ପୁରୀରେ ହୋଟେଲ, ଲଜ୍‌ ତତ୍କାଳ ଖାଲି ନିର୍ଦ୍ଦେଶ

ଜୁଲାଇ ୧୧ ରାତି ୮ଟାରୁ ୧୩ ତାରିଖ ରାତି ୮ ପର୍ଯ୍ୟନ୍ତ କଟକଣା

ସହରରେ ଗାଡ଼ି ଚଳାଚଳ ବି ବନ୍ଦ
ଜିଲ୍ଲାରେ ୮ଟି ଜାଗାରେ ନାକା, ବାହାର ଲୋକଙ୍କୁ ପ୍ରବେଶ ମନା

ପୁରୀ : ଆଉ ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀ ସହରରେ କର୍ଫ୍ୟୁ ଲଗାଇବା ଯୋଜନା କରିଛି ଜିଲ୍ଲା ପ୍ରଶାସନ। ଜୁଲାଇ ୧୧ ତାରିଖ ରାତି ୮ଟାରୁ ଏହି କର୍ପ୍ୟୁ ଲାଗୁ ହେବ। ଏଥିପାଇଁ ଜିଲ୍ଲାପାଳ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବଡ଼ଦାଣ୍ଡରେ ଥିବା ଲଜ୍‌, ହୋଟେଲ ସବୁକୁ ତତ୍କାଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହର ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଗାଡ଼ି ଚଳାଚଳରେ କଟକଣା ଲଗାଯାଇଛି।

ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପୁରୀ ସହରରେ ଜୁଲାଇ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟରେ ପୁରୀ ସହରରେ ଜନସାଧାରଣଙ୍କ ଚଳପ୍ରଚଳ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବି‌ଶେଷ କରି ବଡ଼ଦାଣ୍ଡ ଉପରେ କଡ଼ା ନଜର ରହିବ। ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ଲୋକେ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ କୌଣସି ଗାଡ଼ି ବଡ଼ଦାଣ୍ଡରେ ଗଡ଼ି ପାରିବନି। ବଡ଼ଦାଣ୍ଡରେ ଯେଉଁ ହୋଟେଲ, ଲଜ୍‌, ଧର୍ମଶାଳା, ଗେଷ୍ଟ ହାଉସ୍‌ ସବୁ ରହିଛି, ସେ ସବୁର ବୁକିଂ ବାତିଲ୍ କରାଯାଇଛି। ଜୁଲାଇ ୧୦ ତାରିଖ ସୁଦ୍ଧା ଏସବୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ କେବଳ ଜରୁରୀକାଳୀନ ସେବା ଦେଉଥିବା ସରକାରୀ କାର୍ଯ୍ୟାଳୟକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟାଳୟ ସହ ଏପରିକି ବଡ଼ଦାଣ୍ଡରେ ଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଏପରିକି ଔଷଧ ଦୋକାନ, ବ୍ୟାଙ୍କ୍‌ ପ୍ରଭୃତି ମଧ୍ୟ ବନ୍ଦ ରହିବ। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବ। ଏଥିପାଇଁ ଜିଲ୍ଲାର ୮ଟି ଜାଗାରେ ନାକାବନ୍ଦୀ ବି ଆରମ୍ଭ ‌ହୋଇଛି।

ଏହାବାଦ୍‌ ପୁରୀ ସହରର ତିନି ପ୍ରମୁଖ ପ୍ରବେଶ ପଥ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ୍‌ ଷ୍ଟେସନ୍‌ ଛକ ସିଲ୍‌ କରାଯିବ। ଉପରୋକ୍ତ ତିନି ଦିନ ବାହାର ଲୋକଙ୍କୁ ସହରକୁ ପ୍ରବେଶରେ କଟକଣା ଲଗାଯାଇଛି। ହୋମ୍‌ ଡେଲିଭରି ସେବା କିନ୍ତୁ ଜାରି ରହିବ। ରଥଯାତ୍ରାରେ ସହର ଭିତରେ ଥିବା ଜରୁରୀକାଳୀନ ସେବାରେ ନି‌ୟୋଜିତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛାଡ଼ିଦେଲେ ବାକି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। କର୍ଫ୍ୟୁ ଅଞ୍ଚଳକୁ ଛାଡ଼ି ସହରର ଅନ୍ୟ ଅଞ୍ଚଳରେ ଔଷଧ ଦୋକାନ ଖୋଲା ରହିବ। ପୁରୀ ସହରକୁ ଛାଡ଼ିଦେଲେ ଜିଲ୍ଲାର ବାକି ସ୍ଥାନରେ ଏହି କଟକଣା ଲାଗୁ ହେବ ନାହିଁ। କିନ୍ତୁ ସେଠାରେ ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି କୋଭିଡ୍‌ ମାର୍ଗଦର୍ଶିକା ପାଳନ କରାଯିବ।

ସମ୍ବନ୍ଧିତ ଖବର