ଝଡ଼ତୋଫାନରେ ବହୁ ଘର ଭାଙ୍ଗିଲା

ଦଶରଥପୁର: ଦଶରଥପୁର ବ୍ଲକରେ ଆଜି ଅପରାହ୍‌ଣରେ ଝଡ଼ପବନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିସହ କୁଆପଥର ମାଡ଼ ବହୁ ପନିପରିବା ଫସଲ ନଷ୍ଟ କରିଛି। ପାଲଟପୁର ପଞ୍ଚାୟତଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସାଠିବାଟି ଗ୍ରାମର ଅଳକ ପତ୍ରୀଙ୍କ ଘର ଉପରେ ନଡ଼ିଆଗଛ ପଡ଼ିବାରୁ ଘରଟି ଭାଙ୍ଗିଯାଇଛି। ସେହିପରି ପାଲଟପୁର ଗ୍ରାମର ରଞ୍ଜିଆ ମଲ୍ଲିକଙ୍କ ଘର ଉପରେ ଏକ ବଡ଼ ଚାକୁଣ୍ଡା ଗଛ ଭାଙ୍ଗିପଡିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ମଂଗଳପୁର-ନାରିଗାଁ ରାସ୍ତା ପାଲଟପୁର ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟଠାରେ ଏକ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା।

ଦଶରଥପୁର ଅଗ୍ନିଶମବାହିନୀ ଅଧିକାରୀ ଦୈତାରୀ ରାଉତଙ୍କ ନେତୃତ୍ୱରେ ପହଞ୍ଚି ୩ ଟି ସ୍ଥାନରେ ଗଛ କାଟି ସଫା କରିଥିଲେ। ପାଲଟପୁର ସାଠିବାଟି ଗ୍ରାମର ଅଳକା ପତ୍ରୀ, କଣ୍ଟିବାଙ୍କ ଗ୍ରାମର ହେମନ୍ତ ଦାସ, ପାଲଟପୁରର ରଂଜିଆ ମଲ୍ଲିକ, ରଂଗଲତା ସାହୁ, ମଦନ ମଲ୍ଲିକ, ବିରଜାରାଣୀ ପଣ୍ଡା, ଧୋବାକୋଇଲି ଗ୍ରାମର ସଦାଶିବ ସାହୁ, ନୀଳକଣ୍ଠପୁର ଗ୍ରାମର ଅକ୍ଷୟ ପଣ୍ଡା, ଧୀରେନ୍ଦ୍ର ପଣ୍ଡା, ସୁବାସ ମଲ୍ଲିକ, ସଞ୍ଜୟ କୁମାର ଜେନାଙ୍କ ସମେତ ବହୁ ବ୍ୟକ୍ତିଙ୍କ ଘର ଭାଙ୍ଗିଯାଇଛି। ଆଜବେଷ୍ଟସ ଛପର ସବୁ ଉଡ଼ିଯାଇଛି । ଏଥିନେଇ ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଲିଖିତ ଭାବେ ଅବଗତ କରାଯିବାପରେ ମଂଗଳପୁର ଆର୍‌ଆଇ ତଦନ୍ତ କରିଛନ୍ତି। ପଣ୍ଡାସାହିଠାରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡିଛି। ହେକ୍ଟର ହେକ୍ଟର ପରିବା ଚାଷ କୁଆପଥର ମାଡ଼ରେ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର