପ୍ରସ୍ତୁତ କରୁନଥିବାରୁ ହୋଟେଲ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିପର୍ଯ୍ୟୟରେ ହୋଟେଲ ଶିଳ୍ପକୁ କି ପ୍ରକାର ସହାୟତା ମିଳିବ ସେ ନେଇ ସରକାର କୌଣସି ଆକଳନ କରୁନଥିବାରୁ ହୋଟେଲ ମାଲିକ ଏବେ ଚିନ୍ତାରେ ପଡିଛନ୍ତି। ‘ଫନି’ରେ କ୍ଷତି ସହିଥିବା ହୋଟେଲ ଶିଳ୍ପ ମୁଣ୍ଡ ଟେକି ଠିଆ ହୋଇପାରୁନି। ବାତ୍ୟା ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ହୋଟେଲ୍ ଶିଳ୍ପରେ କାମ କରୁଥିବା ହୋଟେଲ କର୍ମଚାରୀଙ୍କ ଜୀବନ, ଜୀବିକା ବିପନ୍ନ ହୋଇପଡିଛି। ପୁରୀରେ ଥିବା ପ୍ରାୟ ୭୦୦ରୁ ଅଧିକ ଛୋଟବଡ ହୋଟେଲ୍ ଓ ଲଜ୍ରେ ୨୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ। ହୋଟେଲ ବନ୍ଦ ରହିଥିବାରୁ ଏହି କର୍ମଚାରୀମାନେ ପାରିଶ୍ରମିକ ପାଉନାହାନ୍ତି। ଶହ ଶହ କର୍ମଚାରୀଙ୍କୁ ଦରମା ମିଳୁନଥିବାରୁ ସେମାନେ ଚାକିରି ଛାଡି ଘରକୁ ପଳାଇଛନ୍ତି। ହୋଟେଲ୍ ଶିଳ୍ପ ସହିତ ଜଡିତ ଥିବା କର୍ମଚାରୀଙ୍କ ପାଇଁ ସରକାର ସହଯୋଗର ହାତ ବଢାଇନଥିବାରୁ ଆଗାମୀ ଦିନରେ ପୁରୀରେ ହୋଟେଲ ଶିଳ୍ପ ପ୍ରତି ସଙ୍କଟ ଉପୁଜିବାର ଆଶଙ୍କା ରହିଛି।
୨୦ ହଜାର ହୋଟେଲ କର୍ମଚାରୀଙ୍କ ଜୀବନ ଦୁର୍ଦ୍ଦିନରେ, ପାଉନାହାନ୍ତି ପାରିଶ୍ରମିକ
/sambad/media/post_attachments/wp-content/uploads/2019/05/puri-a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)