ବିନା ନୋଟିସରେ ଘର ଭାଙ୍ଗିଲା ଏମସିଏଲ, ବିସ୍ଥାପିତଙ୍କ ରାସ୍ତାରୋକ

ସୁନ୍ଦରଗଡ଼: ଏକ ସମ୍ବେଦନଶୀଳ ଘଟଣାକ୍ରମେ, ବୁଧବାର ଅପରାହ୍ନ ୨ଟାରେ ଏମସିଏଲ ବଲିଙ୍ଗାର ପ୍ରାୟ ୨୦ ଜଣ ବିସ୍ଥାପିତଙ୍କ ଘର ଜେସିବି ଲଗାଇ ଜୋରଜବରଦସ୍ତ ଭାଙ୍ଗି ଦେଇଛି। ବାଙ୍କିବାହାଲ-ଭେଡ଼ାବାହାଲ କୋଲ୍ କରିଡର ନିର୍ମାଣ କରୁଥିବା ବାଲାଜୀ କନଷ୍ଟ୍ରକ୍ସନ ନାମକ ଏକ କମ୍ପାନିର କର୍ମଚାରୀଙ୍କ ଜରିଆରେ ବେଆଇନ ଭାବେ ବିସ୍ଥାପିତଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି।

ବିସ୍ଥାପିତଙ୍କୁ ଚାକିରି, କ୍ଷତିପୂରଣ, ପୁନର୍ବାସ ପାଇଁ ଆବଶ୍ୟକ ଜମି ଓ ଗୃହ ନିର୍ମାଣ ପାଇଁ ନିୟମ ମୁତାବକ ଅର୍ଥ ନଦେଇ ବିନା ନୋଟିସରେ ଏପରି ବଳପୂର୍ବକ ଘର ଭଙ୍ଗାର ପ୍ରତିବାଦ କରି ବିସ୍ଥାପିତ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାରେ ଶତାଧିକ  କୋଇଲା ବୋଝେଇ ଭାରୀଯାନଗୁଡ଼ିକ ଅଟକି ରହିଛି। ବିସ୍ଥାପିତଙ୍କୁ ନ୍ୟାୟ ନମିଳିବା ଯାଏ ପ୍ରତିବାଦ ଜାରି ରହିବ ବୋଲି ବଲିଙ୍ଗା ବିସ୍ଥାପିତ ଅଭିନ ସୁନ୍ଦର କଉଡ଼ି ଚେତାବନୀ ଦେଇଛନ୍ତି।  କୋଇଲା ଖଣି ପାଇଁ ଜମି, ଘର ଦ୍ବାର ହରାଉଥିବା ବିସ୍ଥାପିତଙ୍କୁ ପୁନର୍ବାସ ଓ ଥଇଥାନ ନିୟମ ଅନୁଯାୟୀ କ୍ଷତିପୂରଣ, ପୁନର୍ବାସ ସୁବିଧା, ନିଯୁକ୍ତି ପ୍ରଦାନ ପାଇଁ ବହୁ କ୍ଷେତ୍ରରେ ଏମସିଏଲ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିବା ଅଭିଯୋଗ ରହିଛି।

ବିସ୍ଥାପିତ ସବୁ କିଛି ହରାଇବା ପରେ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହେଉଥିବା ଦେଖିବାକୁ ମିଳିଛି। ଏଯାଏଁ ଝୁପୁରୁଙ୍ଗା,  ରତନସରା, କିରପସିରା, ଟିକିଲିପଡ଼ା, ସରଡେଗା ଗ୍ରାମବାସୀ ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟ ଅପେକ୍ଷାରେ। ଏସ୍ଥିତିରେ ଏମସିଏଲ  ଲୋକଙ୍କୁ ଘରୁ ତଡ଼ିବା ପାଇଁ ଘର ପାଖରୁ ଖଣି ଖୋଳିବା ପରି ସଂଗୀନ ଅଭିଯୋଗ ମଧ୍ୟ ରହିଛି।

ତେବେ ବୁଧବାର କୋଲ୍ କରିଡର ନିର୍ମାଣ କରୁଥିବା ବାଲାଜୀ କନଷ୍ଟ୍ରକ୍ସନର କର୍ମଚାରୀ ଜେସିବିରେ  ବଲିଙ୍ଗାର ଅଭିନ୍ନସୁନ୍ଦର କଉଡ଼ି, ଲୋହିତ କଉଡ଼ି, ସଂଜୀବ ଚୌଧୁରୀ, ପବିତ୍ର କୁମାର ଚୌଧୁରୀ, ଦଶରୁ ନାଏକ, ହରେକୃଷ୍ଣ ସେଠ, ବିଜୟ ଅଗ୍ରୱାଲ ପ୍ରମୁଖଙ୍କ ସମେତ ଅନ୍ୟ ବିସ୍ଥାପିତଙ୍କ ଘର ଭାଙ୍ଗି ଦେଇଥିଲେ। ବିନା ନୋଟିସରେ କିପରି ଘର ଭାଙ୍ଗୁଛ କହି ବିସ୍ଥାପିତ ଏହାର ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଏପରିକି  ଘରେ ଥିବା ଜିନିଷପତ୍ର ମଧ୍ୟ ବାହାର କରିବାକୁ ସୁଯୋଗ ଦେଇ ନଥିବା ସେମାନେ ଅଭିଯୋଗ କରି ବଲିଙ୍ଗା  ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଏମସିଏଲର ମନମାନୀ ବିରୋଧରେ ସେମାନେ ଗର୍ଜିଛନ୍ତି। ଥଇଥାନ ଓ ପୁନର୍ବାସ ନିୟମ ମୁତାବକ କ୍ଷତିପୂରଣ, ଚାକିରି, ଘର ଡିହ ଓ ଘର ନିର୍ମାଣ ପାଇଁ ଅର୍ଥ ନଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଘୋଷଣା କରିଛନ୍ତି। ତେବେ ନିୟମ ମୁତାବକ ନିଯୁକ୍ତି ଓ ଅନ୍ୟ ସହାୟତା ନଦେଇ ବିସ୍ଥାପିତଙ୍କୁ ବେଘର କରିବା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର