୯ ପର୍ଯ୍ୟଟନ ସର୍କି‌ଟ୍‌, ୧୩ ପର୍ଯ୍ୟଟନସ୍ଥଳୀର ବିକାଶ ହେବ : ଖୁବ୍ ଶୀଘ୍ର ଚିଲିକା ଓ ଭିତରକନିକାରେ ଗଡ଼ିବ ହାଉସ୍‌ ବୋଟ୍‌, ବିଦେଶରେ ହେବ ଅଧିକ ରୋଡ୍‌ ସୋ’

ଭୁବନେଶ୍ବର : ରାଜ୍ୟରେ ୯ଟି ପର୍ଯ୍ୟଟନ ସର୍କି‌ଟ୍‌ ଓ ୧୩ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ। ଏଠାରେ ଉଚ୍ଚମାନର ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଅଛି ରମ୍ଭା ପର୍ଯ୍ୟଟନ କ୍ଲଷ୍ଟର୍‌, କଣ୍ଟିଲୋ କ୍ଲଷ୍ଟର୍, ଗାନ୍ଧୀ ସର୍କିଟ୍‌, ସନ୍‌ ସିଟି କୋଣାର୍କ, ବୌଦ୍ଧ ସର୍କିଟ୍‌, ଦାରିଙ୍ଗିବାଡ଼ି କମ୍ପ୍ଲେକ୍ସ, ଶାମୁକା ବେଳାଭୂମି, କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ପରିବେଶ ପର୍ଯ୍ୟଟନ, ବିଭିନ୍ନ ସ୍ଥାନରେ ହାଉସ୍‌ ବୋଟ୍‌ ଇତ୍ୟାଦି। ଆଜି ଲୋକସେବା ଭବନରେ ପର୍ଯ୍ୟଟନ ଉପଦେଷ୍ଟା କମିଟି(ଟିଏସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ପର୍ଯ୍ୟଟନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପର୍ଯ୍ୟଟନସ୍ଥଳୀର ବିକାଶ ଓ ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଉପରେ ଗୁରୁତ୍ବାରୋପ କରିଥିଲେ। ପର୍ଯ୍ୟଟନ ବିଭାଗ ‘ମୋ ସରକାର’ ବ୍ୟବସ୍ଥା ଆରମ୍ଭ କରି ପର୍ଯ୍ୟଟକ ଓ ସ୍ଥାନୀୟ ଜନତାଙ୍କ ଠାରୁ ମତାମତ ଆଣିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ସେହି ମତାମତ ଭିତ୍ତିରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଉପଯୁକ୍ତ ବିକାଶ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ।

ବୈଠକ ପରେ ଗଣମାଧ୍ୟମକୁ ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବ କହିଲେ, ପ୍ରଥମ ପର୍ଯ୍ୟାୟରେ ଚିଲିକା ଓ ଭିତରକନିକାରେ ହାଉସ୍‌ ବୋଟ୍‌ ଚଲାଯିବ। ଘରୋଇ ସଂସ୍ଥା ଏହାର ପରିଚାଳନା ଦାୟିତ୍ବରେ ରହିବେ। ସର୍ଫିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ପୁରୀରେ ସର୍ଫିଂ ଫେଷ୍ଟିଭାଲ୍‌ ହେବ। ଦିଲ୍ଲୀ, କୋଚି, କୋଲକାତା, ଗୌହାଟୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ‌େର ପର୍ଯ୍ୟଟନ ବିଭାଗର ରୋଡ୍‌ ସୋ’ ଆୟୋଜନ କରାଯିବ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ବର୍ଷକୁ ହାରାହାରି ଦେଢ଼ କୋଟି ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏକ ଲକ୍ଷ। ଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରୋଡ୍‌ ସୋ’ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କ୍ବାଲାଲାମ୍ପୁର, ବ୍ୟାଙ୍ଗକକ୍‌, ବାଲି ଓ ଜାକର୍ତ୍ତାରେ ରୋଡ୍‌ ସୋ’ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବଙ୍କ ସ‌େମତ ଟୁର୍ ଅପରେଟର୍‌ ସଂଘ, ଟ୍ରାଭେଲ୍‌ ଏଜେଣ୍ଟ୍‌ ସଂଘ ଏବଂ ହୋଟେଲ୍‌ ଓ ରେସ୍ତୋଁରା ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର