ବର୍ଷକୁ ମିଳିବ ୧୦ ହଜାର, ପ୍ରତିଷ୍ଠା ହେବ ଏନର୍ଜି କ୍ଲବ୍
୨୪ ଜିଲ୍ଲା ପାଇଁ ୧୨୧ କୋଟି ଅନୁମୋଦନ
ମେ' ୧୫ ସୁଦ୍ଧା ବଣ୍ଟାଯିବ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦପତ୍ର
ବାଲେଶ୍ବର ଲଗାତାର ପଞ୍ଚମଥର ପାଇଁ ଶୀର୍ଷରେ
ଭୁବନେଶ୍ବର : ରାଜ୍ୟର ଏକ ହଜାର ସରକାରୀ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ର ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି। ଉକ୍ତ ସ୍କୁଲଗୁଡ଼ିକରେ ବିଶ୍ବସ୍ତରୀୟର ଭିତ୍ତିଭୂମିର ବିକାଶ ସହ ପିଲାଙ୍କ ପାଠପଢ଼ାରେ କିଭଳି ଉନ୍ନତି ଅଣାଯାଇପାରିବ, ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆରମ୍ଭ ହୋଇଛି। ସେଣ୍ଟର ଅଫ୍ ଏନ୍ଭରନମେଣ୍ଟ ସହଯୋଗରେ ଉକ୍ତ ସ୍କୁଲ୍ରେ 'ଏନର୍ଜି କ୍ଲବ୍' ପ୍ରତିଷ୍ଠା ହେବ। ବିଦ୍ୟାଳୟଗୁଡ଼ିକରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଓ ଏ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରିବାକୁ ପ୍ରତି ବିଦ୍ୟାଳୟକୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ 'ମୋ ସ୍କୁଲ ଅଭିଯାନ'ର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ମୋ ସ୍କୁଲ୍ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବାକୁ ସ୍ବତନ୍ତ୍ର ଅଡିଟ୍ମାନଙ୍କୁ ନିୟୋଜିତ କରାଯାଇଛି। ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଏବେ ସୁଦ୍ଧା ୧୩୮୦ଜଣ ବ୍ୟକ୍ତିବିଶେଷ ବିଭିନ୍ନ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଜଣାପଡ଼ିଛି।
ବୈଠକରେ ୨୪ଟି ଜିଲ୍ଲାର ୧୨୧ କୋଟି ୨୬ ଲକ୍ଷ ଟଙ୍କା ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ମାସକ ମଧ୍ୟରେ ୩୬ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ବରରେ ସର୍ବାଧିକ ୧.୭୭ କୋଟି, କଟକରେ ୫୩ ଲକ୍ଷ ୫୪ହଜାର, ଭଦ୍ରକରେ ୩୬ ଲକ୍ଷ ୩୩ ହଜାର, ଅନୁଗୁଳରେ ୩୩ ଲକ୍ଷ ୧୮ ହଜାର ଓ ବରଗଡ଼ରେ ୧୮ଲକ୍ଷ ୫୪ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ସିଏସ୍ଆର ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୫କୋଟି ୫୫ଲକ୍ଷ ଟଙ୍କା ମିଳିଛି। ପୁରାତନ ଛାତ୍ରଛାତ୍ରୀ ଓ ସିଏସ୍ଆର ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୧ କୋଟି ୨୬ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ବାଲେଶ୍ବର ଜିଲ୍ଲାରେ ଲଗାତାର ପଞ୍ଚମଥର ପାଇଁ ପୁରାତନ ଛାତ୍ରଛାତ୍ରୀ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଏ କ୍ଷେତ୍ରରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭୂମିକାକୁ କାର୍ଯ୍ୟନିର୍ବାହୀ ପରିଷଦ ପ୍ରଶଂସା କରିଛନ୍ତି। ଏବେ ସୁଦ୍ଧା ରାଜ୍ୟର ୫ଲକ୍ଷ ୬ ହଜାର ପୁରାତନ ଛାତ୍ରଛାତ୍ରୀ ଓ ୩୩ ହଜାରରୁ ଅଧିକ ସ୍କୁଲ୍ ଅଭିଯାନରେ ସାମିଲ ହୋଇଛନ୍ତି। ୧୩ଟି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମ ଆୟୋଜନ କରାଯାଇ ଧନ୍ୟବାଦପତ୍ର ପ୍ରଦାନ କରାଯାଇଛି। ମେ' ୧୫ ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟାଳୟସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦପତ୍ର ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍ସିଇଆରଟି ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/schools.jpg)