ଗାଁ’ରୁ ବାସନ୍ଦ କରି ଘର ଜାଳିଦେଲେ

ବ୍ରହ୍ମଗିରି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯିବା ପରେ ନିଆଁ ଲଗାଇ ତାଙ୍କ ଘର ଜାଳି ଦିଆଯାଇଛି। ବ୍ରହ୍ମଗିରି ଥାନା ମୁଣ୍ଡାଳ ଗାଁର ବିଷ୍ଣୁଚରଣ ମହାନ୍ତିଙ୍କ ପରିବାର ଗାଁର ଅନ୍ୟ ଜଣେ ପରିବାର ସହିତ ମିଳାମିଶା କରିବାକୁ ନେଇ କିଛି ଲୋକେ ବିରୋଧ କରିଥିଲେ। ପରେ ଏହି ବିବାଦ ଉଗ୍ରରୂପ ନେଇଥିଲା। ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଗାଁର କେତେକ ଲୋକ ତାଙ୍କ ଘରେ ନିଆଁ ଲଗାଇ ପୋଡି ଦେଇଥିବା ବିଷ୍ଣୁଙ୍କ ପତ୍ନୀ ରମାମଣି ମହାନ୍ତି ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି। ରମାମଣିଙ୍କ ଅଭିଯୋଗ ଅନୁସାରେ, ଗାଁ ଲୋକେ ତାଙ୍କ ପରିବାରକୁ ବାସନ୍ଦ କରି ଗତକାଲି ରାତି ପ୍ରାୟ ଦୁଇଟା ବେଳେ ତାଙ୍କ ଘରକୁ ଆସିଥିଲେ। ଘରୁ ସମସ୍ତଙ୍କୁ ବାହାରକୁ ବାହାର କରିଦେବା ପରେ ଭବାନୀ ଶଙ୍କର ସେନାପତି, କାହ୍ନ ମାଝି, ନୀଳମଣି ବାରିକ, ଛତୁ ମାଝି, ପ୍ରଭାକର ମାଝି, ଅର୍ଜୁନ ଗୁଣ୍ଠ ପ୍ରମୁଖ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଅଭିଯୋଗ ପାଇବା ପରେ ବ୍ରହ୍ମଗିରି ଥାନା ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛି। ଏ ନେଇ ବ୍ରହ୍ମଗିରି ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗତକାଲି ରାତି ୨ଟା ୫ ମିନିଟ୍‌ରେ ଏକ କଲ ମୁଣ୍ଡାଳ ଗାଁରୁ ଆସିଥିଲା। ଖବର ପାଇ ଗାଁରେ ପହଞ୍ଚଲା ବେଳକୁ ତିନି ବଖରା ଘର ଜଳୁଥିବା ବେଳେ ଆଗ୍ନିକମାନେ ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମଗିରି ଥାନା ପୁଲିସ କହିଛି।

ସମ୍ବନ୍ଧିତ ଖବର