ଧାନଚାଉଳ ଖାଇଗଲା ଦନ୍ତା

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ଗୋଠଛଡ଼ା ଦନ୍ତାହାତୀ ଉତ୍ପାତ କରୁଛି। ଗତକାଲି କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗାଁରେ ଘର ଭାଙ୍ଗି  ଧାନଚାଉଳ ଖାଇବା ସହ ବ୍ୟାପକ କ୍ଷୟକ୍ଷତି କରିଛି। ପରିବାର ଲୋକ ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଗୋଠଛଡ଼ା ଦନ୍ତାହାତୀଟି କୃଷ୍ଣପୁର ଗାଁର ନାୟକସାହିରେ ପଶି ଉତ୍ପାତ କରିଥିଲା। ସାହିର ସମବାରୀ ନାୟକଙ୍କ ହଲର ମେସିନ୍‌ ଥିବା ଘରକୁ ଭାଙ୍ଗି ଦେଇଥିଲା। କାନ୍ଥ ପଡ଼ିଯିବାରୁ ଘରେ ଥିବା ୧୦ରୁ ଊର୍ଦ୍ଧ୍ବ କୁକୁଡ଼ା ପ୍ରାଣ ହରାଇଥିଲେ।

ଘର ଭିତରେ ଶୋଇଥିବା ସମବାରୀ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ସାହିଲୋକ ନିଆଁହୁଳା ଦେଖାଇ ହାତୀଟିକୁ ଘଉଡ଼ାଇଥିଲେ। ପରେ ହାତୀଟି କାଇଁଶିନାଳୀ ସାହିରେ ପଶିଥିଲା। ରମେଶ ମୁଣ୍ଡାଙ୍କ ଘର ଭାଙ୍ଗି  ଧାନଚାଉଳ ଖାଇଥିଲା। ହାତୀ ଘର ଭାଙ୍ଗିବା ଦେଖି ଭୟରେ ପରିବାର ଲୋକେ ବାହାରକୁ ଚାଲି ଆସିଥିଲେ। ବର୍ଷତମାମ ହାତୀଟି ଏଭଳି ଉତ୍ପାତ ଜାରି ରଖିଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ତୁରନ୍ତ ହାତୀଟିକୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର