ଭୋଗରାଇ: ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗର ସୈକତ ନଗରୀ ପୁରୁଣା ଦୀଘାସ୍ଥିତ ଏକ ହୋଟେଲର ଦୁଇମହଲା ଛାତରୁ ଖସିପଡ଼ି ଜନୈକ ହୋଟେଲ ମାଲିକଙ୍କ ମୃତ୍ୟୁ ହୋଇଯାଇଛି।
ସୂଚନା ଅନୁଯାୟୀ, ରାଜାବାଡ଼ି କମ୍ପ୍ଲେକ୍ସର ଶ୍ରୀନିକେତନ ହୋଟେଲର ମାଲିକ ତଥା ରାମନଗର ଥାନା ଅନ୍ତର୍ଗତ ଫତେପୁର ଗାଁର ସୁବଲ ସାହୁ ଆଜି ସକାଳେ ହୋଟେଲର ଦ୍ବିତୀୟ ମହଲାରେ ସାଇନବୋର୍ଡ ଖୋଲିବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ତଳେ ପଡ଼ି ଯାଇଥିଲେ। ହୋଟେଲ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଦୀଘା ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ଦୀଘା ମୋହନା କୋଷ୍ଟାଲ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶ୍ରୀ ସାହୁଙ୍କ ମୃତଦେହ ଫତେପୁର ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି।