ଭୁବନେଶ୍ବର: ଆଜି ପୁଣି ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି। ପୋଲାଭରମ୍ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ବିଜେଡି ହଟ୍ଟଗୋଳ କରିଥିଲା। ଫଳରେ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ଆଦୌ ହୋଇପାରି ନଥିଲା। ଆଜି ପ୍ରଶ୍ନକାଳକୁ କଂଗ୍ରେସ ବିଧାୟକମାନେ ବର୍ଜନ କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ପୋଲାଭରମ ପ୍ରସଙ୍ଗରେ ଓଡ଼ିଶା, ବିଶେଷ କରି ଆଦିବାସୀଙ୍କ ସ୍ବାର୍ଥ ଜଡ଼ିତ ଥିବାରୁ ତାହା ଉପରେ ଆଲୋଚନା ପାଇଁ ଦାବି କରିଥିଲେ। ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ବିଜେଡି ପକ୍ଷରୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ବାଚସ୍ପତି କାହିଁକି ଗ୍ରହଣ କଲେନି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବାଚସ୍ପତି ପ୍ରଶ୍ନକାଳ ଜାରି ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ସମ୍ଭବ ହୋଇ ନଥିଲା। ଫଳରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ପାଇଁ ମୁଲତବୀ ରଖିଥିଲେ।
ମାମଲା ବିଚାରାଧୀନ ଥିବାରୁ ଆଲୋଚନା ହୋଇପାରିବନି: ବାଚସ୍ପତି
ବିଚାରାଧୀନ ଥିଲା ବେଳେ କେନ୍ଦ୍ର ୧୬ ହଜାର କୋଟି ଦେଲା କେମିତି: ବିଜେଡି
ଘଣ୍ଟାଏ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସ୍ଥିତି ସୁଧୁରି ନଥିଲା। ବିଜେଡି ବିଧାୟକମାନେ ପୁଣି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ। କଂଗ୍ରେସ ବିଧାୟକମାନେ ବି ରାଜ୍ୟରେ ନାରୀ ନିର୍ଯାତନାର ପ୍ରତିବାଦ କରି ବେକେର ବ୍ୟାନର ଟଙ୍ଗାଇ ଗୃହକୁ ଆସିଥିଲେ। ବାଚସ୍ପତି କହିଥିଲେ, ପୋଲାଭରମ ଉପରେ ମୁଲତବୀ ଆଲୋଚନା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ସତ। କିନ୍ତୁ ଏହା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାରୁ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇପାରିବ ନାହିଁ। ଗତ ୬.୧୨.୨୦୨୪ରେ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗ ଆଲୋଚନା ପାଇଁ ଦିଆଯାଇଥିଲା। କିନ୍ତୁ ସମାନ କାରଣ ପାଇଁ ତାହା ଗ୍ରହଣ କରାଯାଇ ନଥିଲା। ତେବେ ବାଚସ୍ପତିଙ୍କ ଏହି ଯୁକ୍ତିକୁ ବିଜେଡି ସଭ୍ୟମାନେ ଗ୍ରହଣ କରି ନଥିଲେ। ସେମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ପୁଣି ମୁଲତବୀ ରଖିଲେ। ୧୨ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିବା ପାଇଁ ଠିଆ ହୋଇଥିଲେ। ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଥିଲେ। ସେ କହିସାରିଲା ପରେ ପୁଣି ବିଜେଡି ସଭ୍ୟମାନେ ପୋଲାଭରମ୍ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ।
ଏହା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଥିଲେ। ଆଜି ପ୍ରଥମାର୍ଦ୍ଧରେ କୌଣସି କାର୍ଯ୍ୟ ହୋଇପାରି ନଥିଲା। ଗୃହ ବାହାରେ ବିଜେଡି ସଭ୍ୟ ଅରୁଣ କୁମାର ସାହୁ ଗଣମାଧ୍ୟମକୁ କହିଥିଲେ, ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ଡବଲ ଇଞ୍ଜିନ ସରକାର ଅସମର୍ଥ। ବିଜେପି ଓଡ଼ିଶାର ଅସ୍ମିତାକୁ ଆଘାତ ଦେଇଛି। ପୋଲାଭରମ ପ୍ରକଳ୍ପ ପାଇଁ ଆଦିବାସୀ ବିସ୍ଥାପିତ ହେବେ। ଓଡ଼ିଶା ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କଥା ହେବାକୁ କହିଥିଲେ ବି ଏ ଯାଏ ଆଲୋଚନା କଲେନି। ମାମଲା ବିଚାରାଧୀନ ରହିଛି ବୋଲି ମୁଲତବୀ ପ୍ରସ୍ତାବ ଗ୍ରହଣ କଲେନି। ଯଦି ମାମଲାଟି ବିଚାରାଧୀନ ଅଛି, ତେବେ କେନ୍ଦ୍ର ସରକାର ପ୍ରକଳ୍ପକୁ ୧୬ ହଜାର କୋଟି ଦେଲେ କେମିତି? ଆନ୍ଧ୍ରପ୍ରଦେଶ ପୁଣି ମନଇଚ୍ଛା ପ୍ରକଳ୍ପର ଉଚ୍ଚତା ବଢ଼ାଇ ନିର୍ମାଣ କାର୍ଯ୍ୟ ଜାରି ରଖିଛି କେମିତି? ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଡବଲ୍ ଇଞ୍ଜିନ ସରକାର ଡବଲ ଧୋକା ଦେଇଛନ୍ତି। ଅପରାହ୍ନ ୪ଟାରେ ଗୃହ ସ୍ବାଭାବିକ ହୋଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ବିଜେଡି ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କିନ୍ତୁ କଂଗ୍ରେସ ସଭ୍ୟମାନେ ଗୃହ ବର୍ଜନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/14/THiy4ogBXd6RFZu1Pz9s.jpg)