ପୁଣି ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ତାତି : ଗୃହକାର୍ଯ୍ୟ ଅଚଳ ହେବାରୁ ଅପରାହ୍ଣ ୪ଟା ଯାଏ ମୁଲତବୀ

ଭୁବନେଶ୍ବର: ବିଧାନସଭା ପୁଣି  ଶିକ୍ଷକ ଆନ୍ଦୋଳନକୁ ନେଇ ଅଚଳ ହୋଇଛି। ଆଜି ବିରୋଧୀ ଦଳର ସଦସ୍ୟମାନେ ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଗୃହରେ ପ୍ରବଳ ହଟଗୋଳ କରିଥିଲେ। ବହୁ ବିଧାୟକ ପୋଡିୟମ୍ ତଳେ ଧାରଣା ମଧ୍ୟ ଦେଇଥିଲେ। ଗୃହ କାର୍ଯ୍ୟ ଅଚଳ ହୋଇପଡ଼ିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ  ଡକାଇ ଥିଲେ। ମାତ୍ର ସର୍ବଦଳୀୟ ବୈଠକ ବିଫଳ ହେବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି।

ରାଜଧାନୀରେ ୪ ଦିନ ହେଲା ଶିକ୍ଷକମାନଙ୍କର ଆନ୍ଦୋଳନ ଜାରି ରହିଛି। ବହୁ ସଂଖ୍ୟାରେ ଶିକ୍ଷକ ଲୋୟର୍‌ ପିଏମ୍‌ଜିରେ ଏକାଠି ହୋଇ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି। ସରକାର କାହିଁକି ସମାଧାନର ବାଟ ବାହାର କରୁନାହାନ୍ତି ବୋଲି ପ୍ରଶ୍ନ କରି ବିରୋଧୀ ଦଳ ସଭ୍ୟମାନେ ଗୃହରେ ତୀବ୍ର ପ୍ରତିବାଦ କରିଥିଲେ।  ସରକାର ପଦକ୍ଷେପ ନନେଲେ ବିଧାନସଭା ଚାଲିବାର ମାନେ କିଛି ନାହିଁ ବୋଲି ଗତକାଲି ବିରୋଧୀ ଦଳର ବିଧାୟକମାନେ ରୋକ୍‌ଠୋକ୍ ଜଣାଇ ଦେଇଥିଲେ। ଫଳରେ ମଙ୍ଗଳବାର ଦିନ ଗୃହରେ କୌଣସି କାର୍ଯ୍ୟ ହୋଇ ପାରି ନଥିଲା। ଆଜି ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ‌ଆସି ‌ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ୧୧ଟା ୩୦ରେ ସମାନ ସ୍ଥିତି ଲାଗି ରହିଥିଲା। ବାଚସ୍ପତି ଗତକାଲି ରୁଲିଂ ଦେବା ସତ୍ତ୍ବେ ସରକାର କାହିଁକି ପଦ‌କ୍ଷେପ ନେଲେନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ।

ସମ୍ବନ୍ଧିତ ଖବର