ଭାରୀ ପଡ଼ିଲା ସ୍କୁଲ ବନ୍ଦ ନିଷ୍ପତ୍ତି : ୮ ଥର ଗୃହ ମୁଲତବୀ

ସର୍ବଦଳୀୟ ବୈଠକରେ ସହମତି, ଆଜି ହେବ ଆଲୋଚନା

ତାରାଙ୍କ ଆତ୍ମହତ୍ୟା ଧମକ, ଗୃହ ମଧ୍ୟଭାଗକୁ ଆସିଲେ ନରସିଂହ
ବାଚସ୍ପତି ରୁଲିଂକୁ ବି ମାନିଲେନି କି ମନ୍ତ୍ରୀଙ୍କୁ କୁହାଇଦେଲେନି

ଭୁବନେଶ୍ୱର : ରାଜ୍ୟରେ ୧୪ ହଜାରରୁ ଅଧିକ ସ୍କୁଲ ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହଜାର ହଜାର ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେବେ। ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ। ଆଜି ହିଁ ସର୍ବଦଳୀୟ ବୈଠକ ଡାକି ନିଷ୍ପତ୍ତି ନିଅନ୍ତୁ ନ ହେଲେ ବିଧାନସଭା ଚାଲିବ ନାହିଁ। ଶନିବାର ଶୂନ୍ୟକାଳରେ ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗରେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରି ଗୃହକୁ ଅଚଳ କରିଦେଇଛନ୍ତି। ବାଚସ୍ପତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯେତେ ବୁଝାଇଲେ ବି ମାନିଲେନି। ଏପରିକି ଦୁଇ ଦୁଇଥର ବାଚସ୍ପତିଙ୍କ ରୁଲିଂକୁ ବି ଗ୍ରହଣ କଲେନି। ଫଳରେ ଗୃହକୁ ୮ ଥର ମୁଲତବୀ ରଖାଯାଇଥିଲା। ପରିସ୍ଥିତି ଏମିତି ହେଲା ଯେ ସରକାରଙ୍କୁ ବିରୋଧୀଙ୍କ ଜିଦ୍‌ ଆଗରେ ଆଣ୍ଠେଇବାକୁ ପଡ଼ିଥିଲା। ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଗୃହ ଚାଲିବନି। ଆଉ ଯଦି ବାଚସ୍ପତି ଗୃହ ଚଲାଇବାକୁ ଉଦ୍ୟମ କରନ୍ତି, ତାହେଲେ ଆତ୍ମହତ୍ୟା କରିବେ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଧମକ ଦେଇଥିଲେ। ଶେଷରେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତି ବାଧ୍ୟ ହେଲେ। ଆସନ୍ତାକାଲି ପ୍ରସ୍ତାବ ଆକାରରେ ଏହି ପ୍ରସଙ୍ଗ ଗୃହରେ ଆଲୋଚନା ହେବ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଥିଲେ, ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବହୁ ସ୍କୁଲ ବନ୍ଦ ହେବାକୁ ଯାଉଛି। ପରିସ୍ଥିତି ଏମିତି ହୋଇଛି ଅନୁନ୍ନତ ଅଞ୍ଚଳ କୋରାପୁଟ ଜିଲ୍ଲାରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପାଠ ପଢ଼ୁଥିବା ପିଲା ଦୁର୍ଗମ ପାହାଡ଼ ଓ ନଦୀ ପାର ହୋଇ ଅନ୍ୟ ସ୍କୁଲରେ ପାଠ ପଢ଼ିବାକୁ ଯିବେ। ଏପରି ହେଲେ ସେମାନଙ୍କ ମା’ ବାପା କେବେ ବି ପିଲାଙ୍କୁ ଏପରି ହଇରାଣ ହେବାକୁ ଦେବେନି। ସରକାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ। ନହେଲେ ବିଧାନସଭା ଅଧିବେଶନ ସରିବା ପରେ କେବିକେ ଜିଲ୍ଲାରେ ଆନ୍ଦୋଳନ ହେବ। ତାରାଙ୍କୁ ସମର୍ଥନ କରି ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। କହିଥିଲେ, ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଶାସକ ଦଳର ସଭ୍ୟମାନେ ମଧ୍ୟ ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ସେମାନେ କହିପାରୁନାହାନ୍ତି।

ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇ କହିଥିଲେ, ଏହି ପ୍ରସଙ୍ଗରେ ଗତ ଅଧିବେଶନରେ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ସେତେବେଳେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୃହରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମୌସୁମୀ ଅଧିବେଶନର ପରିସମାପ୍ତି ହେବାରୁ ଗୃହରେ ମନ୍ତ୍ରୀ ବିବୃତି ରଖିପାରିନଥିଲେ। ଏବେ ପୁଣି ଥରେ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଉଛି, ସେ ଆସନ୍ତା ଦୁଇ ଦିନ ଭିତରେ ଗୃହରେ ବିବୃତି ରଖିବେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନିଜ ଆସନରେ ଠିଆ ହୋଇ କହିଥିଲେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଏବେ ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ଓ ନିଷ୍ପତ୍ତି ପରିବର୍ତ୍ତନ କରାଯାଉ। ବାଚସ୍ପତି କିଛି ନ କହିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସର୍ବଦଳୀୟ ବୈଠକ ଡାକି ଆଜି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ। କିନ୍ତୁ ବାଚସ୍ପତି ନ ଶୁଣି ଶାସକ ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ରଙ୍କୁ ଡାକିବାରୁ ବିରୋଧୀ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ହୋହଲ୍ଲା ମଧ୍ୟରେ ବିଜେଡି ସଭ୍ୟ ଶ୍ରୀ ମିଶ୍ର କହିଥିଲେ, ସ୍କୁଲ ବନ୍ଦ ନିଷ୍ପତ୍ତି ସରକାରଙ୍କ ନୁହେଁ। ଗୁଣାତ୍ମକ ଶିକ୍ଷା ଦାନ ପାଇଁ ସରକାର ଗୋଟିଏ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଯେଉଁ ସ୍କୁଲରେ ଆବଶ୍ୟକ ସଂଖ୍ୟକ ପିଲା ନାହାନ୍ତି ସେଥିପାଇଁ ଅନୁଧ୍ୟାନ କରିବାକୁ ଜିଲ୍ଲା, ବ୍ଲକ୍‌ ଓ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି ତ୍ରିସ୍ତରୀୟ କମିଟିର ସୁପାରିସ ଆଧାରରେ ୧୪ ହଜାରରୁ ଅଧିକ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ବାଚସ୍ପତି ବିରୋଧୀଙ୍କୁ ଯେତେ ବୁଝାଇଲେ ବି ବିରୋଧୀ ସଦସ୍ୟମାନେ ଆସନକୁ ଫେରିନଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ୧୧ଟା ୩୩ରୁ ୧୧ଟା ୪୮, ୧୧ଟା ୪୮ରୁ ୧୨ଟା ୩, ୧୨ଟା ୧୬ରୁ ୩ଟା, ୩ଟା ୫ରୁ ୩ଟା ୧୫, ୩ଟା ୧୫ରୁ ୩ଟା ୨୫, ୩ଟା ୨୭ରୁ ୩ଟା ୪୭, ୩ଟା ୪୭ରୁ ୪ଟା ୧୭, ୪ଟା ୧୭ରୁ ୪ଟା ୩୨ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା।

ବାଚସ୍ପତି ପୁଣି ରୁଲିଂ ଦେଇ କହିଥିଲେ, ଆସନ୍ତାକାଲି ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗୃହରେ ବିବୃତି ରଖିବେ। ସେତେବେଳେ ଗୃହରେ ଉପସ୍ଥିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଡାକିବାରୁ ବିରୋଧୀ ମନ୍ତ୍ରୀଙ୍କୁ କିଛି ବି କୁହାଇଦେଇ ନଥିଲେ। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ସରକାର କଣ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସେ ନେଇ ସର୍ବଦଳୀୟ ବୈଠକ ଡାକି ତୁରନ୍ତ ଆଲୋଚନା କରନ୍ତୁ। ଆବଶ୍ୟକ ପଡ଼ିଲେ ବିଭାଗୀୟ ସଚିବ ମଧ୍ୟ ବୈଠକରେ ଉପସ୍ଥିତ ରହନ୍ତୁ। ବିରୋଧୀଙ୍କ ନାରାବାଜି ଭିତରେ କହିବାକୁ ସୁଯୋଗ ନ ମିଳିବାରୁ ନିଜେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗୃହ ମଧ୍ୟ ଭାଗକୁ ଯାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାଟି କରିଥିଲେ। ପୁଣି ନିଜ ଆସନକୁ ଫେରିଆସି କହିଥିଲେ, ‘ବାଚସ୍ପତି ଆପଣଙ୍କ ଏ ରୁଲିଂକୁ ଆମେ ମାନିବୁ ନାହିଁ। ଆମେ ବାରମ୍ବାର ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରୁଛୁ। କିନ୍ତୁ ଆପଣ ତା ନକରି ଆମକୁ ମୁର୍ଖ ବନାଇବାକୁ ଚାହୁଁଛନ୍ତି। ଏହି ପ୍ରସଙ୍ଗରେ ଆଜି ହିଁ ନିଷ୍ପତ୍ତି ହେବ। ଆମେ ମନ୍ତ୍ରୀଙ୍କ ବିବୃତି ଚାହୁଁନା। ତା ନହେଲେ କୌଣସି ବିରୋଧୀ ସଭ୍ୟ ଚୁପ୍‌ ହେବେନାହିଁ।’ ଅପରାହ୍ନ ଅଧିବେଶନରେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍‌ ଆଗରେ ଥିବା କାଚରେ ନିଜ ମୁଣ୍ଡ ବାଡେ଼ଇବା ସହ ନାରାବାଜି କରିଥିଲେ। ଶେଷରେ ବାଚସ୍ପତି ଶ୍ରୀ ପାତ୍ର ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା, ଶାସକ ଦଳ ସଭ୍ୟ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି, ବିରୋଧୀ ଦଳ ଉପନେତା ଶ୍ରୀ ସେଠୀ, ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କୁ ନିଜ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରିବା ସହ ଗୃହକୁ ମୁଲତବୀ ରଖିଥିଲେ। ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହ ଏପରି ଅଚଳ ହୋଇଥିଲା ଯେ, ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିରୋଧୀ ଦେଇଥିବା ମୁଲତବୀ ଆଲୋଚନା ହୋଇପାରିନଥିଲା।

ସମ୍ବନ୍ଧିତ ଖବର